ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କର ରାଜ ଚାଲିଥିଲା। ଦିନ ଦ୍ବିପହରରେ ଲୋକଙ୍କୁ ଅପହରଣ କରି ନେଉଥିଲେ। ବିନା ଦ୍ବିଧାରେ ହତ୍ୟା କରୁଥିଲେ। ଜିଲ୍ଲାକୁ ନିଜ ଅକ୍ତିଆରରେ ରଖିଥିଲେ। ନକ୍ସଲ ଏକ ପ୍ରକାର ରକ୍ତମୁଖା ହୋଇଯାଇଥିଲେ। ଲୋକ ଜିଲ୍ଲାରେ ତ୍ରାହୀ ତ୍ରାହି ଡାକୁଥିଲେ। କିନ୍ତୁ ୨୦୧୫ ମସିହାରୁ ଧୀରେ ଧୀରେ ନକ୍ସଲଙ୍କ ପତିଆରା କମିବାରେ ଲାଗିଲା। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ। ନକ୍ସଲ ସଂଗଠନରେ ଯୋଡି ହୋଇ ଦେଶ ଓ ଜନତାଙ୍କ ପାଇଁ କାମ କରିବାର ଯେଉଁ ଅଭିଳାଷା ଥିଲା ତାହା ପୂରଣ ନହେବାରୁ ସରକାରଙ୍କ ବିକାଶ ଧାରାକୁ ସମ୍ମାନ ଜଣାଇଲେ।
ସରକାର ଏବଂ ପ୍ରଶାସନ ମଧ୍ୟ ଆତ୍ମସମର୍ପଣ ନକ୍ସଲମାନଙ୍କୁ ଥଇଥାନ ସହ କର୍ମନିୟୋଜନ କରିବା ନେଇ ପ୍ରତିଶ୍ରୁତି ଦେଲା। କ୍ୟାଡର ନକ୍ସଲମାନେ ନିଜ ନାମରେ ଥିବା ଲକ୍ଷାଧିକ ଟଂକା ପାଇଲେ ସତ କିନ୍ତୁ ସରକାରଙ୍କ ତରଫରୁ ଯାହା ମିଳିବା କଥା ତାହା ପାଇପାରିଲେ ନାହିଁ। ଗତ ୨୦୧୫ ମସିହାରୁ ୨୦୨୩ ମଧ୍ୟରେ ୩୮ ଜଣ ନକ୍ସଲ ମାଲକାନଗିରିରେ ଆତ୍ମସମର୍ପଣ କଲେ। ମାତ୍ର ୮ ରୁ ୧୦ ଜଣ ନକ୍ସଲ ଏମଭି-୨ ଗ୍ରାମରେ ଦେଢ ସେଣ୍ଟ ଜାଗା ପାଇ ବହୁ କଷ୍ଟରେ କୁଡିଆ ଘର କରି ବସବାସ କରୁଛନ୍ତି।କିଏ ଛୋଟିଆ ଚା’, ପାକୁଡ଼ି ହୋଟେଲ କରିଛି ତ କିଏ ସିକ୍ୟୁରିଟି ଗାର୍ଡ ବନିଛି। ଏହା ସତ ଯେ ପ୍ରଶାସନ ତରଫରୁ ଆତ୍ମସମର୍ପଣ ନକ୍ସଲଙ୍କୁ ଡ୍ରାଇଭିଂ ଶିକ୍ଷା, ସିଲେଇ ଶିକ୍ଷା, ସିକ୍ୟୁରିଟି ଗାର୍ଡ ଶିକ୍ଷା, ଇଗ୍ନୋରେ ପାଠ ପଢା ଶିକ୍ଷା ଭଳି ଧନ୍ଦାମୁଳକ ଶିକ୍ଷା ଦିଆଯାଇଛି। କିନ୍ତୁ ସେମାନଙ୍କୁ ଏହାର ଉପଯୋଗ କରିବା େଇ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଗଲା ନାହିଁ। ଯାହାଫଳରେ ଏବେ ବି ସେମାନେ ଅବହେଳିତ ହୋଇ ରହିଛନ୍ତି।
ଜିଲ୍ଲାର ଚିତ୍ରକୋଣ୍ଡା, କାଲିମେଳା, ଖଇରପୁଟ, ପଡ଼ିଆ ଭଳି ଜାଗାରେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ବହୁବାର ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଜିଲ୍ଲାପାଳ ସମେତ ମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ହିଂସା ଛାଡ଼ି ଆମ ଶାନ୍ତିର ପଥ ଧରିଲୁ। ପ୍ରଶାସନ ଓ ସରକାର ଆମକୁ ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଲେ କିନ୍ତୁ ଆଜି ବି ଆମେ ଅସହାୟ ହୋଇ ରହିଛୁ।ସେମାନେ କରିଥିବା ଦାବିଗୁଡିକ ମଧ୍ୟରୁ ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରୀ ଯୋଗାଇ ଦିଆଯାଉ, ଘର ନିର୍ମାଣ ପାଇଁ ୫ ସେଣ୍ଟ ଜାଗା ପ୍ରଦାନ କରାଯାଉ, ଚାଷ କରିବା ପାଇଁ ସରକାରୀ ନିୟମ ଅନୁଯାୟୀ ଚାଷ ଜମି ଯୋଗାଇ ଦିଆଯାଉ, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କର ପରିବାରର ପିଲାଙ୍କୁ ଶିକ୍ଷାର ସୁବିଧା ଯୋଗାଇ ଦିଆଯାଉ ଏବଂ ସମସ୍ତଙ୍କର ମୌଳିକ ସୁବିଧା ଯେପରି ପାନୀୟ ଜଳ ଓ ବିଦ୍ୟୁତ ଯୋଗାଇ ଦିଆଯାଉ। କିଛି ହାତ ଗଣତି ନକ୍ସଲ ହିଁ ହୋମଗାର୍ଡ, ସିକ୍ୟୁରିଟି ଗାର୍ଡ ଚାକିରି କରୁଛନ୍ତି।
ଆଉ କିଛି ମହିଳା ନକ୍ସଲ ମେଡିକାଲ ଏବଂ ପୌର ପରିଷଦର ସଫେଇ କାମରେ ନିୟୋଜିତ ଅଛନ୍ତି ବୋଲି ଜଣାପଡିଛି। ଜିଲ୍ଲାର କୌଣସି ଜାଗାରେ ଏମାନଙ୍କୁ ଥଇଥାନ ପାଇଁଜାଗା ମିଳିପାରୁନାହିଁ। ପ୍ରଶାସନ ଓ ସରକାରଙ୍କ ପ୍ରତିଶ୍ରୁତି ଆଜି ବି ପାଣିର ଗାର ସଦୃଶ୍ୟ ହୋଇଛି। ଅନ୍ୟଦିଗରେ ପ୍ରଶାସନ ତରଫରୁ କୁହାଯାଇଛି ଯେ ଚାଲାଣଗୁଡା ପଞ୍ଚାୟତରେ ଏମାନଙ୍କ ପାଇଁ ଜାଗା ଓ ଘରର ବ୍ୟବସ୍ଥା କରାଯାଉଥିବା ବେଳେ ସେହି ଅଂଚଳର ଲୋକେ ବିରୋଧ କରିବାରୁ ଏହା ସଂପୂର୍ଣ୍ଣ ହୋଇପାରିଲା ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଜାଗା ମିଳିଲେ ଏମାନଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-surrender-naxal-3.jpg)