ମାଲକାନଗିରି: ବର୍ଷା ଦିନେ ନକ୍ସଲ ଉଗ୍ର ହୁଅନ୍ତି। ତେଣୁ ସୁରକ୍ଷାକର୍ମୀ ନକ୍ସଲଙ୍କୁ ପ୍ରତିହତ କରିବା ପାଇଁ ସୁରକ୍ଷା ବାହିନୀର ଯବାନମାନେ କମ୍ବିଂ ଅପରେସନ ଜୋରଦାର କରିଛନ୍ତି। ଏବେ ବର୍ଷା ଲାଗି ରହିଥିବା ବେଳେ ବର୍ଷାରେ ଭିଜିଭିଜି ମଧ୍ୟ ଜଂଗଲରେ କମ୍ବିଂ କରୁଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ମୁହୂର୍ତ୍ତରେ ବିପଦ ରହିଥିଲେ ମଧ୍ୟ ନକ୍ସଲ ଦ୍ବାରା କରାଯାଉଥିବା ହିଂସା ଓ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ସୁରକ୍ଷାକର୍ମୀଙ୍କ ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ସମସ୍ତେ ଯବାନଙ୍କୁ ସଲାମ ବୋଲି କହୁଥିବା ଦେଖିବାକୁ ମିଳିଛି।

Advertisment

ମାଲକାନଗିରି ସମେତ ସୀମାନ୍ତ ଛତିଶଗଡ଼ରେ ଏବେ ଜଂଗଲରେ ପଶିଛନ୍ତି ଯବାନ। ଯବାନଙ୍କର ଏଭଳି ଦେଶଭକ୍ତକୁ ମୋବାଇଲରେ କୈଦ କରିଛନ୍ତି ତାଂକର ସାଥୀ ଯବାନ।ଯାହା ଏବେ ଭାଇରାଲ ହେବାକୁ ଲାଗିଛି। ଆବୁଝମାଡ ଜଂଗଲରେ ଯବାନ ଗତ ଦୁଇ ଦିନ ହେଲା ସର୍ଚ୍ଚ ଅପରେସନରେ ଲାଗିଛନ୍ତି। ଜଂଗଲରେ ନା ଖାଇବାକୁ ସମୟ ଅଛି ନା ଶୋଇବାକୁ ଘର ଅଛି।ଲଗାତାର ବର୍ଷାରେ ଭିଜି ଭିଜି କୁମ୍ବିଂ କରିବା ସହ ସବୁବେଳେ ସଜାଗ ରହିବାକୁ ପଡୁଛି। କୌଣସି ମୁହର୍ତ୍ତରେ ନକ୍ସଲ ଆକ୍ରମଣ କରିବାର ଆଶଂକା ରହିଥିବାରୁ ଯବାନ ଅତି ସତର୍କତାର ସହ ପାଦ ଥାପି ଥାପି ଜଂଗଲରେ କୁମ୍ବିଂ କରୁଛନ୍ତି। ବର୍ଷା ଦିନେ ବି ନକ୍ସଲଙ୍କୁ ନିଜର ସ୍ଥିତି ଜାହିର କରିବାକୁ ଦିଆଯିବ ନାହଁ ବୋଲି ଛତିଶଗଡ଼ ଓ ଓଡ଼ିଶା ସରକାର ପଣ କରିଛନ୍ତି।

ମାଲକାନଗିରି ଭିତରେ ଯେପରି ଛତିଶଗଡ଼ ନକ୍ସଲ ନପଶନ୍ତି ସେଥିପାଇଁ ସୀମାନ୍ତରେ ମଧ୍ୟ ଏସଓଜି, ଡିଭିଏଫ ଯବାନ ଲଗାତାର ପଇଁତରା ମାରୁଛନ୍ତି। ଗତ ୬ ମାସ ମଧ୍ୟରେ ଛତିଶଗଡ଼ରେ ୧୩୦ରୁ ଊର୍ଦ୍ଧ୍ବ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନକ୍ସଲ ଆତ୍ମସମର୍ପଣ କରସାରିଲେଣି। ତେବେ ବର୍ଷା ଦିନେ ହୁଏତ ସୁରକ୍ଷାକର୍ମୀ ଆଉ କମ୍ବିଂ କରିବେ ନାହିଁ ବୋଲି ନକ୍ସଲ ଯାହା ଚିନ୍ତା କରିଛନ୍ତି, ତାହା ଭୁଲ ବୋଲି ସୁରକ୍ଷାକର୍ମୀ ଜଂଗଲରେ ପଶି ନକ୍ସଲଙ୍କୁ ଚେତାବନୀ ଦେଇଛନ୍ତି। ଏବେ ନଦୀଗୁଡ଼ିକରେ ପାଣି କ୍ଷୀପ୍ର ଗତିରେ ପ୍ରବାହିତ ହେଉଥିଲେ ମଧ୍ୟ ମାନବ ଶୃଙ୍ଖଳା କରି ଯବାନ ନଦୀ ପାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।ଯାହାକୁ ନେଇ ସରକାର ମଧ୍ୟ ଖୁସି ଜାହିର କରିଛନ୍ତି।ସୁରକ୍ଷାକର୍ମୀଙ୍କର ଏଭଳି ଅବଦାନକୁ ସଲାମ କରାଯାଇଛି।