ମାଲକାନଗିରି : ନକ୍ସଲ ଦମନ ଅଭିଯାନରେ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ହିଂସା ଘଟାଇବା ଉଦ୍ଦେଶ୍ୟରେ ମାଟି ତଳେ ନକ୍ସଲ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ସହ ଲାପ୍‌ଟପ୍‌ ସୁରକ୍ଷା କର୍ମୀ ଉଦ୍ଧାର କରିଛନ୍ତି। ଏହାବ୍ୟତୀତ ନକ୍ସଲ ବ୍ୟବହାର କରୁଥିବା ଦୈନନ୍ଦିନ ସାମଗ୍ରୀ ବି ସେଠାରୁ ମିଳିଛି। କେତେ ଦିନ ତଳେ ଏହି ସାମଗ୍ରୀକୁ ନକ୍ସଲ ପୋତିଥିଲେ ସ୍ପଷ୍ଟ ହୋଇପାରି ନଥିଲେ ମଧ୍ୟ ଏଭଳି ଅସ୍ତ୍ରଶସ୍ତ୍ର ଠୁଳ କରିବା ବଡ଼ ଷଡ଼୍‌ଯନ୍ତ୍ରର ଆଭାସ ଦେଉଛି।

Advertisment

ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ ହିଂସା ପାଇଁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂତ୍ରରୁ ମାଲକାନଗିରି ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଏସ୍‌ପି ନୀତୀଶ ଵାଧଵାନିଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷା କର୍ମୀଙ୍କ ଗୋଟିଏ ଟିମ୍‌ ଓଡ଼ିଶା-ଛତିଶଗଡ଼ ସୀମାରେ ରହିଥିବା ମାଥିଲି ବ୍ଲକ୍‌ କର୍ତ୍ତନପାଲୀ ପଞ୍ଚାୟତ ଅନ୍ତର୍ଗତ କଟୱାପଦର ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସତର୍କତାର ସହ ଯାଞ୍ଚ କରିବାରୁ ଗୋଟିଏ ସ୍ଥାନରେ ସନ୍ଦିଗ୍ଧ ସାମଗ୍ରୀ ରହିଥିବା ଜଣାପଡ଼ିଥିଲା। ମାଟି ଖୋଳିବାରୁ ଦୁଇଟି ବନ୍ଧୁକ, ଲ୍ୟାଣ୍ଡମାଇନ୍‌, ବିଦ୍ୟୁତ ତାର, ଲାପ୍‌ଟପ୍‌, ଛତା, ପୁସ୍ତକ, ମୋବାଇଲ ଚାର୍ଜର, ଆଲୁମିନିୟମ ସାମଗ୍ରୀ ଆଦି ବାହାରିଥିଲା। ଦଣ୍ଡକାରଣ୍ୟ ଜୋନାଲ କମିଟି ଏହି ସାମଗ୍ରୀକୁ ଲୁଚାଇ ରଖିଥିବା ଅନୁମାନ କରାଯାଉଛି। ସଠିକ୍‌ ସୂଚନା ଯୋଗୁ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି ବୋଲି କୁହାଯାଉଛି। ସେହିପରି ନକ୍ସଲଙ୍କ ଗୁପ୍ତ ଠିକଣା ଆଖପାଖ ଅଞ୍ଚଳରେ ରହିଥିବା ସନ୍ଦେହ କରି ଶେଷ ଖବର ସୁଦ୍ଧା ସର୍ଚ୍ଚ ଅପେରସନ ଜାରି ରହିଥିବା ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ, ଏହି ଘଟଣା ପରେ ଛତିଶଗଡ଼-ଓଡ଼ିଶା ସୀମାରେ ଏବେ ମଧ୍ୟ ନକ୍ସଲ ସକ୍ରିୟ ରହିଥିବା ସ୍ପଷ୍ଟ ହୋଇଛି।