ରାୟଗଡ଼ା: ଛତିଶଗଡ଼ ପୁଲିସ ସହ କେନ୍ଦ୍ରୀୟ ଫୋର୍ସ ନକ୍ସଲଙ୍କୁ ତାଡ଼ିବା ପରେ ଓଡ଼ିଶାମୁହାଁ ହୋଇଛନ୍ତି ନକ୍ସଲ। ଜୀବନ ବିକଳରେ ଦକ୍ଷିଣ ଓଡ଼ିଶାରେ ଆତ୍ମଗୋପନ କରୁଛନ୍ତି। ତେଣୁ ରାୟଗଡ଼ା ଜିଲ୍ଲାରେ କିଛି ଦିନ ହେଲା ପୁଣି ନକ୍ସଲଙ୍କ ଗତିବିଧି ଦେଖିବାକୁ ମିଳିଛି। ଯଦିଓ ହିଂସା ଘଟାଇବା ପାଇଁ ଏଯାଏଁ ସୁଯୋଗ ପାଇନାହାନ୍ତି। କିନ୍ତୁ ଚଳପ୍ରଚଳ ବୃଦ୍ଧି ପାଇଥିବାରୁ ସୁରକ୍ଷାକର୍ମୀ ସତର୍କ ରହିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି।
ଅପରେସନ୍ ‘କଗାର’କୁ ନକ୍ସଲଙ୍କ ବିରୋଧ ଜାରି ରହିଛି। ଫେବ୍ରୁଆରି ୧୩ତାରିଖରେ ଓଡ଼ିଶା ଏବଂ ପୂର୍ବ ଛତିଶଗଡ଼ରେ ୨୪ଘଣ୍ଟିଆ ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ଯାହାର ସାମାନ୍ୟ ପ୍ରଭାବ ରାୟଗଡ଼ା ଜିଲ୍ଲାରେ ପଡ଼ିନଥିଲା। ତେବେ ବନ୍ଦ ପାଳନ ପାଇଁ ଆହ୍ବାନ ଦେଇ ସଂଗଠନ ପକ୍ଷରୁ କଲ୍ୟାଣସିଂହପୁର ଓ ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ଼ ଅଞ୍ଚଳରେ ପୋଷ୍ଟର୍ ତଥା ବ୍ୟାନର୍ ଲଗାଇଥିଲେ। ଯାହାକୁ ଜବତ କରିବା ପରେ ସୁରକ୍ଷାକର୍ମୀ ସଜାଗ ହୋଇଥିଲେ। ନିୟମଗିରି ପାହାଡ଼ ଅଞ୍ଚଳକୁ ଫୋକସ୍ କରି ଅପରେସନ୍କୁ ଜୋର୍ଦାର କରିଛନ୍ତି। ମୁନିଗୁଡା ଥାନା ଅନ୍ତର୍ଗତ ଶକଟା ଓ କଲ୍ୟାଣସିଂପୁର ଥାନା ଅନ୍ତର୍ଗତ ନାରୀଙ୍ଗତୋଳା ଗାଁରେ ନକ୍ସଲ ପୋଷ୍ଟର ତଥା ବ୍ୟାନର ଜରିଆରେ ଉପସ୍ଥିତି ଜାହିର କରିଥିଲେ। ତେଣୁ ଆଖପାଖ ଅଞ୍ଚଳ ଏବେ ପୁଲିସ ନଜରରେ ରହିଛି। ପୁଲିସ ପକ୍ଷରୁ ପୃଥକ୍ ଭାବେ ନକ୍ସଲଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରାଯାଉଛି।
କିଛି ବର୍ଷ ତଳେ ରାୟଗଡ଼ା ଜିଲ୍ଲାରେ ନକ୍ସଲ ସଂଗଠନ ବେଶ୍ ଶକ୍ତିଶାଳୀ ଥିଲା। ଅବାଧରେ ହିଂସା ଘଟାଇବା ସହ ବନ୍ଧୁକ ମୁନରେ ଆତଙ୍କ ସୃଷ୍ଟି କରୁଥିଲେ। ତେବେ ଅର୍ଦ୍ଧସାମରିକ ବଳ ବିଭିନ୍ନ ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରିବା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ୨ବର୍ଷ ହେଲା ନକ୍ସଲଙ୍କ ପ୍ରଭାବ ସଂପୂର୍ଣ୍ଣ କମିଯିବା ସହ କାଁଭାଁ ଚଳପ୍ରଚଳ ରହିଥିଲା। ଚଳିତ ମାସରେ ନିୟମଗିରି ଅଞ୍ଚଳରେ ପୋଷ୍ଟର ଲଗାଇବା ପରେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ନିୟମଗିରି ପାହାଡ଼ ଅଞ୍ଚଳରେ କିଛି ଗ୍ରାମର ଲୋକ ସଂଗଠନକୁ ସମର୍ଥନ କରୁଥିବା ପୁଲିସ କହୁଛି। ଯାହାକୁ ଖଣ୍ଡନ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା। ପୂର୍ବରୁ ନିୟମଗିରି ପାହାଡ଼କୁ ପ୍ରାୟ ୧୦ବର୍ଷ ଧରି ଅକ୍ତିଆର କରି ରଖିଥିଲେ ନକ୍ସଲ। ହିଂସା ଘଟାଇ ଆତ୍ମଗୋପନ ପାଇଁ ଏହି ପାହାଡ଼କୁ ବ୍ୟବହାର କରୁଥିଲେ। ନିୟମଗିରି ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସହ ପୁଲିସ ଇନ୍ଫର୍ମର ଦର୍ଶାଇ ୬ଜଣ ଡଙ୍ଗରିଆଙ୍କୁ ହତ୍ୟା କରିବାର ନଜିର ରହିଛି। ବାରମ୍ବାର ଅପରେସନ୍ ପରେ ସୁରକ୍ଷା କାରଣରୁ ପାହାଡ଼ ଛାଡ଼ି ଚାଲିଯାଇଥିଲେ। ପୁଣି ପୋଷ୍ଟର ଲାଗିବାରୁ ରାଜ୍ୟ ପୁଲିସ ଓ ସିଆର୍ପିଏଫ୍ ଅପରେସନ୍ ନିମନ୍ତେ ସ୍ବତନ୍ତ୍ର ରଣନୀତି କରିଥିବା ଜଣାପଡ଼ିଛି।