ମାଲକାନଗିରି: ବର୍ଷା ଆଗମନ ସହ ଅଧିକ ଉଗ୍ର ହୁଅନ୍ତି ନକ୍ସଲ। ଘଂଚ ଜଂଗଲରେ ଲଗାଣ ବର୍ଷାରେ କୁମ୍ବିଂ ଅପରେସନ ପୁଲିସ ପାଇଁ ସେତେଟା ସହଜ ହୁଏ ନାହିଁ। ଏହାର ସୁଯୋଗ ନେଇ ନକ୍ସଲ ହିଂସା ଘଟାଇ ଚୁପଚାପ ଘଂଜ ଜଂଗଲକୁ ଚାଲିଯାନ୍ତି। ଯଦି ବି ପୁଲିସ ପିଛା କରି ଜଂଗଲକୁ ଯାଏ ସେତେବେଳକୁ ବହୁ ବିଳମ୍ବ ହୁଏ। ବିଳମ୍ବ ଯୋଗୁଁ ନକ୍ସଲ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ନିକଟସ୍ଥ ଗ୍ରାମରେ ଯାଇ ଆତ୍ମଗୋପନ କରିଥାନ୍ତି। ତେଣୁ ଚଳିତ ବର୍ଷ ନକ୍ସଲଙ୍କୁ ଉଚିତ ଜବାବ ଦେବା ପାଇଁ ମାଲକାନଗିରି ପୁଲିସ ସମେତ ପଡୋଶୀ ଛତିଶଗଡ଼ ପୁଲିସ ଏବେ ଠାରୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ରରେ ଅବସ୍ଥାପିତ ଅର୍ଦ୍ଧସାମରୀକ ବାହିନୀ ମଧ୍ୟ ଅପରେସନ ମନସୁନ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ବର୍ଷାଦିନେ ନକ୍ସଲ ବହୁ ଘଟଣା ଘଟାଇ ଅସ୍ତ୍ରଶସ୍ତ୍ରକୁ ଜଂଗଲରେ ଲୁଚାଇ ଦେଇ ବିଭିନ୍ନ ଗ୍ରାମରେ ଲୁଚି ରହିଥାନ୍ତି। ତେବେ ଏହା ପୂର୍ବରୁ ପୁଲିସ ନକ୍ସଲଙ୍କ ଉପରେ ଚଢାଉ କରିବ ବୋଲି ଜଣାପଡିଛି। ନକ୍ସଲ ବାଧ୍ୟ ହୋଇ ପୁଲିସ ଗୁଳିର ସାମ୍ନା କରିବ ବୋଲି ଛତିଶଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି।
Advertisment
ସୂଚନାଯୋଗ୍ୟ ଯେ ବର୍ଷକ ମଧ୍ୟରେ ନକ୍ସଲ ଯେତିକି ହିଂସାକାଣ୍ଡ ଘଟାଇଥାନ୍ତି ତାହାର ଏକ ଚତୁର୍ଥାଂଶ ଘଟଣା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ। ନକ୍ସଲ ଏହି ସମୟରେ ଉଗ୍ର ହୋଇଥାନ୍ତି।ଗତ ୨୦୧୫ ମସିହାରୁ ଯଦି ଦେଖିବା ନକ୍ସଲଙ୍କ ସହ ପୁଲିସର ଗୁଳି ବିନିମୟ, ନକ୍ସଲ ହିଂସା ୩୦ରୁ ୪୦ ପ୍ରତିଶତ ରହିଛି। ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ ଜୋରଦାର ହେବାରୁ ନକ୍ସଲ ପଛଘୁଞ୍ଚା ଦେଲେ। ଏବେ ପଡୋଶୀ ଛତିଶଗଡରେ ନକ୍ସଲ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଘନଘନ ବୈଠକ ସାଂଗକୁ ଗୁଇନ୍ଦାକୁ ସଜାଗ ରହିବା ପାଇଁ କୁହାଯାଉଛି। ଜିଲ୍ଲାରେ ପୁଲିସ ଏବଂ ବିଏସଏଫ ମିଳିତ ଭାବେ କୁମ୍ବିଂକୁ ଜୋରଦାର କରୁଛନ୍ତି। ବିଶେଷକରି ବିଛିନ୍ନାଞ୍ଚଳର ୯ଟି ପଞ୍ଚାୟତ ମାଥିଲି ବ୍ଲକର ୫ଟି ପଞ୍ଚାୟତ, କାଲିମେଳା ବ୍ଲକର ୭ଟି ପଞ୍ଚାୟତ, ପଡ଼ିଆ ବ୍ଲକର ୭ଟି ପଞ୍ଚାୟତ, ଖଇରପୁଟ ବ୍ଲକର ୫ଟି ପଞ୍ଚାୟତ, କୋରକୋଣ୍ଡା ବ୍ଲକର ୪ଟି ପଞ୍ଚାୟତରେ ନକ୍ସଲ ଗତିବିଧି ଉପରେ ନଜର ରଖାଯାଇଛି। ଜିଲ୍ଲାରୁ ନକ୍ସଲ ଦମନ ଏକ ପ୍ରକାର ହଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହାର ପ୍ରମାଣ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ପ୍ରଶାସନ ସମାପ୍ତ କରିଛି।
ବର୍ଷାଦିନେ ନକ୍ସଲ ହିଂସା ଘଟାଇ ସହଜରେ ଖସି ପଳାଉଥିବାରୁ ଜୁନ ଆରମ୍ଭରୁ ହିଁ ନକ୍ସଲଙ୍କ ଉପରେ ନଜର ରଖାଯାଇଛି। ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତିଶଗଡର ଘଂଚ ଜଂଗଲରେ ପଶିଛନ୍ତି ଯବାନ। ବର୍ଷାଦିନେ ନକ୍ସଲଙ୍କୁ ଦମନ କରିବାକୁ ହେଲେ ଆକାଶ ମାର୍ଗରୁ ମଧ୍ୟ ଆକ୍ରମଣ କରାଯାଇପାରେ ବୋଲି କୁହାଯାଇଛି।ପୋଲିସ ଡାଳେ ଡାଳେ ଗଲେ ନକ୍ସଲ ମଧ୍ୟ ପତରେ ପତରେ ଯାଉଛନ୍ତି।ବିଛିନ୍ନାଞ୍ଚଳର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗ୍ରାମ୍ୟ ଜଂଗଲରେ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟ ଜୋରଦାର କୁମ୍ବିଂ କରୁଥିବା ଜଣାପଡିଛି। ତେବେ ଚଳିତ ବର୍ଷ ଛତିଶଗଡରେ ନକ୍ସଲଙ୍କୁ ବେକଫୁଟରେ ରଖିବାକୁ ଯୋଜନା କରାଯାଇଥିବା ବେଳେ କୌଣସି ଅଘଟଣକୁ ଏଡାଇବାକୁ ପ୍ରସ୍ତୁତି ମଧ୍ୟ କରାଯାଇଛି। ତେବେ ତିନି ରାଜ୍ୟ ପଟରୁ ଯଦି ଏକାଥରକେ ଚଢାଉ ହେବ ତେବେ ନକ୍ସଲ ପଛଘୁଞ୍ଚା ଦେବା ସହ ବାଧ୍ୟ ହୋଇ ଏହି ଚାରିମାସ କୌଣସି ଘଟଣା ଘଟାଇପାରିବେ ନାହିଁ ବୋଲି କୁହାଯାଇଛି। ତେବେ ଚଳିତ ବର୍ଷା ଋତୁରେ କିଏ କାହା ଉପରେ ଭାରି ପଡୁଛନ୍ତି ଦେଖିବାକୁ ବାକି ରହିଲା।