ନକ୍ସଲ ପୋଷ୍ଟରରେ ଆନ୍ଧ୍ର ଜମି ମାଫିଆଙ୍କୁ ଧମକ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସମ୍ମୁଖ କାନ୍ଥରେ ନକ୍ସଲ ନାଁରେ ଲାଗିଥିବା ଏକ ପୋଷ୍ଟରକୁ ନନ୍ଦପୁର ପୁଲିସ ଜବତ କରିଛି। ଏହି ପୋଷ୍ଟରରେ ସିପିଆଇ ମାଓବାଦୀ ଉଲ୍ଲେଖ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର କିଛି ଜମି ମାଫିଆ ସ୍ଥାନୀୟ ଅଞ୍ଚଳର ଚାଷ ଜମି କିଣି ଗଛ ଲଗାଇ ଜମି ଗୁଡିକୁ ନିଜ କବଜାକୁ ନେଉଥିବାରୁ ଏହାକୁ ଏହି ପୋଷ୍ଟରରେ ବିରୋଧ କରାଯାଇଛି। ଆନ୍ଧ୍ରର ଜମି ମାଫିଆ ଏହି ଅଞ୍ଚଳରେ ଗଛ ଲଗାଉଥିବାରୁ ଦୁଇ ଦୁଇ ଥର ଚିଠି ମାଧ୍ୟମରେ କାମ ବନ୍ଦ କରିବାକୁ ଜଣାଯାଇଛି। ତେବେଏହାପରେ ବି ଗଛ ଲଗା କାମ ବନ୍ଦ ହେଉନଥିବାରୁ ଅସୁବିଧା ହେବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ସେହିପରି ବନ୍ଧୁଗାଁ, ନାରାୟଣପାଟଣାରେ ମଧ୍ୟ ଗଛ ଲଗାଇବା ଆଳରେ ଜମି ଗୁଡିକୁ ନିଜ କବଜାକୁ ନିଆଯାଉଥିବା ନେଇ ଏଥିରେ ଲେଖା ହୋଇଛି। ନନ୍ଦପୁର ପୁଲିସ ଏହି ପୋଷ୍ଟରକୁ ଜବତ କରିଥିବା ବେଳେ ଏହା ନକଲି ବୋଲି ପୁଲିସ କହିଛି। କିଏ ଏହି ପୋଷ୍ଟର ମାରିଛି ସେନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚନ୍ଦ୍ରଶେଖର ଶବର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର