ବଡ଼ ଅଘଟଣ ଘଟାଇବା ପୂର୍ବରୁ ଧରାପଡ଼ିଗଲେ ମାଓବାଦୀ, ୨ ନକ୍ସଲ ନିହତ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

କୋରାପୁଟ/ବୈପାରିଗୁଡା: ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ମାଓଦୁର୍ଗ ଭୁଶୁଡ଼ିବାରେ ଲାଗିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ମାଳିପଦର ଜଙ୍ଗଲରୁ ଆଜି ସ୍ଥାନୀୟ ପୁଲିସ ସହାୟତାରେ ଏସ୍ଓଜି ଯବାନମାନେ ବଡ଼ଧରଣ ସଫଳତା ହାସଲ କରିଛନ୍ତି। ଯବାନମାନେ ସର୍ଚ୍ଚ ଅପରେସନ ସମୟରେ ବ୍ୟାପକ ମାଓସାମଗ୍ରୀ ଜବତ କରିଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀମାନେ ବଡ଼ଧରଣର ଅଘଟଣ ଘଟାଇଥାନ୍ତେ ବୋଲି ସନ୍ଦେହ କରାଯାଉଛି।

କୋରାପୁଟ ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ, ସର୍ଚ୍ଚ ଅପରେସନ ସମୟରେ ୩ଟି ଦେଶୀ ବନ୍ଧୁକ, ମାଓବାଦୀଙ୍କ ୨ଟି ପୋଷକ, ବିସ୍ଫୋରକ ସାମଗ୍ରୀ, ତାସ୍‌, ମୋବାଇଲ୍‌ ଚାର୍ଜର, ଖାଲି ବୁଲେଟ୍‌ କେସ୍‌, ଟିଫିନ୍‌ ବୋମା, ପଲିଥିନ୍‌, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ମାଓକ୍ୟାମ୍ପରୁ ଠାବ ହୋଇଛି।

ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗତକାଲି ବୈପାରିଗୁଡ଼ା ଓ ଏସ୍‌ଓଜି ଯବାନମାନେ ମିଳିତ ଭାବେ ସର୍ଚ୍ଚ ଅନରେସନରେ ବାହାରିଥିଲେ। ମାଳିପଦର ଜଙ୍ଗଲରେ ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇ ପଡ଼ିଥିଲେ। ଉଭୟ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ୨  ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସ୍ପଷ୍ଟ କରିଛନ୍ତି ।

ଏସଓଜି ଯବାନ ମଧ୍ୟରାତିରେ କମ୍ବିଂ ଅପରେସନ କରୁଥିବା ସମୟରେ ଜଙ୍ଗଲରେ ପାଖାପାଖି ୨୦ରୁ ଊର୍ଦ୍ଧ୍ବ ମାଓବାଦୀ ଶିବିର କରି ରହିଥିବା ଜଣାପଡ଼ିଥିଲା। ଦୁଇ ନକ୍ସଲନଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାସ୍ଥଳରେ ବିଏସଏଫ ଫୋର୍ସ ମୁତୟନ କରାଯାଇଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର