ବନ୍ଦପାଳନ ସପ୍ତାହରେ ମାଓ ହିଂସା: ଯାତ୍ରୀବାହୀ ବସ୍‌ ପୋଡ଼ିଲେ

ମାଲକାନଗିରି: ସପ୍ତାହ ବ୍ୟାପୀ ବନ୍ଦ ପାଳନ ପାଇଁ ନକ୍ସଲ ଆହ୍ବାନ ଦେବାପରେ ବିଚ୍ଛିନ୍ନାଞ୍ଚଳରେ ଘନଘନ ପ୍ରଜାମେଳି ଜାରି ରଖିଛନ୍ତି। ଅନ୍ୟପଟେ ବନ୍ଦ ଡାକରା ସତ୍ତ୍ବେ ମାଲକାନଗିରି ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ଯାହାକୁ ଦୃଷ୍ଟିରେ ରଖି ଆତଙ୍କ ସୃଷ୍ଟି ପାଇଁ ଗତକାଲି ରାତିରେ ହିଂସା ଘଟାଇଛନ୍ତି ନକ୍ସଲ। ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗୁଡାଠାରେ ଗୋଟିଏ ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ରାତି ପ୍ରାୟ ୮ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରାୟ ୨୫ରୁ ୩୦ ସଶସ୍ତ୍ର ନକ୍ସଲ ମହୁପଦର ପହଞ୍ଚିଥିଲେ। ଟେମରୁପାଲ୍ଲୀ ଠାରୁ ମୋଟୁ ଯାଉଥିବା ନଡ଼ିଆ ରାଣୀ ନାମକ ଘରୋଇ ବସ୍‌କୁ ରାସ୍ତାରେ ଅଟକାଇଥିଲେ। ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇବା ସହ ସମସ୍ତଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ। ବସ୍ କର୍ମଚାରୀଙ୍କୁ କିଛି ଦୂରକୁ ନେଇଯାଇ ନିସ୍ତୁକ ପଡ଼ିତିଲେ। ସମାଧାନ ବିରୋଧୀ ସପ୍ତାହ ପାଳନ ପାଇଁ ଆହ୍ବାନ ଦିଆଯିବା ସତ୍ତ୍ବେ ବସ୍ ଚଳାଚଳ କରୁଥିବାରୁ ଆଗକୁ ଆଉ ଏମିତି ନକରିବାକୁ ତାଗିଦ୍ କରିବା ସହ ଚେତାବନୀ ମଧ୍ୟ ଦେଇଥିଲେ। ଦରଭା ଡିଭିଜନର ନକ୍ସଲ ଏହି କାଣ୍ଡ ଘଟାଇଥିବା କୁହାଯାଉଛି। ଗତକାଲିର ଘଟଣା ପରେ କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସେହିପରି ବସ୍ ପୋଡ଼ିବା ପରେ ମହୁପଦର ଅଂଚଳରେ ପୋଷ୍ଟର ଏବଂ ବ୍ୟାନର ମାରିଛନ୍ତି। ସମାଧାନ ବିରୋଧ ସପ୍ତାହକୁ ଗାଁ ଗାଁରେ ପାଳନ କରିବା ସହ ଯୁଦ୍ଧରେ ହିଁ ସମାଧାନ ହୋଇପାରିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସରକାରୀ ତଥା ଦୂରଗାମୀ ବେସରକାରୀ ବସ୍ ଚଳାଚଳ ଏହି ସପ୍ତାହ ପାଇଁ ବନ୍ଦ ରହିଥିଲା। ଅଳ୍ପ କେତେକ ଘରୋଇ ବସ୍ ଚଳାଚଳ କରୁଥିଲା। ଯାହାକି ଗତକାଲିର ଘଟଣା ପରେ ଆଉ ଚଳାଚଳ କରିବ ନା’ ନାହିଁ ସନ୍ଦେହ ପ୍ରକାଶ ପାଇଛି। ଏଥିଯୋଗୁଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅର୍ଧସାମରିକ ବଳ ଯାବାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର