ନକ୍ସଲଙ୍କ ସହିଦ ସପ୍ତାହ ଶେଷ: ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅଘଟଣ ଘଟାଇ ପାରିଲେନି ମାଓବାଦୀ

ମାଲକାନଗିରି: ପ୍ରତିବର୍ଷ ମାଓବାଦୀ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରନ୍ତି। ତେବେ ଚଳିତ ବର୍ଷ ସହିଦ ସପ୍ତାହରେ ନକ୍ସଲ କୌଣସି ଅଘଟଣ ଘଟାଇବାରେ ସଫଳ ହୋଇପାରି ନାହାନ୍ତି। ଗତ ତିରିଶି ବର୍ଷ ମଧ୍ୟରେ ନକ୍ସଲ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସହିଦ ସପ୍ତାହ ପାଳନ କରିପାରି ନାହାନ୍ତି।ଏଥିସହ ସହିଦ ସ୍ତମ୍ଭ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଥିଲେ।

୨୦୨୧-୨୨ରେ ମୃତ୍ୟୁବରଣ କରିଥିବା ତିନି ଜଣ କ୍ୟାଡର ନକ୍ସଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଏହି ସହିଦ ଦିବସରେ ଦେଇପାରିଲେ ନାହିଁ। ସେମାନେ ହେଲେ ମାଓ ସଂଗଠନର ସିସିଏମ ଆକିରାଜୁ ହରଗୋପାଲ ଅରଫ ଆରକେ। ଆରକେ ଗତ ୨୦୨୧ ଅକ୍ଟୋବର ମାସର ୧୪ ତାରିଖ ଦିନ ମୃତ୍ୟୁବରଣ କରିଥିଲା। ସେହିପରି ମାଓନେତା ତଥା ଡିସିଏମ ପଦରେ ରହିଥିବା ଦେବା ମାଢି ଅରଫ ରଣଦେବ ମଧ୍ୟ ଗତ ୨୦୨୧ ମସିହା ଜୁନ ମାସରେ ଆନ୍ଧ୍ର ପୁଲିସ ହାତରେ ମୃତ୍ୟୁବରଣ କରିଥିଲା।ଶେଷରେ ମୁକ୍କା ସୋଡି ଅରଫ ଅନୀଲ ମାଓ ସଂଗଠନର ଏସିଏମ ପଦରେ ନିୟୋଜିତ ଥିଲା। ସେ ମଧ୍ୟ ଗତ ୨୦୨୧ ଅକ୍ଟୋବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲା। ଏହି ତିନି ମାଓନେତାଙ୍କୁ ସଂଗଠନ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି ଦେଇପାରିନଥିଲା।ଯାହାକୁ ନେଇ ନକ୍ସଲ ସଂଗଠନରେ କ୍ଷୋଭ ପ୍ରକାଶ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାରେ ବିଏସଏଫ ଏବଂ ପୁଲିସ ତରଫରୁ ଘନ ଘନ ଚଢାଉ ଜାରି ରହିବା ଯୋଗୁଁ ନକ୍ସଲ ଏହି ଦୁଇ ଜିଲ୍ଲାରେ କୌଣସି ଅଘଟଣ ଘଟାଇପାରିନଥିଲେ। ଚଳିତ ବର୍ଷ ନକ୍ସଲ ନା ରାସ୍ତା ଜାମ କଲେ, ନା ଲୋକଙ୍କୁ ହତ୍ୟା କଲେ ନା ଲୁଟପାଟ କଲେ। ପୁଲିସ ଏବଂ ବିଏସଏଫ ସାରା ଜିଲ୍ଲାକୁ ଜଗି ରହିବା ଫଳରେ କୌଣସି ଅଘଟଣ କରିବାକୁ ନକ୍ସଲ ଭୟ କରିଥିଲେ। ଗତବର୍ଷଗୁଡିକରେ ଏହି ଦିବସରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି। ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ନକ୍ସଲକୁ ଦମନ କରିବା ପାଇଁ ଯବାନଙ୍କୁ ମୁତୟନ କରିବା ଯୋଗୁଁ ନକ୍ସଲ ହିଂସା କମିବା ସହ ଏହି ଦିବସକୁ ନକ୍ସଲ ଆଉ ପାଳନ କରିପାରିନଥିଲେ, ଯାହାକୁ ପୁଲିସର ଓ ଯବାନର ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

 

ସମ୍ବନ୍ଧିତ ଖବର