ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସ୍ଥାନୀୟ ଆଦିବାସୀଙ୍କୁ ନିଜ ଜମି ବଙ୍ଗାଳୀ ସଂପ୍ରଦାୟର ଲୋକମାନଙ୍କୁ ନ ଦେବା ପାଇଁ ଉକ୍ତ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଥିବା ଜଣାପଡିଛି।

Advertisment

ସୂଚନା ଅନୁଯାୟୀ ଆଜି ସ୍ଥାନୀୟ ବ୍ଲକର ହଳଦୀ, ହାତିଗାଁ, କୁରାବେଡା, ନାକଟିସମଡ଼ା, ମୁଣ୍ଡିବେଡା, ଗୋନା ଓ କୁନ୍ଦେଇ ଆଦି ଉପାନ୍ତ ଅଞ୍ଚଳର ରାସ୍ତାକଡ଼  ଏବଂ ଛକ ଜାଗାଗୁଡ଼ିକରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ପୋଷ୍ଟର ଗୁଡ଼ିକରେ ସ୍ଥାନୀୟ ବଙ୍ଗାଳୀ ସଂପ୍ରଦାୟର ଲୋକଙ୍କୁ ଥଇଥାନ ସମୟରେ ଭାରତ ସରକାର ପଟ୍ଟା ଜମି ଦେଇଥିଲେ। କିନ୍ତୁ ଆଦିବାସୀଙ୍କୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲଜମି ପଟ୍ଟା ପ୍ରଦାନ କରିବାରେ ସରକାର ସଫଳ ହୋଇ ପାରି ନାହିଁ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ନିଜ ଜମି କୌଣସି ବଙ୍ଗାଳୀ ସଂପ୍ରଦାୟର ଲୋକଙ୍କୁ ଚାଷ କରିବାକୁ ଦିଅନ୍ତୁ ନାହିଁ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି।

ଅପରପକ୍ଷରେ ୨୦୦୬ ମସିହା ଠାରୁ ଆଦିବାସୀଙ୍କୁ ଜମି ପଟ୍ଟା ଦେବା ନିମନ୍ତେ ନିୟମ ହେଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ବହୁ ଜଣଙ୍କୁ ଏହା ମିଳିପାରି ନାହିଁ ଉଲ୍ଲେଖ କରିବା ସହିତ ଯେଉଁ ବଙ୍ଗାଳୀ ଲୋକ ଆଦିବାସୀଙ୍କ ଜମି ଚାଷ କରୁଛନ୍ତି ସେମାନେ ତୁରନ୍ତ ସେମାନଙ୍କୁ ଫେରାଇ ଦିଅନ୍ତୁ ବୋଲି ମାଓ ପୋଷ୍ଟରରେ ଦାବି ହୋଇଛି। ଏହି ସବୁ ପୋଷ୍ଟର ଉଦନ୍ତି ଏରିଆ କମିଟି ତରଫରୁ ମରାଯାଇଥିବା ଜଣାପଡିଛି।