ନକଲି ନୋଟ ମେସିନ ଜବତ ଘଟଣା: ମୁହଁ ଖୋଲିଲେ ନକ୍ସଲ, କହିଲେ- ପୁଲିସ ମିଥ୍ୟା ପ୍ରଚାର କରୁଛି

ମାଲକାନଗିରି: ଗତ ୨୦,୨୧,୨୨ ତାରିଖରେ ଛତିଶଗଡ଼ର ସୁକମା ଜିଲ୍ଲାର ଭେଜି ଓ ଚିନ୍ତାଗୁମ୍ଫା ଥାନା ଅଂଚଳର କୋର୍ସାଗୁଡା, ଦନ୍ତେପୁରମ, ମେଲାସୁର, ତମାଲପଡ଼, ସିଙ୍ଗନାମଗଡୁ ଗ୍ରାମରେ ପୁଲିସ ପହଂଚି ଲୋକଙ୍କୁ ମାରପିଟ କରିବା ସହ ଲୁଟ ତରାଜ କରିଥିଲେ। ଏହି ଗାଁଗୁଡିକରେ ଚଢ଼ାଉ କରିବା ସହ ନିକଟସ୍ଥ ଜଙ୍ଗଲରେ ରହିଥିବା ଜଙ୍ଗଲର ଡ଼ମ୍ପଗୁଡିକରେ ଚଢ଼ାଉ କରି ମାଓ ସାମଗ୍ରୀ ଜବତ କରିବା ସହ ନକଲି ନୋଟ ଛାପିବା ମେସିନ ବି ଜବତ କରିଥିବା ସୁକମା ଏସପି କିରଣ ଚୌହାନ ଗଣମାଧ୍ୟମରେ ସୂଚନା ଦେଇଛନ୍ତି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଆଜି କଣ୍ଟା ଏରିଆ କମିଟି, ଦକ୍ଷିଣ ବସ୍ତର ଡିଭିଜନ, ଆନ୍ଧ୍ର ଓଡିଶା ବଡର ଡିଭିଜନ ତରଫରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଏସପିଙ୍କ ଏହା ପାଗଳପନ ବୋଲି ସଙ୍ଗଠନ କହିଛି।ମିଥ୍ୟା ପ୍ରଚାର କରି ଟଙ୍କା କମାଇବାକୁ ଯୋଜନା ପୁଲିସ କରୁଥିବା କୁହାଯାଇଛି। ଏପରି ଘୃଣ୍ୟ କାମ କେବେ ବି ଆମେ କରିବୁ ନାହିଁ ବୋଲି ଯୁକ୍ତି ବାଢ଼ିଛି ସଂଗଠନ। ଗତ ୧୯ ତାରିଖରେ ସଂଗଠନର ଗଦ୍ଦାର ଜଗେନ ପୁଲିସ ନିକଟରେ ଆତ୍ମସମର୍ପଣ ପରେ ସେ ଏହି ଗ୍ରାମଗୁଡିକକୁ ପୁଲିସକୁ ନେଇ ଚଢାଉ କରାଇଥିଲା। ଉପରୋକ୍ତ ସମସ୍ତ ଗାଁରେ ଚଢ଼ାଉ କରାଯାଇ ଲୁଟପଟ କରାଯିବ ସହ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଛି ପୁଲିସ। ୫ଟି ଗାଁରୁ ଧନୁ ଓ ତୀର ଲୁଟି ନେଇଛନ୍ତି। ସେହି ଗଦ୍ଦାର ଜଗେନ ଜଂଗଲରେ ଆମର ଡ଼ମ୍ପ ଦେଖାଇବା ପରେ ସେଠାରୁ ପ୍ରିଣ୍ଟର, କାଗଜ, ପ୍ରଚାର ସାମଗ୍ରୀ ଜବତ କରି ନେଇଯାଇଛନ୍ତି। ଏଥିସହ ନକଲି ନୋଟ ତିଆରି କରୁଥିବା ମେସିନ ଜବତ କରାଯାଇଥିବା ପୁଲିସ ମିଥ୍ୟା ପ୍ରଚାର କରୁଛି। ଏଭଳି କୌଣସି ଫେକ ନୋଟ ଆମ ପାଖରେ ନାହିଁ। ଲୋକଙ୍କୁ ଭ୍ରାନ୍ତ କରିବା ପାଇଁ ପୁଲିସର ଏହା ଏକ ଚାଲ।ଏହି ମିଥ୍ୟା ପ୍ରଚାରକୁ ମାଓ ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯାଉଛି ବୋଲି କୁହାଯାଇଛି। ଏହାକୁ ସବୁ ସଂଗଠନ, ଗଣମାଧ୍ୟମ ବିରୋଧ କରିବା ପାଇଁ ଆହ୍ୱାନ ଦିଆଯାଇଛି।

ସମ୍ବନ୍ଧିତ ଖବର