ନକ୍ସଲଙ୍କ ୩୯ଟି ସ୍ପାଇକ୍‌ ହୋଲ୍‌ ଠାବ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲଙ୍କ ମୃତ୍ୟୁର ଫାଶରୁ ଅଳ୍ପକେ ବର୍ତ୍ତିଛନ୍ତି ସିଆରପିଏଫ୍‌ ଯବାନ। ଘଞ୍ଚ ଜଙ୍ଗଲରେ ୭୪ ବାଟାଲିୟନ ସିଆରପିଏଫ୍ ଯବାନ କମ୍ବିଂ ଅପରେସନ ସମୟରେ ୩୯ଟି ସ୍ପାଇକ୍ ହୋଲ୍ ଠାବ କରିଛନ୍ତି। ପାଲମପାଲୀ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କୁ ଆମ୍ବୁସରେ ଫସାଇବା ପାଇଁ ଏହି ସ୍ପାଇକ୍ ହୋଲ୍ ନକ୍ସଲ କରିଥିବା ସୂଚନା ମିଳିଛି। ତେବେ ଯବାନଙ୍କ ସତର୍କତା ଯୋଗୁ ଅଘଟଣ ପୂର୍ବରୁ ଠାବ୍ ହୋଇଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଆଦିବାସୀମାନେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଗାତ ଖୋଳି ସେଥିରେ ମୁନିଆ କାଠ ଏବଂ କଣ୍ଟା ଗଛ ପକାଉଥିଲେ। ନକ୍ସଲ ଏହି ଶିକାର ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରି ସ୍ପାଇକ୍‌ ହୋଲ୍‌ ପାଇଁ ଦେଢ଼ରୁ ଦୁଇ ଫୁଟର ଗାତ ଖୋଳି ସେଥିରେ ତୀକ୍ଷଣ୍ ଲୁହା ରୋଡ, ଲୁହା କଣ୍ଟା, କାଚ ଖଣ୍ଡ ଆଦି ଭର୍ତ୍ତି କରିଦେଉଛନ୍ତି। ଥରେ ଏହି ହୋଲ୍‌ରେ ପାଦ ପଡ଼ିଲେ ଗଭୀର କ୍ଷତ ହେବ ଏବଂ ବାହାରିବା ମଧ୍ୟ କଷ୍ଟକର। ଠିକ୍ ସମୟରେ ଉଦ୍ଧାର କରା ନ ଗଲେ ମୃତ୍ୟୁ ନିଶ୍ଚିତ। ନକ୍ସଲଙ୍କ ଏହି ମୃତ୍ୟୁର ଫାଶରେ ଅନେକ ସମୟରେ ବନ୍ୟଜନ୍ତୁ ପଡ଼ିବାର ନଜିର ରହିଛି। ସେହିପରି ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ ପାଇଁ ଯାଉଥିବା ଆଖପାଖର ଗ୍ରାମବାସୀ ବି ଏହି ଗାତରେ ପଡ଼ି ମୃତାହତ ହେବାର ଅନେକ ଉଦାହରଣ ରହିଛି। ତେବେ ପାଲମପାଲୀ ଜଂଗଲରେ ନକ୍ସଲ ପ୍ରାୟତଃ ପାଦ ପାଦକେ ସ୍ପାଇକ୍‌ ହଲ୍‌ ତିଆରି କରିଥିବା ଯବାନମାନେ ପୂର୍ବରୁ ଜାଣିଥିବାରୁ ଅତି ସତର୍କତାର ସହ ଯିବା ସମୟରେ ଏ ଗୁଡ଼ିକୁ ଠାବ କରିଥିଲେ।

ସମ୍ବନ୍ଧିତ ଖବର