ସୀମାନ୍ତ ରାଜ୍ୟ ଛାଡୁଛନ୍ତି ନକ୍ସଲ; ତେଲେଙ୍ଗାନାରେ ଶରଣ ପଶିଲେଣି, ମାଲକାନଗିରିରେ ଆଉ ନକ୍ସଲଙ୍କୁ ଶରଣ ନାହିଁ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲଙ୍କ ରାଜୁତି ଚାଲୁଥିଲା। ତେବେ ପଡୋଶୀ ରାଜ୍ୟଗୁଡିକରେ ନକ୍ସଲ ଧିରେ ଧିରେ ସଫା ହେବା ପରେ ଏବେ କ୍ୟାଡର ନକ୍ସଲମାନେ ପଡୋଶୀ ତେଲେଙ୍ଗାନାକୁ ନିଜର ଅଡ୍ଡା ବନାଇବା ଆରମ୍ଭ କଲେଣି। ସବୁ ନକ୍ସଲ ତେଲେଙ୍ଗାନାର ଶରଣ ପଶିଛନ୍ତି। ତେବେ ଅନ୍ୟ ଛୋଟ ନକ୍ସଲମାନେ କିନ୍ତୁ ଶାସକ ଦଳ ସହ ମିଶିବାକୁ ଚେଷ୍ଟା ଆରମ୍ଭ କରୁଥିବା ଜଣାପଡିଛି। କ୍ୟାଡର ନକ୍ସଲମାନେ ଘନ ଘନ ପୁଲିସର ଚଢାଉରେ ବ୍ୟତିବ୍ୟସ୍ତ ହୋଇ ତେଲେଙ୍ଗାନା କମିଟି ଗୁଡିକରେ ଜଡିତ ହୋଇ କାମ ଆରମ୍ଭ କଲେଣି।

ଓଡିଶା ସମେତ ଛତିଶଗଡ, ମହାରାଷ୍ଟ୍ର, ବିହାର, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟଗୁଡିକ ନକ୍ସଲଙ୍କର ହିଂସା ଦୀର୍ଘ ଦିନ ହେଲା ସହି ଆସୁଛନ୍ତି। ଏହି ରାଜ୍ୟଗୁଡିକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲଗାତାର ନକ୍ସଲ ଦମନ ନେଇ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଇ ବିଏସଏଫ, ସିଆରପିଏଫ ସମେତ ଜିଲ୍ଲା ପୁଲିସ ଏବଂ ଅନ୍ୟ ରାଜ୍ୟର ସ୍ବତନ୍ତ୍ର ଯବାନଙ୍କୁ ନେଇ ନକ୍ସଲ ଦମନ କରାଯାଇପାରିଛି, ଯାହାଫଳରେ ଆଜି ଓଡିଶାର କିଛି ଅଂଶ ବିହାର, ଝାଡଖଣ୍ଡ, ମହାରାଷ୍ଟ୍ରରେ ନକ୍ସଲବାଦ ଧିରେ ଧିରେ କମିଛି। ସୁରକ୍ଷାକର୍ମୀଙ୍କ ଲାଗାତାର ଚଢାଉରେ ନକ୍ସଲ ସଂଗଠନର ଅଣ୍ଟା ଭାଙ୍ଗିଯାଇଛି। ଧିରେ ଧିରେ ସୀମାନ୍ତରେ ନକ୍ସଲ ସଂଗଠନ ଦୁର୍ବଳ ହେବା ଦେଖି ନକ୍ସଲମାନେ ଅନ୍ୟ ରାଜ୍ୟର ଶରଣ ପଶୁଥିବା ବେଳେ ଛୋଟ ଛୋଟନ ନକ୍ସଲ ଆତସମର୍ପଣ ଏବଂ ରାଜନୈତିକ ଦଳ ସହ ଜଡିତ ହେଉଛନ୍ତି।

ତେବେ ମାଲକାନଗିରି ଜିଲ୍ଲାରେ ଆଉ ନକ୍ସଲଙ୍କୁ ଶରଣ ନାହିଁ ବୋଲି ପୁଲିସ କହିଛି। ଜିଲ୍ଲାର ସମସ୍ତ ନକ୍ସଲ ପ୍ରବଣ ଅଂଚଳରେ ଯବାନ ତୟନାତ ହେବା ସହ ଜିଲ୍ଲା ପୁଲିସର ଚଢାଉରେ ନକ୍ସଲ ଏକ ପ୍ରକାର ମାଲକାନଗିରି ଛାଡିବାକୁ ବାଧ୍ୟ ହୋଇଛନ୍ତି। ଜିଲ୍ଲାର ସ୍ବାଭିମାନ ଅଂଚଳରେ ନକ୍ସଲଙ୍କର ଦବଦବା ରହିଥିଲା।ସେଠାରେ ଲୋକଙ୍କୁ ଦିନ ବେଳା ହତ୍ୟା କରୁଥିଲେ।ଏବେ କିନ୍ତୁ ଆଉ ସେହି ପରିସ୍ଥିତି ନାହିଁ। ଲୋକେ ପ୍ରଥମ ଥର କରି ସେଠାରେ ତ୍ରିରଙ୍ଗା ପତାକା ଉଡାଇଲେ।ଲୋକେ ରାତିରେ ଶାନ୍ତିରେ ଶୋଇପାରୁଛନ୍ତି। ୭ଟି ବିଏସଏଫ କ୍ୟାମ୍ପ ହେବା ପରେ ନକ୍ସଲ ଆଉ ସେଠାରେ ନିଜର ପତିଆରା ଜାହିର କରିପାରୁନାହାନ୍ତି। ଧୀରେ ଧୀରେ ନକ୍ସଲଙ୍କର ସମସ୍ତ ସମର୍ଥକଙ୍କୁ ପୁଲିସ ନିଜ ଆଡକୁ ଆଣିବା ସହ ନକ୍ସଲ ପୋତି ରଖିଥିବା ବିସ୍ଫୋରକ, ବନ୍ଧୁକ ଏବଂ ଟଂକାକୁ ଜବତ କରିସାରିଲାଣି।

ତେବେ ନକ୍ସଲବାଦ କୁହାଯାଉଥିବା ମାଲକାନଗିରି ଆଉ ନକ୍ସଲବାଦ ହୋଇ ରହିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁ କିଛି ନକ୍ସଲ ଏବେ ଲୁଚି ଛପି ରହିଛନ୍ତି ସେମାନେ ମଧ୍ୟ ତୁରନ୍ତ ନିଜକୁ ଆତ୍ମସମର୍ପଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମେତ ପୁଲିସ ଡିଜି ଏବଂ ସ୍ଥାନୀୟ ଏସପି ଅନୁରୋଧ କରିସାରିଲେଣି।ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇସାରିଛି। ତେବେ ଆଗକୁ ସୀମାନ୍ତରେ ନକ୍ସଲ ହିଂସା ଧିରେ ଧିରେ କମିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର