କର୍ତବ୍ୟ ଆଗରେ ହାର ମାନିଲା ସଂପର୍କ : ପୁଲିସ ଭାଇ ଗୁଳିରେ ନକ୍ସଲ ଭଉଣୀ ନିହତ

ମାଲକାନଗିରି : ବଞ୍ଚିଥିବା ପର୍ଯ୍ୟନ୍ତ ରକ୍ଷା କରିବାର ପ୍ରତିଜ୍ଞା ନେଇଥିଲା ଭାଇ। ଆଉ ୫ଦିନ ପରେ ପୁଣି ରକ୍ଷୀ ପୂର୍ଣ୍ଣିମାରେ ଭାଇ ଏହି ପ୍ରତିଜ୍ଞାକୁ ଦୋହରାଇଥାନ୍ତା। କିନ୍ତୁ ପରିସ୍ଥିତି ଏବଂ ଭିନ୍ନ ଭିନ୍ନ ଆଭିମୁଖ୍ୟ ପୁଲିସ ଭାଇକୁ ବାଧ୍ୟ କଲା ନକ୍ସଲ ଭଉଣୀକୁ ଗୁଳି କରିବାକୁ। କୌଣସି ସିନେମାର କାହାଣୀ ଭଳି ଲାଗୁଥିଲେ ବି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି। ବାରମ୍ବାର ଅନୁରୋଧ ସତ୍ତ୍ବେ ପ୍ରତ୍ୟେକ ଥର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରତ୍ୟାଖ୍ୟାନ କରି ଆସୁଥିବା ଭଉଣୀକୁ ନିଜ ଭାଇ ଗୁଳିରେ ହିଁ ଜୀବନ ହାରିବାକୁ ପଡ଼ିଛି। ଅନ୍ୟପଟେ ଭାଇ-ଭଉଣୀର ସଂପର୍କଠୁ ବି ନିଜ କର୍ତବ୍ୟକୁ ଅଧିକ ଗୁରୁତ୍ବ ଦେଇ ଉଦାହରଣ ପାଲଟିଛନ୍ତି ଗତବର୍ଷ ହିଁ ଛତିଶଗଡ଼ ରାଜ୍ୟ ପୁଲିସରେ ଯୋଗ ଦେଇଥିବା ଭାଇ ଭିତ୍ତି ରାମା।

ସୀମାନ୍ତ ଛତିଶଗଡ଼‌ର ସୁକମା ଅଞ୍ଚଳରେ ଆତଙ୍କର ଅନ୍ୟ ନାମ ଥିଲେ ଭିତ୍ତି କାନି ଏବଂ ଭିତ୍ତି ରାମା। ଦୁହେଁ ସଂପର୍କରେ ଭାଇ, ଭଉଣୀ। ଦୁହିଁଙ୍କ ମଧ୍ୟରେ ଗଭୀର ନିବିଡ଼ତା ରହିଥିଲା। ତେବେ‌ ନକ୍ସଲଙ୍କ ପ୍ରୋରଚନାରେ ଦୁହେଁ ଦିନେ ଭୁଲ ବାଟରେ ଆଗେଇ ଯାଇଥିଲେ। ଜମି, ଜଙ୍ଗଲ, ଜଳ ପାଇଁ ନକ୍ସଲଙ୍କ ନାରାରେ ସ୍ବର ମିଳାଇ ସାଜଥିଲେ ମାଓବାଦୀ। ୨୦୦୦ ମସିହାରେ ସଂଗଠନରେ ସାମିଲ ହୋଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଲୋକଙ୍କୁ ଥରହର କରି ପକାଇଥିଲେ। ଏଥିପାଇଁ ସଂଗଠନ ବି ଉଭୟଙ୍କୁ ପୁରସ୍କାର ସ୍ବରୂପ ପଦୋନ୍ନତି ଦେଇଥିଲା। ସରକାର ମଧ୍ୟ ରାମା ନାମରେ ୧୦ ଲକ୍ଷ ଏବଂ କାନି ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ୧୮ବର୍ଷ ଧରି ପରିବାରଠାରୁ ଦୂରେଇ ରହି ଲୁଚିଛପି ଜଙ୍ଗଲରେ ଆତ୍ମଗୋପନ ଜୀବନରେ ଥକି ପଡ଼ିଥିଲେ ଭିତ୍ତି ରାମା। ତେଣୁ ନିଜ ନିଷ୍ପତ୍ତି ବଦଳାଇ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସୁଯୋଗର ଅପେକ୍ଷାରେ ରହିଥିଲେ। ସୁକମା ଏସ୍‌ପିଙ୍କ ଉଦ୍ୟମକ୍ରମେ ଗତବର୍ଷ ଆତ୍ମସମର୍ପଣ କରିଥିଲେ। ପୁଲିସ ପକ୍ଷରୁ ଆବଶ୍ୟକ ସହାୟତା କରାଯିବା ସହ ଥଇଥାନ ବ୍ୟବସ୍ଥା ବି କରାଯାଇଥିଲା। ଏହାରି ମଧ୍ୟରେ ଗତ ବର୍ଷକ ମଧ୍ୟରେ ବାରମ୍ବାର ଭଉଣୀ କାନିକୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚିଠି ଲେଖିଥିଲେ। ୫ ଥର ଚିଠି ଲେଖିବା ସତ୍ତ୍ବେ ଅବାଟରେ ଚାଲିଥିବା ଭଉଣୀ ଆଉ ଫେରିବାକୁ ମନା କରି ଦେଇଥିଲା। ଏପରିକି ଏମିତି ବୃଥା ପ୍ରୟାସ ଆଉ ନକରିବାକୁ ଭାଇକୁ ତାଗିଦ୍ କରିଥିଲା।

ଗୋଟିଏ ବର୍ଷ ମଧ୍ୟରେ ପରିସ୍ଥିତି ଏମିତି ହେଲା ଯେ ଭାଇ, ଭଉଣୀ ମଧ୍ୟରେ ଦୂରତା ବଢ଼ି ଚାଲିଲା। ଅନ୍ୟପଟେ ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ, ରାଜ୍ୟ ପୁଲିସରେ ଯୋଗ ଦେଇଥିଲେ ରାମା। ଜଣେ କର୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଗତ ଜୁଲାଇ ୧୮ତାରିଖ ଦିନ ଭାଇ-ଭଉଣୀ ପରସ୍ପରର ନିକଟତର ହୋଇଥିଲେ। କିନ୍ତୁ ଏହି ସ୍ବଳ୍ପ ସମୟର ଦେଖାଚାହାଁ ଉଭୟଙ୍କ ପାଇଁ ଥିଲା ଅନ୍ତିମ ସାକ୍ଷାତ।

ପୁଲିସକୁ ସେଦିନ ସୂଚନା ମିଳିଥିଲା ଯେ କୋଣ୍ଟା ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଛନ୍ତି। ପ୍ରାୟ ୩୦ ଜଣ ନକ୍ସଲ କିଛି ବଡ଼ଧରଣର କାଣ୍ଡ କରିବାକୁ ଏକାଠି ହୋଇଥିବା ଗୁଇନ୍ଦା ବିଭାଗ ପକ୍କା କରିଥିଲା। ଖବର ପାଇ ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ। କୋଣ୍ଟା ଥାନା ଅଧିକାରୀଙ୍କ ସହ ୧୫୦ ଜଣିଆ ଟିମ ଜଂଗଲରେ ପଶିଥିଲେ। ଏହି ଟିମରେ ଭିତ୍ତି ରାମ ମଧ୍ୟ ରହିଥିଲେ। ପୁଲିସ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ନିକଟତର ହେବାପରେ ଉଭୟପଟୁ ପ୍ରବଳ ଗୁଳି ବର୍ଷିଥିଲା। ଛତ୍ରଭଙ୍ଗ ଦେଇ ଖସି ଯିବାକୁ ଉଦ୍ୟମ ହେଉଥିବା ନକ୍ସଲଙ୍କୁ ପିଛା କରିଥିଲା ପୁଲିସ। ଏହାରି ମଧ୍ୟରେ ଭଉଣୀ କାନି ସହ ମୁହାଁମୁହିଁ ହୋଇଥିଲେ ରାମା। ଦୁହେଁ ପରସ୍ପରକୁ ଦେଖି କିଛି ସମୟ ଅଟକିଯାଇଥିଲେ। କିନ୍ତୁ ଭିନ୍ନ ଭିନ୍ନ ଆଦର୍ଶକୁ ପ୍ରତିନିଧିତ୍ବ କରୁଥିବା ଉଭୟ ପୁଣି ନୁଆଁଇ ଦେଇଥିବା ବନ୍ଧକକୁ ଟେକି ଧରିଥିଲେ। ଏହାପରେ ଗୁଳି ଶବ୍ଦ ଶୁଣି ଅନ୍ୟ ଯବାନମାନେ ବୁଲି ଚାହିଁବା ବେଳକୁ ଟଳି ପଡ଼ିଥିଲେ କାନି। ରକ୍ତ ସଂପର୍କକୁ ତୁଟାଇ ଦେଇ ସେଦିନ ସାନ ଭାଇ ରାମା ବିପଥଗାମୀ ଭଉଣୀକୁ ଗୁଳି କରିବାକୁ ବାଧ୍ୟ ହେଇଥିଲେ। ତେବେ ତଳେ ପଡ଼ିଥିବା ଭଉଣୀର ରକ୍ତ ଜୁଡ଼ୁବୁଡ଼ୁ ଶବକୁ ଦେଖି ରାମା ନିଜକୁ ରୋକିପାରି ନଥିଲେ। ଶବକୁ କୁଣ୍ଢାଇ ଧରି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ତାଙ୍କ ଭଳି ଆନ୍ୟ କୌଣସି ଭାଇ-ଭଉଣୀ ମଧ୍ୟରେ ଏମିତି ନଘଟୁ ବୋଲି ଚିତ୍କାର କରିଥିଲେ। ଯାହାକି ସାଥୀ ଯବାନଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ କର୍ତବ୍ୟ ପାଇଁ ଜଣେ ଭାଇର ଏଭଳି ନିଷ୍ଠାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଜକେଇ ଉଠିଥିଲା।

ଭାଇ-ଭଉଣୀ ମଧ୍ୟରେ ଏମିତି ଗୁଳି ବିନିମୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଶହ ଶହ ଭାଇ-ଭଉଣୀଙ୍କୁ ଅଲଗା କରି ସାରିଲାଣି ନକ୍ସଲ ସଂଗଠନ। ବହୁ ପରିବାରକୁ ଧୂଳିସାତ୍ କରି ସାରିଲାଣି ମାଓ ସଂଗଠନ। କିନ୍ତୁ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବା ବେଳେ ଏହାକୁ ଏକ ଉଦାହରଣ ଭାବେ ଗ୍ରହଣ କରିଛନ୍ତି ସମସ୍ତେ। ଏହାକୁ ଏକ ବିରଳ ଘଟଣା ବୋଲି ଆଖ୍ୟା ଦେଇଛନ୍ତି ଆଣ୍ଟି ନକ୍ସଲ ପିପୁଲସ ଫୋର୍ସର ମୁଖ୍ୟ। ତେଣୁ ଭଉଣୀର ମାନ ରଖିବା ପାଇଁ ନକ୍ସଲରେ ସାମିଲ ଥିବା ଭାଇମାନେ ତୁରନ୍ତ ନକ୍ସଲ ସଂଗଠନ ଛାଡ଼ନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର