ମାଲକାନଗିରି: ସୁରକ୍ଷାବାହିନୀ ସହ ଲଢ଼େଇ କରି ଶକ୍ତି ହରାଇ ସାରିଲେଣି ନକ୍ସଲ। ପାଖରେ ଅସ୍ତ୍ରଶସ୍ତ୍ର ନଥିଲା ବେଳେ ବହୁ ଟପ୍ କ୍ୟାଡର୍ ଏହା ମଧ୍ୟରେ ନିହତ ହୋଇ ସାରିଛନ୍ତି। ସେମାନଙ୍କୁ ପୂର୍ବଭଳି ଆଉ ଜନସମର୍ଥନ ମିଳୁନି। ଟଙ୍କାର ଉତ୍ସ ବି ବନ୍ଦ ହୋଇଯାଇଛି। ଫଳରେ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାରେ ମୁଣ୍ଡବ୍ୟଥାର କାରଣ ସାଜିଥିବା ନକ୍ସଲ ସଙ୍ଗଠନ ଶେଷରେ ଶାନ୍ତି ଆଲୋଚନା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ସଂଗଠନ ବିରୋଧରେ ସରକାର ଆରମ୍ଭ କରିଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରନ୍ତୁ। ବିନା ସର୍ତ୍ତରେ ଉଭୟପକ୍ଷ ଏକାଠି ବସି ଆଲୋଚନା କରିବା ଉଚିତ। ଶାନ୍ତି ଆଲୋଚନା ନିମନ୍ତେ ନକ୍ସଲ ସଂଗଠନ ପ୍ରସ୍ତୁତ ରହିଛି। ଆଜି ପ୍ରେସ୍ ବିଜ୍ଞପ୍ତି ଜାରି କରି ସରକାରଙ୍କୁ ଏମିତି ପ୍ରସ୍ତାବ ଦେଇଛନ୍ତି ମାଓବାଦୀ ସଙ୍ଗଠନର କେନ୍ଦ୍ରୀୟ ସଚିବ ଅଭୟ। ଆସନ୍ତା ୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ଗସ୍ତ କରିବେ। ଏହା ପୂର୍ବରୁ ନକ୍ସଲ ଶାନ୍ତି ସ୍ଥାପନ ଲାଗି ଆଲୋଚନା କରିବାକୁ ପ୍ରସ୍ତାବ ଦେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଛତିଶଗଡ଼ରେ ବିଜେପି ପୁଣି କ୍ଷମତାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ବିଜୟ ଶର୍ମା ଆଲୋଚନା ପାଇଁ ନକ୍ସଲ ଆଗକୁ ଆସିବା ନିମନ୍ତେ ପରାମର୍ଶ ଦେଇଥିଲେ। ଯାହାକୁ ଗ୍ରହଣ କରି ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍ କମିଟିର ଗଣମାଧ୍ୟମ ପ୍ରତିନିଧି ଆଲୋଚନା ଲାଗି ସରକାରଙ୍କୁ ଦୁଇଥର ପ୍ରସ୍ତାବ ଦେଇଥିଲେ। ତେବେ ଅପରେସନ୍ ‘କଗାର’ ନାଁରେ ଆଦିବାସୀଙ୍କୁ ହତ୍ୟା ବନ୍ଦ କରିବା, ବସ୍ତର ଅଞ୍ଚଳରେ ନିୟୋଜିତ ସଶସ୍ତ୍ର ବାହିନୀକୁ କ୍ୟାମ୍ପରେ ରଖିବା, ନୂଆ ଶିବିର ପ୍ରତିଷ୍ଠା ନ କରିବାକୁ ନକ୍ସଲ ସଂଗଠନ ପକ୍ଷରୁ ସରକାରଙ୍କୁ କୁହାଯାଇଥିଲା। ଯାହାର କୌଣସି ଉତ୍ତର ରଖି ନଥିଲେ ଛତିଶଗଡ଼ ସରକାର।
ଅପରପକ୍ଷରେ ଆଜିକୁ ୧୫ ମାସ ହେଲା ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିଛନ୍ତି। ସୁରକ୍ଷା ବାହିନୀର ସଂଘର୍ଷରେ ପିଏଲ୍ଜିଏର ୪୦୦ରୁ ଅଧିକ ନେତା, ଶ୍ରମିକ, କମାଣ୍ଡ, ସଦସ୍ୟ ଏବଂ ନିରୀହ ଆଦିବାସୀ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ହଜାର ହଜାର ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଗିରଫ କରି ଜେଲ୍ରେ ରଖିଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।