ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ ଘଟଣା: ସହିଦଙ୍କୁ କାନ୍ଧଦେଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ସୁସ୍ଥ ହେବା ପରେ ପୁଣି ନକ୍ସଲଙ୍କୁ ମାରିବି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଝମାଡ଼ ଅନ୍ତର୍ଗତ କୁତୁଲ ଜଙ୍ଗଲରେ ନକ୍ସଲଙ୍କ ଗୁଳିରେ ଆହତ ହୋଇଥିବା ଯବାନ ଏହି କଥା କହିଛନ୍ତି। ଡାକ୍ତରଖାନାରେ ଯବାନଙ୍କ ଏହି ଦୃଢ଼ୋକ୍ତି ଶୁଣି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯବାନଙ୍କ ମନୋବଳ ବଢ଼ାଇଛନ୍ତି। ସେହିପରି ଗୁଳି ବିନିମୟରେ ସହିଦ ଯବାନଙ୍କ ମରଶରୀରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଓ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କାନ୍ଧ ଦେଇଛନ୍ତି। ଗୁଳିବିନିମୟରେ ୮ଜଣ ନକ୍ସଲ ନିହତ ହୋଇଥିଲେ। ଜଣେ ଏସ୍‌ଟିଏଫ ଯବାନ ସହିଦ ହୋଇଥିଲେ। ସହିଦ ଯବାନଙ୍କ ମରଶରୀର ଆଜି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସହିଦ ନିତେଶ ଏକ୍କାଙ୍କ ଶବକୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କାନ୍ଧ ଦେଇଥିଲେ। ଶବକୁ ସହିଦଙ୍କ ଗ୍ରାମ ଯଶପୁର ଜିଲ୍ଲାର ଚିରଇଡାଣ୍ଡ ଗ୍ରାମକୁ ପଠାଯାଇଛି। ସହିଦଙ୍କ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ସହିଦଙ୍କ ବଳିଦାନ ବୃଥା ଯିବନାହଁ ବୋଲି କହିଛନ୍ତି। ବିଜେପି ସରକାର ପୁଣି ଛତିଶଗଡ଼ରେ ଆସିବା ପରେ ନକ୍ସଲ ଦମନ ଅଭିଯାନ ଜୋର୍‌ଦାର ହୋଇଛି। ନକ୍ସଲବାଦକୁ ଛତିଶଗଡ଼ରୁ ମୂଳୋତ୍ପାଟନ କରାଯିବ ବୋଲି କହିଛନ୍ତି। ସହିଦ ଯବାନଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜ୍ଞାପନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ରାୟପୁରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ୨ ଏସ୍‌ଟିଏଫ ଯବାନଙ୍କୁ ମଧ୍ୟ ଭେଟିଥିଲେ। ଆହତ ଯବାନ କୈଳାସ ନେତାମଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିଥିଲେ। ଯବାନ କୈଳାସ ଦୃଢ଼ୋକ୍ତି ସହ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ସୁସ୍ଥ ହେବାପରେ ପୁଣି ଜଙ୍ଗଲରେ ପଶି ନକ୍ସଲଙ୍କୁ ମାରିବେ। ଯବାନଙ୍କ ଏମିତି ମନୋବଳ ଯୋଗୁ ଆଗାମୀ ଦିନରେ ଛତିଶଗଡ଼ରୁ ନିଶ୍ଚିତ ଭାବେ ନକ୍ସଲବାଦ ସମାପ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟ ଯବାନ ଲେଖରାମ ନେତାମ ଗୁରୁତର ଥିବାରୁ ତାଙ୍କର ଅପରେସନ ଚାଲିଥିଲା। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିପାରି ନଥିଲେ। ଦୁଇ ଯବାନଙ୍କ ସୁସ୍ଥ ହେବା ନେଇ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର