ସୀମାନ୍ତରେ ନକ୍ସଲଙ୍କର ଜନତାନା ପାଠଶାଲା: ଦୁର୍ଗମ ଅଂଚଳର ପିଲାଙ୍କୁ ପାଠ ପଢାଉଛନ୍ତି ନକ୍ସଲ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡ଼ର ଆଭ୍ୟନ୍ତରୀଣ ଅଂଚଳଗୁଡିକରେ ନକ୍ସଲ ଲୋକଙ୍କ ପାଇଁ ବିଭିନ୍ନ ସହଯୋଗର ହାତ ବଢାଉଥିବା ଦେଖିବାକୁ ମିଳେ।ସେଥିମଧ୍ୟରୁ ଦୁର୍ଗମ ଅଂଚଳର ପିଲାଙ୍କ ପାଇଁ ଜନତାନା ସ୍କୁଲ ଗୃହ କରାଯାଇ ସେଠାରେ ପିଲାଙ୍କୁ ପାଠ ପଢାଯାଉଛି। ନକ୍ସଲ ସଂଗଠନର ଜନତାନା ପାଠଶାଲା ନାମରେ ଏହି ବିଦ୍ୟାଳୟଗୁଡିକ ଚାଲୁଥିବା ଦେଖିବାକୁ ମିଳିଛି। ଏବେ ବି ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଅଂଚଳରେ ନକ୍ସଲ ସକ୍ରିୟ ରହିଥିବା ବେଳେ ସେମାନଙ୍କର ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ରଖୁଛନ୍ତି। ସଂଗଠନର ଶିକ୍ଷକମାନେ ଏହି ଜନତାନା ପାଠଶାଲାରେ ପାଠ ପଢାଉଛନ୍ତି, ଯେଉଁଠି ସ୍କୁଲ ନଥାଏ ସେଠାରେ ଜଂଗଲ ଭିତରେ ଏକ ଖୋଲା କୁଡିଆ କିମ୍ବା ଉପରେ ଟିଣ ପକାଇ ଖୋଲାରେ ପାଠ ପଢାଯାଉଛି। ଏଭଳି ଦୃଶ୍ୟ ସୁକମା ଏବଂ ବିଜାପୁରର ସୀମାନ୍ତ ଗ୍ରାମଗୁଡିକରେ ଦେଖିବାକୁ ମିଳିଛି।

ତେବେ ଏନେଇ ପ୍ରଶାସନ ନିକଟରେ କୌଣସି ଖବର ନଥିବା ଜଣାପଡିଛି। ଗ୍ରାମର ପିଲାମାନେ ପ୍ରତିଦିନ ଏହି ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣକରୁଥିବା ନକ୍ସଲ କହନ୍ତି। ସେମାନଙ୍କ ପାଇଁ ପୋଷାକ ମଧ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। ଶିକ୍ଷାକୁ ନକ୍ସଲ ସଂଗଠନ ବିରୋଧ କରିଆସୁଥିବା ପୁଲିସ ଅପପ୍ରଚାର କରୁଥିବା ବେଳେ ଏହାକୁ ଦେଖାଇ ନକ୍ସଲ କଣ କରୁଛି ତାହା ସଂଗଠନ ସ୍ପଷ୍ଟ କରିଛି। ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ଭୟରେ ହେଉ ବା ପିଲାଙ୍କ ଭବିଷ୍ୟତ ପାଇଁ ହେଉ ଏହି ବିଦ୍ୟାଳୟରେ ପିଲାଙ୍କୁ ଛାଡିବାକୁ ବାଧ୍ୟ ହେଉଛନ୍ତି। ମାଲକାନଗିରି ଜିଲ୍ଲାରେ କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିନାହିଁ। ନକ୍ସଲ ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲାରେ ସକ୍ରିୟ ରହିଥିଲେ। କିନ୍ତୁ କୌଣସି ଜନହିତକର କାର୍ଯ୍ୟ କରୁଥିବାର କୌଣସି ଉଦାହରଣ ଦେଖିବାକୁ ମିଳିନଥିଲା। ସେ ଯାହା ହେଉ ଛତିଶଗଡର ଦୁର୍ଗମ ଅଂଚଳରେ ସ୍କୁଲ ନଥିବା ବେଳେ ନକ୍ସଲଙ୍କର ଏଭଳି ପ୍ରୟାସକୁ ଗ୍ରାମବାସୀ ସ୍ବାଗତ କରିଛନ୍ତି। ପିଲାମାନେ ପାଠ ପଢିବେ ଏବଂ ଶିକ୍ଷିତ ହେବେ ବୋଲି ଅଭିଭାବକମାନେ କହନ୍ତି।

ପୁଲିସ ଏନେଇ ଅବଗତ ହେଲେ ନିଶ୍ଚିତ ଭାବେ ଏହି ସ୍କୁଲ ବନ୍ଦ ହୋଇଯାଇପାରେ ବୋଲି ଗ୍ରାମବାସୀ ଆଶଂକା କରିଛନ୍ତି। ନକ୍ସଲ ସଂଗଠନର ବଡ ବଡ ନେତା କିନ୍ତୁ ଏହାକୁ ଲୋକଙ୍କ ପାଇଁ ଏକ ଅବଦାନ ବୋଲି କହନ୍ତି। ବହୁ ଦୁର୍ଗମ ସ୍କୁଲରେ ଶିକ୍ଷକମାନେ ନିୟମିତ ସ୍କୁଲ ଯାଉନାହାନ୍ତି ବୋଲି କହିବା ସହ ନିଜର ପ୍ରଚେଷ୍ଟାରେ ଜଣେ ଯୁବକ କିମ୍ବା ଯୁବତୀଙ୍କୁ ଏଠାରେ ନିୟୋଜିତ କରି ପାଠ ପଢାଯାଉଥିବା ନକ୍ସଲ ନେତା କହନ୍ତି। ଏହା କେତେ ଦିନ ଚାଲିବ କିଛି ଜାଣିନଥିଲେ ମଧ୍ୟ ଯେତେଦିନ ଚାଲିବ ସେତେ ଦିନ ପିଲାଙ୍କୁ ଶିକ୍ଷାଦାନ କରାୟିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର