ନକ୍ସଲ ସହିଦ ସପ୍ତାହ: ଦୁର୍ଗମ ଅଞ୍ଚଳରେ ମାଓବାଦୀ ପୋଷ୍ଟର, ଯବାନଙ୍କ କୁମ୍ବିଂ ଅପରେସନ୍‌ ଜାରି

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ପରି ଏଥର ମଧ୍ୟ ମାଓବାଦୀ ମାନେ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବା ଲାଗି ମାଓବାଦୀ ମାନେ ଆହ୍ୱାନ ଦେଇଛନ୍ତି । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପୋଷ୍ଟର ଏବଂ ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଶେଷକରି  ଯାନବାଇ ଠାରୁ ରାଲେଗଡା ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ଝୁଲାପୋଲ ନିକଟରେ ପିଏଲଜିଏ ସପ୍ତାହ ପାଳନ ନିମେନ୍ତେ ଅନେକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ମାଲକାନଗିରି ପୁଲିସ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରି କମ୍ବିଂ ଅପରେସନକୁ ଜୋରଦାର କରିବା ସହ ଗମନାଗମନ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ବିଶେଷ କରି ଚିତ୍ରକୋଣ୍ଡା ବ୍ଲକର ଅଧିକାଂଶ ଗ୍ରାମ ଆନ୍ଧ୍ରପ୍ରଦେଶ ସୀମା ନିକଟବର୍ତୀ ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଏଣୁ ଏହିସବୁ  ସମ୍ବେଦନଶୀଳ ଅଞ୍ଚଳରେ ବିଏସ୍‌ଏଫ୍‌, ଏସ୍ଓ‌ଜି, ଡିଭିଏଫ୍‌ ଯବାନମାନେ ଜୋରଦାର କୁମ୍ବିଂ ଅପରେସନ ଜାରି ରଖିଛନ୍ତି । ସୀମାରେ ଅଚିହ୍ନା ଲୋକଙ୍କର ଯାନବାହାନ ଯାଞ୍ଚ୍ କରାଯାଉଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ବିଭାଗର ଗୁଇନ୍ଦା ସଂସ୍ଥାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମାଓବାଦୀ ପିଏଲଜିଏ ସପ୍ତାହ ପାଳନ ସମୟରେ ଯେକୌଣସି ହିଂସାକାଣ୍ଡର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଦୁର୍ଗମ ଅଞ୍ଚଳରେ ଲୋକମାନେ ଭୟ ଓ ଆତଙ୍କରେ ରହିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାକୁ ସରକାରୀ ବସ୍ ଗୁଡିକର ଯାତାୟତକୁ ବାତିଲ୍ କରି ଦିଆଯାଇଛି । ଅନ୍ୟଦିଗରେ ପୁଲିସ ସ୍ୱାଭିମାନ ଅଂଚଳରେ ନକ୍ସଲଙ୍କୁ ଦମନ କରିବା ପାଇଁ ବିଏସଏଫ କ୍ୟାମ୍ପଗୁଡିକ ପ୍ରତିଷ୍ଠା କରୁଛି । ସ୍ୱାଭିମାନ ଅଂଚଳର ୭ଟି ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଆହୁରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜଣାପଡିଛି । ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କୁ ଦମନ କରିବା ନେଇ ପୁଲିସର ଲଗାତାର ସଫଳତାରେ ମାଓବାଦୀ ହିଂସାତ୍ମକ ହୋଇପଡିଛନ୍ତି। ସେମାନଙ୍କ ଗତିବିଧି ଉପରେ ରୋକ୍ ଲଗାଇବାରେ ସୁରକ୍ଷାକର୍ମୀ ଦିନରାତି ଏକ କରିଦେଇଛନ୍ତି । ଜାନବାଇ ଠାରୁ ଆରମ୍ଭ କରି ଗୋରାସେତୁ ପର୍ଯ୍ୟନ୍ତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଅଂଚଳରେ ମାଓବାଦୀଙ୍କ ଗତିବିଧି ଏକ ପ୍ରକାର ଠପ୍ ହୋଇଯାଇଛି। ଅଞ୍ଚଳକୁ ସମସ୍ତ ସରକାରୀ ବସ ବନ୍ଦ ରହିଥିବା ବେଳେ ବେସରକାରୀ ବସ ଓ ଗାଡି ମୋଟର ଚଳାଚଳ କରୁଛି।

ସମ୍ବନ୍ଧିତ ଖବର