ଓଡ଼ିଶାରେ ଭୁଶୁଡ଼ିଲାଣି ନକ୍ସଲ ଦୁର୍ଗ

କମିଲେଣି ୭୬%, ଓଡ଼ିଶାର ରହିଲେ ମାତ୍ର ୨୮

ଓଡ଼ିଶାର ରଣନୀତିକୁ ପ୍ରଶଂସା କଲେ କେନ୍ଦ୍ର ସରକାର
ଚିନ୍ତା ବଢ଼ାଉଛନ୍ତି ଛତିଶଗଡ଼ୀ, କାର୍ଯ୍ୟାନୁଷ୍ଠାନ ପାଇଁ ସଜବାଜ
୩ବର୍ଷରେ ୩୩ ମରିଛନ୍ତି, ଆତ୍ମସମର୍ପଣ କରିଛନ୍ତି ୫୦

ଭୁବନେଶ୍ବର, : ନକ୍ସଲଙ୍କ ବିରୋଧରେ ବଡ଼ ଅପରେସନ୍ ପାଇଁ କେନ୍ଦ୍ର ସରକାର ଆଜି ବିଭିନ୍ନ ରାଜ୍ୟକୁ ସଙ୍କେତ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନକ୍ସଲ ପ୍ରବଣ ରାଜ୍ୟମାନଙ୍କର ଏକ ଜରୁରୀ ବୈଠକ ଭିଡ଼ିଓ କନଫରେନ୍ସିଂରେ କରାଯାଇଥିଲା। ଯେଉଁଥିରେ ବିଭିନ୍ନ ରାଜ୍ୟରେ ନକ୍ସଲଙ୍କ ସ୍ଥିତି ସଂପର୍କରେ କେନ୍ଦ୍ରୀୟ ଅଧିକାରୀମାନେ ସମୀକ୍ଷା କରିବା ସହିତ କିଏ କେଉଁ ପଦକ୍ଷେପ ନେଉଛନ୍ତି ସେ ନେଇ ଜାଣିବାକୁ ଚାହିଁଥିଲେ। ବିଶେଷକରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡି ନକ୍ସଲଙ୍କୁ ଦମନ କରିବା କ୍ଷେତ୍ରରେ କେନ୍ଦ୍ର ସରକାର ଆଗକୁ ବଢ଼ିବା ଲାଗି ସମ୍ମତି ଜଣାଇବା ସହିତ ଆଗକୁ ଠୋସ୍ କି କାର୍ଯ୍ୟକ୍ରମ ନିଆଯିବ, କେଉଁ ରାଜ୍ୟ କିଭଳି ରଣନୀତି ଗ୍ରହଣ କରିବେ, ସେ ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ କହିଥିବା ସୂଚନା ମିଳିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବୈଠକରେ ଓଡ଼ିଶାକୁ ପ୍ରଶଂସା ମିଳିଛି। କନ୍ଧମାଳରେ ନକ୍ସଲ ଅପରେସନରେ ସଫଳତା ସହିତ ସ୍ବାଭିମାନ ଅଞ୍ଚଳରେ, ବିଶେଷକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଉଭୟ ରାଜ୍ୟ ଯେଭଳି ପରସ୍ପର ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରୁଛନ୍ତି, ତାହାକୁ କେନ୍ଦ୍ର ସରକାର ଆଜି ପ୍ରଶଂସା କରିବା ସହ ଡିଜି ଅଭୟଙ୍କୁ ସାଧୁବାଦ ଜଣାଇଥିଲେ।

ଏଥିସହିତ ଓଡ଼ିଶାରେ ନକ୍ସଲ ମୂଳପୋଛ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂକଳ୍ପ ନେଇଛନ୍ତି, ତାହା ପଛର ବାସ୍ତବତା ସାମ୍ନାକୁ ଆସିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୁଲିସ ଅପରେସନ୍ ବେଳେ (୨୦୧୮-୨୦୨୦ ଜୁଲାଇ) ମଧ୍ୟରେ ୩୩ଜଣ ଦୁର୍ଦ୍ଦାନ୍ତ ନକ୍ସଲ ପ୍ରାଣ ହରାଇଛନ୍ତି। ପାଖାପାଖି ୫୦ରୁ ଅଧିକ ନକ୍ସଲ ଏହି ସମୟ ମଧ୍ୟରେ ଆତ୍ମସମର୍ପଣ କରିଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ଅପରେସନ୍ ପରେ ପାଖାପାଖି ୮୪ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି।

The Indian Express

ଆଶ୍ବସ୍ତିର କଥା ହେଲା, ଯଦିଓ ୨୦୦୦ରୁ ୨୦୧୦ ମଧ୍ୟରେ ପାଖାପାଖି ୨ହଜାରରୁ ଅଧିକ ନକ୍ସଲ ରାଜ୍ୟରେ ସକ୍ରିୟ ଥିବା କୁହାଯାଉଥିଲା, ୨୦୧୩ ମସିହାରେ ସରକାରୀ ଭାବେ ପ୍ରସ୍ତୁତ କରାଯାଇଥିବା କ୍ୟାଡ଼ର ନକ୍ସଲ ତାଲିକା ସୂଚାଇଲା ଯେ ଏହି ସଂଖ୍ୟା ୧୪୦୦ ରହିଛି।

ଇତିମଧ୍ୟରେ ଓଡ଼ିଶାରେ ନକ୍ସଲଙ୍କ ସଂଖ୍ୟା ୭୬% ହ୍ରାସ ପାଇ ୩୪୦ ପାଖାପାଖି ରହିଛି। ଯେଉଁଥିରେ ମାତ୍ର ୨୮ ଜଣ ଓଡ଼ିଶାର ଅଛନ୍ତି। ଏହା ସୂଚାଇ ଦେଉଛି, ଓଡ଼ିଶାର ଦୁର୍ଗମ ଅଞ୍ଚଳର ଯେଉଁ ଲୋକମାନଙ୍କୁ ନକ୍ସଲମାନେ ଦାରିଦ୍ର୍ୟ କାରଣରୁ ଏକଦା ପ୍ରଭାବିତ କରି ଅଥବା ଡରାଇ ଧମକାଇ ସେମାନଙ୍କ କ୍ୟାଡରରେ ସାମିଲ କରୁଥିଲେ, ତାହାକୁ ଏବେ ଲୋକେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କଲେଣି।ଓଡ଼ିଶାରେ ଏବେ ମୁଖ୍ୟତଃ ୩ଟି ରାଜ୍ୟ କମିଟି କାର୍ଯ୍ୟ କରୁଛନ୍ତି, ଯାହା ଅଧୀନରେ ପ୍ରାୟ ୯ଟି ଡିଭିଜନ ଅଧୀନରେ ୩୪୦ ପାଖାପାଖି ନକ୍ସଲ ସକ୍ରିୟ ଅଛନ୍ତି। ଓଡ଼ିଶା ରାଜ୍ୟ କମିଟି ଅଧୀନରେ ୫ଟି, ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେସାଲ ଜୋନ୍ କମିଟି ଅଧୀନରେ ୨ଟି ଓ ଦଣ୍ଡକାରଣ୍ୟ ସ୍ପେସାଲ ଜୋନ୍ କମିଟି ଅଧୀନରେ ୨ଟି ଡିଭିଜନ ରହିଛି। ଏସବୁ ଅଧୀନରେ ଓଡ଼ିଶାର ୨୮ ଜଣ କ୍ୟାଡ଼ରଙ୍କୁ ବାଦ୍ ଦେଲେ ଝାଡ଼ଖଣ୍ଡର ୩୯ ଜଣ, ଆନ୍ଧ୍ର ପ୍ରଦେଶର ୩୫ଜଣ ଓ ଛତିଶଗଡ଼ର ୨୩୫ ଜଣ କ୍ୟାଡ଼ର ଅଛନ୍ତି। ବାକି ୭ ଜଣ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଅଞ୍ଚଳର ବୋଲି ସୂଚନା ମିଳିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୮ରେ ଦୁର୍ଦାନ୍ତ ନକ୍ସଲ ବାଦଲର ମୃତ୍ୟୁ ପରେ ନକ୍ସଲମାନଙ୍କର ଗତିବିଧିରେ ବଡ଼ଧରଣରପରିବର୍ତ୍ତନ ଆସିଛି। କନ୍ଧମାଳ, କଳାହାଣ୍ଡି,ବୌଦ୍ଧ, ନୟାଗଡ଼ ବା କେକେବିଏନ୍ ଡିଭିଜନରେ ବୁଲୁଥିବା ପ୍ରାୟ ୪୦ରୁ ଅଧିକ କ୍ୟାଡରର ନେତୃତ୍ବ ଏବେ ମୁରଲୀ ନେଉଛି। ତେବେ େସମାନେ ଆଉ ବୌଦ୍ଧ କିମ୍ବା ନୟାଗଡ଼ ନ ଆସି କନ୍ଧମାଳରୁ କଳାହାଣ୍ଡି ଦେଇ ରାୟଗଡ଼ା ପର୍ଯ୍ୟନ୍ତ ବୁଲୁଛନ୍ତି। ଯେହେତୁ ଛତିଶଗଡ଼ିଙ୍କ ସଂଖ୍ୟା ଅଧିକ, ଏଣୁ ସେମାନେ ତାଙ୍କ ରଣନୀତି ବଦଳାଇ ନିଜ ରାଜ୍ୟ ସଂଲଗ୍ନ ଅଞ୍ଚଳରେ ମାତ୍ରାଧିକ ସକ୍ରିୟ ଅଛନ୍ତି।

ଏହି ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବଲାଙ୍ଗୀର-ବରଗଡ଼ ମହାସମୁଦ ଡ଼ିଭିଜନ ବା ବିବିଏମ୍‌ରେ ବି ଛତିଶଗଡ଼ି ରାଜ ଚାଲିଛି। ସେମାନଙ୍କ ମଧ୍ୟ ଓଡ଼ିଶାରେ ସେଭଳି ସମର୍ଥନ ମିଳୁନାହିଁ। ଉଭୟ ସ୍ବାଭିମାନ ଅଞ୍ଚଳ ଏବଂ ମାଲକାନଗିରି-କୋରାପୁଟ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ନକ୍ସଲଙ୍କ ଉପରେ ଏବେ ତୀକ୍ଷ୍ଣ ନଜର ରହିଥିବା କାରଣରୁ ସେମାନେ ସଙ୍କୁଚିତ ହେବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନକ୍ସଲ ଆତ୍ମସମର୍ପଣ ଯୋଜନା ଆକର୍ଷଣୀୟ ଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଉଭୟ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି ଆହ୍ବାନ ଦେଇଛନ୍ତି। ଅନ୍ୟଥା ଆଗକୁ ରଣନୀତି କିଛି ଅଲଗା ହେବ।

ଓଡ଼ିଶାରେ ଏବେ ୮ ବାଟାଲିୟନ୍ ସିଆରପିଏଫ୍ ଓ ୮ ବାଟାଲିୟନ୍ ବିଏସ୍‌ଏଫ୍ ଅଧୀନରେ ପ୍ରାୟ ୮୮ କଂପାନି ନକ୍ସଲ ଦମନ କାର୍ଯ୍ୟରେ ମୁତୟନ ଅଛନ୍ତି। ସେହିଭଳି ୫ଟି ଆଇଆରବିଏନ୍ ବାଟାଲିୟନ୍ ନକ୍ସଲ ଦମନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ଉଲ୍ଲେଖଥାଉକି, ଓଡ଼ିଶାର ୩୦ଟି ଜିଲ୍ଲାରୁ ପାଖାପାଖି ୨୧ଟି ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ରହିଥିଲା। ସେ ମଧ୍ୟରୁ ୧୯ଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ସୁରକ୍ଷା ସଂପର୍କିତ ଅର୍ଥରାଶି ପ୍ରଦାନ କରୁଥିଲେ। ୨୦୧୮ରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ଗଜପତି ଓ ଗଞ୍ଜାମକୁ ରାଜ୍ୟ ସରକାର ନକ୍ସଲ ମୁକ୍ତ ଜିଲ୍ଲା ବୋଲି ଘୋଷଣା କରିଥିଲେ। ଗତ ୧୦ ତାରିଖ ଦିନ ଡିଜି ଅଭୟ ଓ ଆଇଜି ଅପରେସନ୍ ଅମିତାଭ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାଲିକାରେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡକୁ ସାମିଲ କରିଛନ୍ତି। ଏଥିସହିତ ଓଡ଼ିଶାରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ଏବେ ୧୦କୁ ଖସି ଆସିଛି।

ସମ୍ବନ୍ଧିତ ଖବର