ଭଞ୍ଜନଗର: ଓଡ଼ିଶାରେ ନକ୍ସଲ୍ ହମ୍‌ଲା ଇତିହାସରେ ନୟାଗଡ଼ ହମ୍‌ଲା ‘ଅପରେସନ୍‌ ରୋପ୍‌ୱେ’ ଓ ନକ୍ସଲଙ୍କ ବିରୋଧରେ ଗସ୍‌ମାହାରେ ଅପରେସନ୍ ପୁଲିସ ବାହିନୀର ପ୍ରଥମ ସମ୍ମୁଖ ଯୁଦ୍ଧ ହେଉଛି ଏକ ଅଭୁଲା ଅଧ୍ୟାୟ। ନକ୍ସଲଙ୍କ ସିରିଜ୍ ଥାନା ଆକ୍ରମଣ, ୧୫ ପୁଲିସଙ୍କୁ ହତ୍ୟା, ପିଟିଏସ୍‌ ଅସ୍ତ୍ରଗାର ଓ ପୁଲିସ ରିଜର୍ଭରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ ଏବଂ ଏହା ପରେ ପରେ ଗଞ୍ଜାମ-କନ୍ଧମାଳ ସୀମା ଗସ୍‌ମାହାରେ ପୁଲିସ ସହ ଗୁଳିବିନିମୟ ଭଳି ଲୋମହର୍ଷଣକାରୀ ଘଟଣାକୁ ଆଜି ୧୫ ବର୍ଷ ପୂରିଛି। ୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିରେ ମାଓବାଦୀମାନେ ନୟାଗଡ଼ ଥାନା, ପୁଲିସ ରିଜର୍ଭ ଅସ୍ତ୍ରାଗାର, ପିଟିଏସ୍ ଅସ୍ତ୍ରାଗାର, ନୂଆଁଗା ଓ ଦଶପଲ୍ଲା ଥାନା ଉପରେ ଅତର୍କିତ ଭାବେ ହମ୍‌ଲା କରିଥିଲେ। ସେମାନଙ୍କ ଗୁଳିରେ ୧୫ ପୁଲିସ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହାପରେ ସେମାନେ ଅସ୍ତ୍ରାଗାରରୁ ଲକ୍ଷାଧିକ ଗୁଳି ଓ ବନ୍ଧୁକ ଲୁଟି ନେଇଥିଲେ। ଏହି ଅପରେସନ୍‌କୁ ମାଓବାଦୀମାନେ ‘ଅପରେସନ୍ ରୋପ୍‌ୱେ’ ବୋଲି ପରେ ଏକ ଇସ୍ତାହାରରେ ସ୍ପଷ୍ଟ କରିଥିଲେ। ଯାହାର ରଣକ୍ଷେତ୍ର ପାଲଟିଥିଲା ଗସ୍‌ମାହା। ଏହାପରେ ଲାଲ୍‌ବାହିନୀ ନୟାଗଡ଼ ଜିଲ୍ଲାରୁ ସୁରକ୍ଷିତ ସ୍ଥାନ ଖୋଜି କରିଡର୍‌ କରିଥିଲେ ଗଞ୍ଜାମର ବରବରା ଜଙ୍ଗଲକୁ। ଭଞ୍ଜନଗର ବ୍ଲକ୍ ଓ ତାରସିଂ ଥାନା ଅଧୀନ ଗାଲେରୀ ଫାଣ୍ଡିରେ ପଶି ହିଂସାକାଣ୍ଡ ଭିଆଇବା ପରେ ଏହାକୁ ଉଡ଼ାଇ ଦେଇଥିଲେ। ସେହି ଧ୍ବସ୍ତବିଧ୍ବସ୍ତ ଫାଣ୍ଡି ଆଜି ବି ଏହି ଘଟଣାର ମୂକସାକ୍ଷୀ ଭାବେ ଛିଡ଼ା ହୋଇଛି।

Advertisment

ଫେବ୍ରୁଆରି ୧୬ ତାରିଖରେ ଗସ୍‌ମାହା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ଏସ୍‌ଓଜି ଆସିଷ୍ଟାଣ୍ଡ କମା‌ଣ୍ଡେଣ୍ଟ୍ ପ୍ରମୋଦ ଶତପଥୀଙ୍କ ସମେତ ୩ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏଥିରେ କିଛି ମାଓବାଦୀ ନିହତ ହୋଇଥିବା ସରକାର ଦାବି କରିଥିଲେ। ଏହାପରେ ୧୭ ତାରିଖରେ ଆରମ୍ଭ ହୋଇଥିଲା ପୁଲିସ ବାହିନୀର ବିଶାଳ ଅପରେସନ୍। ଦିଲ୍ଲୀରୁ ବାୟୁସେନାର ହେଲିକପ୍ଟର୍ ଯୋଗେ ସିଆରପିଏଫ୍ ବାହିନୀ ଓ ଆନ୍ଧ୍ରପ୍ରଦେଶର ଗ୍ରେ ହାଉଣ୍ଡ୍‌ ଯବାନ ଅପରେସନ୍‌ରେ ସାମିଲ ହୋଇଥିଲେ। ୧୮ ତାରିଖରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଗସ୍‌ମାହା ଜଙ୍ଗଲ ଭିତରୁ ବିପୁଳ ପରିମାଣରେ ଲୁଟ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର କରା ଯାଇଥିଲା।

publive-image

ଏହାମଧ୍ୟରେ ଲାଲ୍‌ବାହିନୀର ଏହି ରକ୍ତରଂଜିତ ଅଧ୍ୟାୟକୁ ୧୫ ବର୍ଷ ପୂରିଛି। ଯେଉଁ ଗସ୍‌ମାହା ଜଙ୍ଗଲ ଦିନେ ପୁଲିସ ବାହିନୀର ଛାଉଣିରେ ରହିଥିଲା, ସେଠାରେ ନିରବତା ରାଜୁତି କରୁଛି। ବେଳେବେଳେ ଯବାନ ଏଠାରେ ପଇଁତରା ମାରୁଥିବା ଗ୍ରାମବାସୀ କହିଛନ୍ତି। ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଟିବାରେ ବ୍ୟବହାର କରିଥିବା ଗାଡ଼ି ଓ ପୋଡ଼ି ଯାଇଥିବା ଗାଡ଼ି ଆଜି ବି ସେଠାରେ ସେମିତି ପଡ଼ିରହି କଳଙ୍କି ଲାଗି ସେ ଦିନର ସ୍ମୃତିକୁ ତାଜା କରୁଛି। ତେବେ କନ୍ଧମାଳ, ଗଞ୍ଜାମ ଓ ନୟାଗଡ଼କୁ ଯୋଗାଯୋଗ ପାଇଁ ଏବେ ବି ଲାଲ୍‌ବାହିନୀ କରିଡ଼ର୍ ଭାବେ ବ୍ୟବହାର କରୁଥିବା ଆଶଙ୍କାକୁ ଅସ୍ବୀକାର କରାଯାଇ ନପାରେ ବୋଲି ମତପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଗସ୍‌ମାହା ଭଞ୍ଜନଗରର ନିକଟତର ହୋଇଥିଲେ ହେଁ, ଏହା କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଚାହାଳି ପଞ୍ଚାୟତ ଅଧୀନରେ ଆସୁଛି। ଯେଉଁଠି ଆଜି ବି ସରକାରଙ୍କ ବିକାଶମୂଳକ ଯୋଜନା ଅପହଞ୍ଚ। ଯେଉଁଠିକୁ ଦିନେ ରାଜ୍ୟର ପୁଲିସ ମୁଖିଆଙ୍କ ଠାରୁ ଆରମ୍ଭ କରି ଶତାଧିକ ଯବାନଙ୍କ ସୁଅ ଛୁଟିଥିଲା ସେହି ଇଲାକା ଆଜି ଏକ ଅଜଣା ଭୂଖଣ୍ଡ ପାଲଟିଛି। ଦୁର୍ଗମ ଇଲାକାବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରି ନାହାନ୍ତି। ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ୍, ପାନୀୟଜଳ ଓ ସ୍ବାସ୍ଥ୍ୟ ଭଳି ‌ମୌଳିକ ସୁବିଧା ଯୋଗାଇବାରେ ସଫଳ ହୋଇପାରି ନାହାନ୍ତି। ଗ୍ରାମର କୋଠଘରେ ଚାଲିଥିବା ପ୍ରାଥମିକ ଶିକ୍ଷା ମଧ୍ୟ କିଛିବର୍ଷ ହେଲା ବନ୍ଦ ହୋଇଯାଇଛି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାଙ୍କୁ ନିଧିବେଣିଆ ଗ୍ରାମକୁ ଯିବାକୁ ପଡ଼ୁଛି। ସେହିପରି କାହାର ସ୍ବାସ୍ଥ୍ୟ ଖରାପ ହେଲେ, ୧୦ କିଲୋମିଟର ଦୂର ଗଞ୍ଜାମ ଜିଲ୍ଲାର ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏକମାତ୍ର ଭରସା। କିନ୍ତୁ ଗୁରୁତର ରୋଗୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଉଳ ଓ ଭତ୍ତା ଆଣିବାକୁ ହିତାଧିକାରୀଙ୍କୁ ୧୦ରୁ ୧୨ କିଲୋମିଟର ଦୂର ଚାହାଳି ଗ୍ରାମକୁ ଜଙ୍ଗଲ ଏବଂ ପାହାଡ଼ିଆ ରାସ୍ତା ଦେଇ ଯିବାକୁ ପଡ଼ୁଛି। ସେହିପରି ବ୍ଲକ୍ କାର୍ଯ୍ୟାଳୟ ସହ ସିଧାସଳଖ ‌ଯୋଗାଯୋଗର ସୁବିଧା ନାହିଁ। ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ଗସ୍‌ମାହା ଗ୍ରାମବାସୀଙ୍କ ପାଇଁ ବିକାଶଷ ଯେମିତି ସାତସପନ ପାଲଟିଛି।