ଭୁବନେଶ୍ବର: ୨୦୧୦ ମସିହା ବେଳକୁ ଓଡ଼ିଶାର ପାଖାପାଖି ୧୮ ଜିଲ୍ଲାରେ ନକ୍ସଲଙ୍କ ଦବ୍ଦବା ଥିଲା। ୨୦୦୪ ମସିହା ପରଠୁ ଓଡ଼ିଶାରେ ନକ୍ସଲଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିବାରେ ଲାଗିଥିଲା। ୨୦୦୪ରେ କୋରାପୁଟ ପୁଲିସ ଅସ୍ତ୍ରାଗାର ଉପରେ ଆକ୍ରମଣ, ୨୦୦୬ରେ ମୋଟୁ ଥାନାରେ ଆକ୍ରମଣ ଓ ୨୦୦୯ରେ ଦାମନଯୋଡ଼ି ସିଆଇଏସ୍ଏଫ୍ ଶିବିରରେ ଆକ୍ରମଣ ଭଳି ଭୟଙ୍କର କାଣ୍ଡ ଘଟାଇ ନକ୍ସଲମାନେ ଆତଙ୍କରାଜ ଚଳାଇଥିଲେ। ନକ୍ସଲ ଦମନରେ ପଛୁଆ ରହିଯାଇଥିବା ଓଡ଼ିଶାରେ ମାଓବାଦୀମାନେ ଏକ ସମାନ୍ତରାଳ ସରକାର ଚଳାଇଥିଲେ। କିନ୍ତୁ ୨୦୧୦ ପରେ ବିଏସ୍ଏଫ୍ ଓଡ଼ିଶାରେ ମୁତୟନ ହେବା ପରଠୁ ଧୀରେଧୀରେ ସ୍ଥିତିରେ ସୁଧାର ଆସିଲା। ଏବେ ମାତ୍ର ୭ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ଅଛନ୍ତି। ଗଞ୍ଜେଇ ଚାଷ ହେଉଥିବା କିଛି ଜିଲ୍ଲାରେ ସେମାନେ ତିଷ୍ଠି ରହିଛନ୍ତି। ଆକଳନ ଅନୁସାରେ, ଓଡ଼ିଶାର ୭ଜିଲ୍ଲାରେ ସକ୍ରିୟ ଥିବା ୬୦/୭୦ ନକ୍ସଲଙ୍କ ମଧ୍ୟରୁ ମାତ୍ର ୭/୮ଜଣ ଓଡ଼ିଆ ଅଛନ୍ତି। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ନକ୍ସଲମାନେ ଓଡ଼ିଶାରେ ନେତୃତ୍ବ ନେଉଛନ୍ତି। ଆସନ୍ତାକାଲି ବିଏସ୍ଏଫ୍ର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଆଜି ବିଏସ୍ଏଫ୍ ଆଇଜି ସିଡି ଅଗ୍ରୱାଲ୍ ଓଡ଼ିଶାରେ ମାଓ ସ୍ଥିତିକୁ ନେଇ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି।
ଆର୍ଥିକ ବଳ ଯୋଗାଉଛି ଗଞ୍ଜେଇ ଚାଷ
୨୦୨୬ ସୁଦ୍ଧା ମାଓମୁକ୍ତ ଓଡ଼ିଶା ପ୍ରତିଷ୍ଠା
ଚଳିତ ବର୍ଷ ଓଡ଼ିଶାରେ ବିଏସ୍ଏଫ୍ ଅପରେସନ୍ରୁ ମିଳିଥିବା ସଫଳତା ଅନୁସାରେ ୩ ଦୁର୍ଦାନ୍ତ ନକ୍ସଲ ନିହତ ହୋଇଛନ୍ତି ବୋଲି ଆଇଜି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। ସେହିଭଳି ୨୪ ଜଣ କ୍ୟାଡର୍ ନକ୍ସଲ୍ ଆତ୍ମସମର୍ପଣ କରିଛନ୍ତି। ବିଭିନ୍ନ ସମୟରେ ଚଢ଼ଉ କରାଯାଇ ୩୪ ଆଇଇଡି, ୧୧୭ ଗ୍ରେନେଡ୍ ଓ ବିପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇଛି। ଏବେ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଭଳି କିଛି ଘଞ୍ଚ ଜଙ୍ଗଲ ଥିବା ଜିଲ୍ଲାରେ ମାଓବାଦୀମାନଙ୍କ ଡେରା ରହିଛି। ଗଞ୍ଜେଇ ଚାଷ ସେମାନଙ୍କୁ ଆର୍ଥିକ ବଳ ଯୋଗାଉଛି। ସେ ପୁଣି କହିଛନ୍ତି ଯେ ୨୦୨୬ ସୁଦ୍ଧା ମାଓମୁକ୍ତ ଓଡ଼ିଶା ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଆହ୍ବାନ ଦେଇଛନ୍ତି। ସେହି ଲକ୍ଷ୍ୟସ୍ଥଳ ହାସଲ କରିବାକୁ ଓଡ଼ିଶା ପୁଲିସ ଓ ଗୁଇନ୍ଦା ବିଭାଗ ସହ ସମନ୍ବୟ ରକ୍ଷା କରି ବିଭିନ୍ନ ଅପରେସନ୍ କରାଯାଉଛି ଏବଂ ଡ୍ରୋନ୍ ଓ ସାଟେଲାଇଟ୍ ସର୍ଭିଲାନ୍ସକୁ ସମୃଦ୍ଧ କରାଯାଉଛି। ସ୍ଥାନୀୟ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ରୋଜଗାର ଉପରେ ଗୁରୁତ୍ବ ଦିଆଯାଉଛି। ୨୦୧୮ ମସିହାରେ ଲୋକାର୍ପିତ ହୋଇଥିବା ସ୍ବାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁ ଏହାର ସୁନ୍ଦର ଉଦାହରଣ। ଏହାଦ୍ବାରା ୧୫୧ ଗାଁର ୩୧ ହଜାରରୁ ଅଧିକ ଅଧିବାସୀଙ୍କୁ ବହୁ ସୁବିଧା ସୁଯୋଗ ମିଳିପାରିଛି। ୨୦୧୦ ମସିହା ପରଠୁ ବିଏସ୍ଏଫ୍ ସହାୟତାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୨,୧୧୬ ସ୍କୁଲ୍, ୧୦୩୭ ଡାକ୍ତରଖାନା, ୧୫୨ ପୋଲ ବା ସେତୁ ଓ ୬୩ ରୋଡ୍ ନିର୍ମାଣ କରାଯାଇଛି। ସେହିଭଳି ୯୯ ମୋବାଇଲ୍ ଟାୱାର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ଆଇଜି ଶ୍ରୀ ଅଗ୍ରୱାଲ୍ ସହିଦ ହୋଇଥିବା ଯବାନଙ୍କ ସ୍ମୃ୍ତିଚାରଣ କରିଥିଲେ। ୧୪ଜଣ ବିଏସ୍ଏଫ୍ ଯବାନ ଓ ଅଧିକାରୀଙ୍କର ଓଡ଼ିଶାରେ ମୃତ୍ୟୁ ହୋଇଛି ବୋଲି ସେ କହିଥିଲେ। ସେମାନଙ୍କ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଥିଲେ।
ନକ୍ସଲଙ୍କ ନୂଆ କୌଶଳ ‘ବିଅର୍ ବୋତଲ ବୋମା’, ଅଳ୍ପକେ ବର୍ତ୍ତିଲେ ଯବାନ, ଲୋକେ ଆତଙ୍କିତ
ମାଲକାନଗିରି, ୩୦/୧୧ (ଇମିସ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ବିଅର୍ ବୋତଲରେ ବୋମା ତିଆରି କରୁଛନ୍ତି ନକ୍ସଲ। ଯାହା ଗତକାଲିର ଘଟଣାରୁ ସ୍ପଷ୍ଟ ହୋଇଛି। ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ତେବେ ବିଅର୍ ବୋତଲ ବୋମାକୁ ନେଇ ପୁଲିସ ଚିନ୍ତାରେ ପଡ଼ିଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଜଙ୍ଗଲରେ ଗତକାଲି କମ୍ବିଂ ଅପରେସନ୍ ଚାଲିଥିଲା। ଯବାନଙ୍କୁ ଟାର୍ଗେଟ୍ କରି ନକ୍ସଲ ବିଅର୍ ବୋତଲ ବୋମା ଖଞ୍ଜିଥିଲେ। ପ୍ରେସର ବୋମା ସଦୃଶ ଏହି ବିଅର୍ ବୋତଲ ବୋମାକୁ ତିଆରି କରାଯାଇଥିଲା। ତେବେ ଯବାନମାନେ ବିଅର୍ ବୋତଲରେ କିଛି ସାମଗ୍ରୀ ରହିଥିବା ଦେଖି ସନ୍ଦେହ କରି ବୋମା ନିଷ୍କ୍ରିୟକାରୀ ଦଳକୁ ଖବର ଦେଇଥିଲେ। ଟିମ୍ ଆସି ବିଅର୍ ବୋମାକୁ ନିଷ୍କ୍ରିୟ କରିଥିଲେ। ବିଅର୍ ବୋତଲରେ ଦୁଇ କିଲୋ ଲେଖାଏଁ ବିସ୍ଫୋରକ ଭର୍ତ୍ତି କରି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ଜଙ୍ଗଲରେ ଲୁଚାଇ ରଖିଥିଲେ। ଯଦି କୌଣସି ବ୍ୟକ୍ତି କିମ୍ବା ସୁରକ୍ଷାକର୍ମୀ ଏହାକୁ ଉଠାଇଥାଆନ୍ତେ, ତେବେ ବିସ୍ଫୋରଣ ହୋଇଥାନ୍ତା। ନକ୍ସଲଙ୍କ ଏହି ନୂଆ କୌଶଳ ଆଗକୁ ସାଧାରଣ ଜନତାଙ୍କୁ ବିପଦରେ ପକାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଆଦିବାସୀମାନେ ଜଙ୍ଗଲ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଜଙ୍ଗଲରେ ବୋତଲ ପଡ଼ିଥିବା ଦେଖି ଯଦି କେହି ଉଠାଇବାକୁ ଚେଷ୍ଟା କରିବେ ତେବେ ବିସ୍ଫୋରଣ ହୋଇ ନିଶ୍ଚିତ ଜୀବନ ଚାଲିଯିବ। ଅନ୍ୟପକ୍ଷରେ ସ୍ଥାନୀୟ ଆଦିବାସୀ ମହୁଲି ମଦକୁ ଏଭଳି ବିଅର୍ ବୋତଲରେ ଧରି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ଏହି ବୋତଲ ଧରିବା ଲୋକେ ମଧ୍ୟ ପୁଲିସର ଟାର୍ଗେଟ୍ ହୋଇପାରନ୍ତି। ଆଗକୁ ପୁଲିସକୁ ଅଧିକ ସତର୍କ ହେବାକୁ ପଡ଼ିବ। ନଚେତ ଅକାଳରେ ଜୀବନ ଯିବାର ଆଶଙ୍କା ରହିଛି।