ସହିଦ ଦିବସ ପାଳନ ନେଇ ସଜବାଜ; ପ୍ରେସ ବିଜ୍ଞପ୍ତି ଜାରି କଲେ ନକ୍ସଲ

ମାଲକାନଗିରି: ପଡୋଶୀ ଆନ୍ଧ୍ରପ୍ରଦେଶ ,ତେଲେଙ୍ଗାନା ଏବଂ ଛତିଶଗଡରେ ନକ୍ସଲ ଏବେ ଆସନ୍ତା ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ସହିଦ ଦିବସ ପାଇଁ ସଜବାଜ ହେଉଛନ୍ତି। ସହିଦ ଦିବସ ପାଇଁ ନକ୍ସଲ ଏକ ପ୍ରକାର ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଏହି ସହିଦ ଦିବସରେ କିପରି ଶତାଧିକ ଲୋକ ରୁଣ୍ଡ ହୋଇ ଏହି ଦିବସକୁ ପାଳନ କରିବେ ସେନେଇ ସୀମାନ୍ତ ଗ୍ରାମଗୁଡିକରେ ଏବେ ନକ୍ସଲ ବ୍ୟାନର ଏବଂ ପୋଷ୍ଟର ମାରିସାରିଲେଣି।

ସୀମାନ୍ତ ଆନ୍ଧ୍ର ଏବଂ ଓଡିଶାର ଗ୍ରାମଗୁଡିକରେ ଏବେ ନକ୍ସଲ ପୋଷ୍ଟର ମାରୁଥିବା ଦେଖିବାକୁ ମିଳିଛି। ଜୟଶଂକର ମୁଲୁଗୁ ଵାରଙ୍ଗଲ ପେଦ୍ଦାପାଲି ଏରିଆ କମିଟି ତରଫରୁ ସଚିବ ଭେଙ୍କେଟେସ ପ୍ରେସ ବିଜ୍ଞପ୍ତିରେ ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ଦିବସ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଏହି ଦିନରେ ଯେପରି ବହୁ ସଂଖ୍ୟାରେ ଲୋକ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବେ ସେନେଇ ଆହ୍ବାନ ଦେଇଛନ୍ତି। ନିକଟରେ ପୁଲିସ ସହ ଗୁଳିବିନିମୟରେ ମୃତ୍ୟୁବରଣ କରିଥିବା ନକ୍ସଲ ସମେତ ପୂର୍ବରୁ ମୃତ୍ୟୁବରଣ କରିଥିବା ନକ୍ସଲମାନଙ୍କ ଉଦେଶ୍ୟରେ ଏହି ସହିଦ ଦିବସ ନକ୍ସଲ ପାଳନ କରିବେ।ବିଭିନ୍ନ ସ୍ଥାନରେ ସହିଦସ୍ତମ୍ଭ ନିର୍ମାଣ କରିବା ସହ ସେହି ସହିଦସ୍ତମ୍ଭରେ ମୃତ ନକ୍ସଲମାନଙ୍କ ନାମ ଉଲ୍ଲେଖ ରହିବ। ପରେ ସହିଦସ୍ତମ୍ଭର ଚାରିପଟେ ଲୋକେ ନାଚଗୀତ ଗାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।

ଏହି ଅବସରରେ ନକ୍ସଲମାନଙ୍କ ନାଟ୍ୟମଣ୍ଡଳୀ ତରଫରୁ ନକ୍ସଲଙ୍କର ବିଭିନ୍ନ ଜନହିତକାର କାର୍ଯ୍ୟ ସବୁ ଲୋକମାନଙ୍କୁ ନାଟ ମାଧ୍ୟମରେ ବୁଝାଯିବ। ପୁଲିସ ଏବଂ ସରକାର କିପରି ଲୋକଙ୍କୁ ନିର୍ଯାତନା ଦେଉଛନ୍ତି ଏବଂ ଲୁଟୁଛନ୍ତି ସେନେଇ ମଧ୍ୟ ଲୋକଙ୍କୁ ବୁଝାଯିବ। ତେବେ ସହିଦ ସପ୍ତାହକୁ ଆଖିଆଗରେ ରଖି ମାଲକାନଗିରି ସମେତ ପଡୋଶୀ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୁଲିସ ତରଫରୁ ଘନ ଘନ କୁମ୍ବିଂ ଆରମ୍ଭ ହୋଇସାରିଲାଣି। ଏହି ସମୟରେ ନକ୍ସଲ ହିଂସାତ୍ମକ ହୋଇପଡୁଥିବାରୁ କୌଣସି ଅଘଟନକୁ ଏଡାଇବା ପାଇଁ ଜୋରସୋରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପୁଲିସକୁ ଚ୍ୟାଲେଞ୍ଜ କରି ନକ୍ସଲ ଏହି ଦିବସ ଦୁର୍ଗମ ଏବଂ ଅପହଞ୍ଚ ଅଂଚଳରେ ପାଳନ କରିବାରେ ସଫଳ ହେଉଛନ୍ତି। ଏଥର ନକ୍ସଲ ଏହି ଦିବସ କିପରି ମନାଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର