ହିଂସାକାଣ୍ଡର ତରିକା ବଦଳାଉଛନ୍ତି ନକ୍ସଲ, ଲ୍ୟାଣ୍ଡମାଇନ୍‌ ବଦଳରେ ରକେଟ୍‌ ‌ବୋମା

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମେଳି କରୁଛନ୍ତି ନକ୍ସଲ। ପଶ୍ଚିମବଙ୍ଗ ନିର୍ବାଚନ ଘୋଷଣା ପରେ ସରଣ୍ଡା ମୁହାଁ ହୋଇଛନ୍ତି ନକ୍ସଲ। ହିଂସାକାଣ୍ଡ ଭିଆଇକୁ ତରିକା ବଦଳାଉଛନ୍ତି। ଲ୍ୟାଣ୍ଡମାଇନ୍‌ ବଦଳର ଆରମ୍ଭ କରିଛନ୍ତି ରକେଟ୍‌ ବୋମା। ଗୁଇନ୍ଦା ସୂଚନା ଆଧାରରେ ବେଶ୍‌ ସତର୍କ ହୋଇଛନ୍ତି କମ୍ବିଂ ଅପରେସନ୍‌ ସାମିଲ ହେଉଥିବା ସିଆର୍‌ଏଫ୍‌, ଝାଡ଼ଖଣ୍ଡ ଜାଗୁଆର ପୁଲିସ ଓ ସ୍ଥାନୀୟ ପୁଲିସ।

ଗତ ଦୁଇ ସପ୍ତାହ ତଳେ ପଶ୍ଚିମ ସିଂହଭୂମ ଟୋକଲା ଥାନା ସରଣ୍ଡା ଲାଞ୍ଜି ଜଙ୍ଗଲରେ ଯବାନଙ୍କ ବିରୋଧରେ ଯେଉଁ ବୋମା ବ୍ୟବହାର କରିଥି‌ଲେ, ତାହା ରକେଟ୍‌ ବୋମା ଥିଲା ବୋଲି କୁହାଯାଉଛି। ଲ୍ୟାଣ୍ଡମାଇନ୍‌ ପରି ଦୂରରେ ରହି ନକ୍ସଲମାନେ ଏହି ବୋମାକୁ ବ୍ୟବାହାର କରି ପାରିବେ। ଏହି ବୋମାକୁ ନକ୍ସଲମାନେ ଗଛ ଓ ପାହାଡ ଉପରେ ମଧ୍ୟ ଅତି ସହଜରେ ବ୍ୟବହାର କରି ପାରିବେ। ନକ୍ସଲମାନଙ୍କ ନିକଟରେ ଏହି ପ୍ରକାର ବୋମା ମାତ୍ରାଧିକ ଥିବା ମଜବୁତ ଥିବା ଗୁଇନ୍ଦା ବିଭାଗ ସୂଚନା ପାଇଛି। ନକ୍ସଲମାନେ ୩୫୦ରୁ ୪୦୦ ମିଟର ଦୂରରେ ରହି ଏହି ବୋମାକୁ ବ୍ୟବହାର କରିପାରିବେ। ପ୍ରଥମ କରି ନକ୍ସଲମାନେ ଏହି ପ୍ରକାର ବୋମା ବ୍ୟବହାର କରିବାକୁ ଯାଉଥିବାରୁ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସର ଚିନ୍ତା ବଢ଼ିଛି। ପଥର ଖାଦାନାରେ ବ୍ୟବହୃତ ହେଉଥିବା ବିସ୍ପୋଟକ ସାମଗ୍ରୀ ବିପୁଳ ପରିମାଣରେ ନକ୍ସଲମାନଙ୍କ ନିକଟରେ ପହଞ୍ଚୁଛି। ସୀମାନ୍ତରେ ଗିରଫ ଅନେକ ନକ୍ସଲ ଏହି କଥାକୁ ସ୍ବୀକାର କରିଛନ୍ତି। ହିଂସାକାଣ୍ଡ ଭିଆଇବାକୁ ନକ୍ସଲ ତରିକା ବଦଳାଉଥିବାରୁ ସତର୍କତା ଅବଲମ୍ବନ ପାଇଁ ସିଆର୍‌ପିଏଫ୍‌, ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ମାସେ ‌ହେଲାଣି ନକ୍ସଲ ସଙ୍ଗଠନ ସରଣ୍ଡା ମୁହାଁ ହୋଇଛନ୍ତି। ସରଣ୍ଡା ଜଙ୍ଗଲରେ ଏକଦା ରାଜୁତି କରୁଥିବା ନକ୍ସଲ ନେତା ସମରଜୀ ୨୦୧୯ରେ ମୃତ୍ୟୁ ପରେ ନକ୍ସଲ ଗତିବିଧି ସମ୍ପୂର୍ଣ୍ଣ ଥମି ଯାଇଛି। ସରଣ୍ଡାରୁ ଛୋଟନାଗପୁର ନକ୍ସଲ ଜୋନାଲ୍‌ କମିଟିର ପ୍ରାୟ ଅଧିକାଂଶ ନକ୍ସଲ ନେତା ଛତିଶଗଡ଼ ଚାଲିଯାଇଛନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ନକ୍ସଲମାନେ ଏବେ ସରଣ୍ଡାରେ ଆଡ୍ଡା ଜମାଇଛନ୍ତି। ଓଡ଼ିଶା ଓ ଝାଡ଼ଖଣ୍ଡ ଦୁଇଟି ରାଜ୍ୟର ଏହି ସର୍ବବୃହତ ସଂରକ୍ଷିତ ଜଙ୍ଗଲ ନକ୍ସଲଙ୍କୁ ଠାବ କରିବା ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନଙ୍କ ସହ ସ୍ଥାନୀୟ ପୁଲିସ ପାଇଁ ବଡ ଚାଲେଞ୍ଜ ହୋଇଛି। ରାତିରେ ହେଲେ ଘଞ୍ଚ ଜଙ୍ଗଲରେ ଚାଲୁଛି ନକ୍ସଲ କ୍ୟାମ୍ପ। ହିଂସାକାଣ୍ଡ ପାଇଁ ପ୍ରସ୍ତୁତି ହେଉଛି ବ୍ଲୁପ୍ରିଣ୍ଟ। ନିକଟରେ ହୋଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଏହାର ଏକ ଉଦାହରଣ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ସରଣ୍ଡାରେ ନକ୍ସଲମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ବିସ୍ଫୋରଣରେ ୩ ଯବାନ ନିହତ, ଦୁଇ ଯବାନ ଗୁରୁତର ହୋଇଥିଲେ। ଗୋଟିଏ ପଟେ ପଶ୍ଚିମବଙ୍ଗ ନକ୍ସଲଙ୍କ ମେଳି, ଅନ୍ୟ ପଟେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ କିଛି ମାସ ହେବ ଆଡ୍ଡା ଜମାଇଥିବା ନକ୍ସଲ ନେତା ମୋଚ୍ଛୁ ଓରଫ ମହାରାଜା ପ୍ରମାଣିକ ଓ ତାଙ୍କ ଦଳର ଗତିବିଧି ପଶ୍ଚିମ ସିଂହଭୂମ ଓ ସୁନ୍ଦରଗଡ ଜିଲ୍ଲା ପୁଲିସର ଚିନ୍ତା ବଢ଼ାଇଛି।

ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଓ ନୂଆଗାଁ ବ୍ଲକ ସୀମାନ୍ତ ଅଜୟକେଳା, ଠେଠେଇପୋଷ, ସୁକୁଡା, ଜରାଇକେଲା, ପିତଲ, ଚିତାପେଡି, ଉର୍ମେଇ ତଥା ପଶ୍ଚିମସିଂହଭୂମର ଧନାପଲ୍ଲୀ, ହୁର୍ଦା, ଗିର୍ଦା ଆଦି ଅନେକ ଗାଁ ସରଣ୍ଡା ଜଙ୍ଗଲ ପାର୍ଶ୍ବରେ ରହିଛି। ସଞ୍ଜ ନଇଁଲେ ନକ୍ସଲମାନେ ଏସବୁ ଗାଁରେ ଚଳପ୍ରଚଳ କରୁଛନ୍ତି। କିଛି ନକ୍ସଲ ନେତା ରାତିରେ ଏସବୁ ଗାଁରେ ପଶି ଲୋକଙ୍କୁ ଧମକ ଚମକ ଦେବାର ଖବର ମଧ୍ୟ ରହିଛି। ରାତି ଭୋଜନ ମଧ୍ୟ କରି ସେମାନେ ପୁଣି ସୀମାନ୍ତ ଜଙ୍ଗଲକୁ ଫେରି ଯାଉଛନ୍ତି। ଗତ ପ୍ରାୟ ଦୁଇ ମାସ ଧରି ନକ୍ସଲଙ୍କ ଗତିବଧି ଯୋଗୁଁ ଅସୁରକ୍ଷିତ ହୋଇପଡିଛି ଏସବୁ ସୀମାନ୍ତ ଗାଁ। ସଞ୍ଜ ନଇଁଲେ ପରିବାର ଲୋକ ଘରକୁ ବାହାରୁ ନାହାନ୍ତି। ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇ ପଡୁଛି। ଲ୍ୟାଣ୍ଡମାଇନ ବିସ୍ପୋରଣ ଭୟ ଥିବାରୁ ନକ୍ସଲଙ୍କ ଗତିବିଧି ଉପରେ ନଜର କରିଥିବା ସୁରକ୍ଷା ବାହିନୀ ମଧ୍ୟ ରାତିରେ ଏସବୁ ଗାଁରେ ପାଟ୍ରୋଲିଂ କରିବାକୁ ଭୟ କରୁଛନ୍ତି। ଅନୁରୂପ ଭାବେ ଜୀବନ ପ୍ରତି ଭୟ ଥିବାରୁ ଗାଁ ଲୋକେ ପୁଲିସ ଆଗରେ ଏମାନଙ୍କ ସଂକ୍ରାନ୍ତରେ କିଛି କହିବାକୁ ମୁହଁ ଖୋଲୁ ନାହାନ୍ତି। ଅବଶ୍ୟ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ବଢ଼ୁଥିବା ସୂଚନା ମିଳିବାପରେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର