ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲଙ୍କ ହିଂସାକାଣ୍ଡ ଥମୁନି। ଏବେ ନକ୍ସଲ ସଙ୍ଗଠନ ଆଡ୍ଡା ପାଲଟିଛି ସୀମାନ୍ତ କୋହ୍ଲାଣ ଜଙ୍ଗଲ। ଉଭୟ ଯବାନ ଓ ପୁଲିସଙ୍କୁ ଖୋଲା ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଯାଉଛନ୍ତି। ନକ୍ସଲ ଶିବିର କରି ହିଂସାକାଣ୍ଡର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ସଙ୍ଗଠନକୁ ସୁଦୃଢ଼ କରିବାକୁ ପାଣ୍ଠି ଯୋଗାଡ ପାଇଁ ଯୋଜନା କରୁଛନ୍ତି। ଆଜି ଦକ୍ଷିଣ ଜୋନାଲ କମିଟି ପ୍ରବକ୍ତା ଅଶୋକ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଛନ୍ତି। ସଂଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜଙ୍ଗଲ ଅଞ୍ଚଳରେ କୌଣସି ଗାଡ଼ି ଚଳାଚଳ ନ କରିବା। ଯେଉଁମାନେ ଯବାନ ଓ ସ୍ଥାନୀୟ ପୁଲିସ କର୍ମଚାରୀଙ୍କୁ ଗାଡ଼ି ଯୋଗାଇ ଦେବେ ଓ ସହାୟତା କରିବେ, ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଉଡାଇ ଦିଆଯିବ। ଏଥିପାଇଁ ସରକାର ଓ ପୁଲିସ ସମ୍ପୂର୍ଣ୍ଣ ଦାୟୀ ରହିବେ।

Advertisment

ଗତ ସେପ୍ଟେମ୍ବର ୨୨ରେ ସିଆର୍‌ପିଏଫ୍‌ ଯବାନଙ୍କୁ ଗାଡ଼ି ଦେଇଥିବା ଜଣେ ଟ୍ରାକ୍ଟର ଚାଳକ ଓ ଖଲାସିଙ୍କୁ ମହଙ୍ଗା ପଡ଼ିଥିଲା। ଲ୍ୟାଣ୍ଡ ମାଇନ୍‌ ବିସ୍ଫୋଣରେ ଟ୍ରାକ୍ଟର ଉଡାଇ ଦିଆଯାଇଥିଲା। ଖଲାସି ଲୋବୋ ଗୋପ୍‌ଙ୍କର ମୃତ୍ୟୁ ହୋଇଥିଲା। ଚାଳକ ପକଲୁ ବୋଦ୍ରା ଗୁରୁତର ହୋଇଥିଲେ। ଏଣୁ ସିଆର୍‌ପିଏଫ୍‌ ଓ ରିଜର୍ଭ ପୁଲିସ୍‌ କ୍ୟାମ୍ପର କୌଣସି ସାମଗ୍ରୀ ନ ନେବାକୁ ପୋଷ୍ଟରରେ ଚେତାଇ ଦିଆଯାଇଛି। ଏମିତି ଧମକପୂର୍ଣ୍ଣ ‌ପୋଷ୍ଟର ଲାଗିବା ପରେ ସୀମାନ୍ତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷ କରି ଗାଡ଼ି ମାଲିକମାନେ ସଂଧ୍ୟା ପରେ ଜଙ୍ଗଲ ରାସ୍ତା ଦେଇ ଗାଡ଼ି ଚଳାଚଳ ନ କରିବାକୁ ଚାଳକମାନଙ୍କୁ ଦାଗିଦ୍‌ କରିଛନ୍ତି। ଧମକପୂର୍ଣ୍ଣ ପୋଷ୍ଟରକୁ ସ୍ଥାନୀୟ ପୁଲିସ ଜବତ କରିଛି। ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ଜଙ୍ଗଲ ରାସ୍ତାରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରିଛି।

publive-image

ଗତ ସପ୍ତାହ ତଳେ କୋହ୍ଲାଣ ଜଙ୍ଗଲରେ ଯବାନ-ନକ୍ସଲ ଗୁଳିବିନିମୟରେ ହୋଇଥିଲା। ଯବାନମାନଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଚମରା ଦା’ର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚମରାର ଶବକୁ ନକ୍ସଲମାନେ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ୩ ମାସ ମଧ୍ୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଓ ଗୁଳିବିନିମୟରେ ୧୦ ରୁ ଅଧିକ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶା କେନ୍ଦୁଝର ଜିଲ୍ଲାର ଜଣେ ଯବାନଙ୍କ ସହ ମୋଟ ୩ ଜଣ ସହିଦ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରୁଥିଲେ ହେଁ ନକ୍ସଲ ନେତା ମିସ୍‌ରି ବେସ୍ରା ଓ ତା’ର ସହଯୋଗୀ ଏଯାଏଁ ଗିରଫ କରିପାରି ନାହାନ୍ତି। ଗତ ୨୦୨୩ ଅଗଷ୍ଟ ୧୧ରେ ଝାଡ଼ଖଣ୍ଡ ପଶ୍ଚିମସିଂହ ଭୂମ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ କୋହ୍ଲାଣ ଜଙ୍ଗଲରେ ନକ୍ସଲ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳିକାଣ୍ଡରେରେ ସିଆର୍‌ପିଏଫ୍‌ ୬୦ ବଟାଲିୟନର ହାବିଲଦାର ମୁନ୍ନାଲାଲ୍‌ ଯାଦବ ଗୁରୁତର ହୋଇଥିଲେ।

ହେଡ୍‌ କନେଷ୍ଟବଳ କେନ୍ଦୁଝର ଆନନ୍ଦପୁରର ଖୁଣ୍ଟିଆ ସାହିତର ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ଦୁର୍ଦ୍ଦାନ୍ତ ନକ୍ସଲ ମିସ୍‌ରି ବେସ୍‌ରା, ଅନମୋଲ, ମୋଚ୍ଛୁ, ଚମନ, ଅଜୟ ମହାତୋ, ସାଗେନ ଅଙ୍ଗରିଆ, ଅଶ୍ବିନୀ କୋହ୍ଳାଣ ଜଙ୍ଗଲରେ ଲୁଚିଥିବା ସିଆର୍‌ପିଏଫ୍‌ ଯବାନଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ଦିନ ପ୍ରାୟ ୧୦ଟାରେ ସିଆର୍‌ପିଏଫ୍‌ ଯବାନ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲୁଥିବା ଜାଣିବା ପରେ ସେଠାରୁ ଖସିଯିବାକୁ ମିସ୍‌ରି ‌ବେସ୍ରା ଓ ଅନ୍ୟମାନେ ଜଙ୍ଗଲ ଭିତରୁ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଜବାବରେ ସିଆର୍‌ପିଏଫ୍‌ ଯବାନ ପାଲଟା ଗୁଳି ଚଳାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଗୁଳିରେ ସୁଶାନ୍ତ ସହିତ ହୋଇଥିଲେ। ମୁନ୍ନାଲାଲ୍‌ ଗୁରୁତର ହୋଇଥିଲେ। ୫ ଦିନ ପରେ ଅର୍ଥାତ୍‌ ୧୬ରେ ନକ୍ସଲମାନଙ୍କ ଗୁଳିରେ ଝାଡଖଣ୍ଡ ଜାଗୁଆର ପୁଲିସ୍‌ର ଦୁଇ ଜଣ ଯବାନ ସହିଦ ହୋଇଥିଲେ। ସହିଦ ଜବାନ ଦ୍ବୟ ‌ହେଲେ ସବ୍‌ ଇନ୍ସପେକ୍ଟର ଅମିତ କୁମାର ତିୱାରୀ ଓ କନେଷ୍ଟବଳ ଗୌତମ ରଣା।