ମାଓବାଦୀଙ୍କ ସହିଦ ସପ୍ତାହ : ଦାରିଙ୍ଗବାଡ଼ିରେ ଲାଲ୍‌ ବ୍ୟାନର୍,ପୋଷ୍ଟର

ଦାରିଙ୍ଗବାଡ଼ି : ସହିଦ ସପ୍ତାହ ପାଳନ ତୃତୀୟ ଦିନରେ ପହଞ୍ଚିଥିବାବେଳେ କନ୍ଧମାଳ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରିଛନ୍ତି ମ‌ାଓବାଦୀ। ଆଜି ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଇଲାକାର କେତେକ ସ୍ଥାନରେ ମାଓବାଦୀଙ୍କ ଲାଲ ରଙ୍ଗର ବ୍ୟାନର ଓ ପୋଷ୍ଟର ଦେଖିବାବୁ ମିଳିଛି। ପୁଲିସ ଏହାକୁ ଜବତ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତରାତିରେ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ମାଓବାଦୀଙ୍କ ଲେଖା ପୋଷ୍ଟର  ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହିଭଳି, ସିମନବାଡ଼ି-ବୁଡାଗୁଡ଼ା ରାସ୍ତା ଛକରେ ଲାଲ ବ୍ୟାନର୍ ଲଗାଯାଇଥିଲା। ସହିଦ ସପ୍ତାହକୁ ପ୍ରତି ଗାଁରେ ପାଳନ କରିବା; ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ଦୀର୍ଘକାଳୀନ ଯୁଦ୍ଧକୁ ତୀବ୍ର କରିବା ପ୍ରଭୃତି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଷ୍ଟର ତଳେ ‘ଜନ ମୁକ୍ତି ଛାପାମାରା ସେନା ଜିନ୍ଦାବାଦ , ସିପିଆଇ (ମାଓବାଦୀ) ଜିନ୍ଦାବାଦ, ବାଘୁନା ଡିଭିଜନାଲ କମିଟି ଲେଖା ଯାଇଛି। ପୁଲିସ ସମସ୍ତ ପୋଷ୍ଟର ଓ ବ୍ୟାନର୍ ଜବତ କରିଛି।

ପ୍ରକାଶଥାଉକି, ଗତ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ଯାଏ ମାଓବାଦୀ ସହିଦ ସପ୍ତାହ ପାଳନ କରୁଥିବାବେଳେ ଦାରିଙ୍ଗବାଡ଼ିରୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।

ବିସ୍ଫୋରଣରେ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ଦାନ୍ତେଵାଡା ଜିଲ୍ଲାରେ ଆଜି ସକାଳେ ବିସ୍ଫୋରଣ ହୋଇ ଜଣେ ଯବାନ ସହିଦ ହୋଇଛନ୍ତି।

ଦନ୍ତେଵାଡା ଏସିପି ଅଭିଷେକ ପଲ୍ଲବଙ୍କ କହିବା ଅନୁଯାୟୀ, ୧୯୫ ସିଆରପିଏଫ ବାଟାଲିୟନର ଯବାନମାନେ ବସ୍ତର ଜିଲ୍ଲାର ମାରଡୁମ ଥାନା ଅଂଚଳକୁ କମ୍ବିଂ ଅପରେସନରେ ଯାଇଥିଲେ। ଆଜି ସକାଳ ପ୍ରାୟ ୬ଟା ବେଳେ ଫେରୁଥିବା ବେଳେ ଜଂଗଲରେ ପୋତା ଯାଇଥିବା ପ୍ରେସର ବୋମା ଉପରେ ଯବାନ ରୋଶନ କୁମାର (୨୩)ଙ୍କ ପାଦ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏନ୍‌କାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଜିଲ୍ଲାର ଭଦ୍ରାଦି କୋଠାଗୁଡୁମ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଆଲ୍ଲାପାଲୀ ଗୁଣ୍ଡାଲା ଠାରେ କମ୍ବିଂ ଅପରେସନରେ ବାହାରିଥିବା ପୁଲିସ ସହ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ନକ୍ସଲ ସଂଗଠନର ଜିଲ୍ଲା ସଚିବ ଲିଙ୍ଗାର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳର ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ମାଲକାନଗିରି ସୀମାନ୍ତକୁ ସିଲ କରିଦିଆଯିବା ସହ ସମସ୍ତ ଅଚିହ୍ନା ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର