ନକ୍ସଲ-ପୁଲିସ ଗୁଳିବିନିମୟ, ବହୁ ନକ୍ସଲ ମୃତାହତ!

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିୟ ଘଟିଛି। ଏଥିରେ ବହୁ ନକ୍ସଲ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲାର ନକ୍ସଲ ପ୍ରବଣ ତାଡୋକି ଅଞ୍ଚଳର କୋସରୋଣ୍ଡା ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ଆଜି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଡିଆରଜି ଏବଂ ଏସଏସବି ଯବାନ ସର୍ଚ୍ଚ ଅପରେସନରେ ବାହାରି ଥିଲେ। ଯବାନଙ୍କୁ ଦେଖିବା ମାତ୍ରେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ଘଟିଥିବା ଏସ୍‌ପି ସଲଭ ସିହ୍ନା ପ୍ରକାଶ କରିଛନ୍ତି।

ତେବେ ଘଞ୍ଚ ଜଙ୍ଗଲ ହୋଇଥିବାରୁ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ବହୁ ସ୍ଥାନରେ ରକ୍ତ ଛିଟା ପଡ଼ିଥିବାରୁ ଅନେକ ନକ୍ସଲ ମୃତାହତ ହୋଇଥିବାନେଇ ପୁଲିସ ଆଶଙ୍କା କରୁଛି। ମୃତାହତ ନକ୍ସଲଙ୍କୁ ତାଙ୍କ ସାଥୀ ଉଠାଇ ନେବାରେ ସଫଳ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି। ତେବେ ଏବେ ବି ଏହି ଅଞ୍ଚଳରେ ଯବାନ ପକ୍ଷରୁ କୁମ୍ବିଂ ଅପରେସନ କରାଯାଉଥିବା ସୂଚନା ମିଳିଛି। ତେବେ କେତେ ନକ୍ସଲ ମୃତାହତ ହୋଇଛନ୍ତି ନେଇ ସଠିକ୍‌ ତଥ୍ୟ ହସ୍ତଗତ ହୋଇପାରିନି।

ସମ୍ବନ୍ଧିତ ଖବର