ବିଶ୍ରା: ସରଣ୍ଡା ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଛନ୍ତି ନକ୍ସଲ। ମାଓ ସଙ୍ଗଠନର ‘ପ୍ରତିଶୋଧ ସପ୍ତାହ’ ଚାଲୁଥିବାବେଳେ ଶୁକ୍ରବାର ମଧ୍ୟରାତ୍ରିରେ ନକ୍ସଲମାନେ ଝାଡ଼ଖଣ୍ଡ ଜରାଇକେଲା ଥାନା ଅନ୍ତର୍ଗତ କୋଲବୋଙ୍ଗା ଗାଁରେ ଗୋଟିଏ ଏୟାରଟେଲ୍ ମୋବାଇଲ୍ ଟାୱାର ଉପରେ ଆକ୍ରମଣ କରିଛନ୍ତି। ପ୍ରାୟ ୨୦ ଜଣ ସଶସ୍ତ୍ର ନକ୍ସଲ ଗାଁରେ ପହଞ୍ଚି ଟାୱାର ତଳେ ଥିବା ଜେନେରେଟର ଓ ଯନ୍ତ୍ରପାତିକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। କିଛି ସମୟ ମଧ୍ୟରେ ସମସ୍ତ ଉପକରଣ ପାଉଁଶ ହୋଇଯାଇଥିଲା। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନକ୍ସଲମାନେ ଟାୱାର ଜାଳିବା ପରେ ବିଭିନ୍ନ ସ୍ଲୋଗାନ୍‌ ଦେଇଥିବା ଗ୍ରାମବାସୀ କହିଛନ୍ତି। ଗତ କିଛିଦିନ ଧରି ସରଣ୍ଡା ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଗତ ୯ ତାରିଖରେ ନକ୍ସଲମାନେ ତିନୋଟି ସ୍ଥାନରେ ଆଇଇଡି ବିସ୍ଫୋରଣ କରି ସୁରକ୍ଷା ବାହିନୀକୁ ଟାର୍ଗେଟ୍‌ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି।

Advertisment

ସେହିପରି ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଗୁରୁତର ହାତୀର ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଗତ ତିନିଦିନ ଧରି ହାତୀର ଚିକିତ୍ସା ଚାଲିଥିବାବେଳେ କିଛି ଉନ୍ନତି ଦେଖାଯାଇଥିଲା। ଶନିବାର ରାତିରେ ହାତୀଟି ଫଳ ଓ ପନିପରିବା ମଧ୍ୟ ଖାଇଥିଲା। ମାତ୍ର ରବିବାର ସକାଳେ ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚିବା ପରେ ହାତୀଟି ମରି ଯାଇଥିବା ଦେଖିଥିଲେ। ବ୍ୟବଚ୍ଛେଦ ପରେ ମୃତ ହାତୀକୁ ସେହିଠାରେ ପୋତି ଦିଆଯାଇଛି। ଅପରପକ୍ଷରେ ଗ୍ରାମବାସୀଙ୍କ କହିବାନୁସାରେ, ହାତୀର ଚିକିତ୍ସା ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଗୁରୁତର ହାତୀକୁ ଦେଖି ବନ ବିଭାଗକୁ ସୂଚନା ଦିଆଯାଇଥିଲେ ମଧ୍ୟ ତତ୍‌କ୍ଷଣାତ ପଦକ୍ଷେପ ନିଆ ଯାଇନଥିଲା। ଫଳରେ ଗୋଡ଼ରେ ସଂକ୍ରମଣ ହୋଇ ହାତୀର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନକ୍ସଲଙ୍କ ଏହି ଅମାନବୀୟ କାର୍ଯ୍ୟକୁ ଗାଁ ଲୋକେ ତୀବ୍ର ନିନ୍ଦା କରିବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ ସରଣ୍ଡା ଅଞ୍ଚଳ ଦୀର୍ଘ ଦିନ ଧରି ନକ୍ସଲ କାର୍ଯ୍ୟକଳାପର ଏକ କେନ୍ଦ୍ରସ୍ଥଳ ହୋଇରହିଛି। ନକ୍ସଲମାନେ ସୁରକ୍ଷାବାହିନୀକୁ ଟାର୍ଗେଟ୍ କରିବା ପାଇଁ ଲ୍ୟାଣ୍ଡମାଇନ୍‌, ଆଇଇଡି ବିସ୍ଫୋରକ ଖଞ୍ଜୁଛନ୍ତି। ଗତ ତିନିମାସ ମଧ୍ୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ଟି ହାତୀର ମୃତ୍ୟୁ ହୋଇଥିବାବେଳେ ଅନେକ ବନ୍ୟପ୍ରାଣୀ ମଧ୍ୟ ଆହତ ହୋଇଛନ୍ତି।