ଭୋଟ ପୂର୍ବରୁ ଲାଲ୍ ଆତଙ୍କ: ଗଳାକାଟି ଯୁବକଙ୍କୁ ହତ୍ୟା, ଆଉ ଜଣେ ନିଖୋଜ

ଭୋଟବର୍ଜନ ପାଇଁ ଚେତାବନୀ ଦେଇଥିଲେ, ଠିକ୍‌ ବର୍ଷକ ତଳେ ୨ ଜଣଙ୍କୁ ହତ୍ୟା କରିଥିଲେ

ତୁମୁଡ଼ିବନ୍ଧ : ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଉଗ୍ର ହୋଇଛନ୍ତି ଲାଲ୍‌ ବାହିନୀ। ପୁଲିସ ଇନ୍‌ଫର୍ମର୍‌ ସନ୍ଦେହରେ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଥାନା ଭଣ୍ଡରଙ୍ଗୀ ପଂଚାୟତ ଗୁମୁ ଗ୍ରାମର କପିଳ ମାଝୀ ନାମକ ଏକ ଯୁବକଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ଅନ୍ୟପଟେ ଏହି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ମାଓବାଦୀ ସାଙ୍ଗରେ ନେଇଯାଇଥିବା କୁହାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଯୁବକ ଜଣକ ଗ୍ରାମକୁ ଫେରି ନଥିବା ଓ ତାଙ୍କର ପତ୍ତା ମିଳୁ ନଥିବା ଗ୍ରାମବାସୀ କହିଛନ୍ତି। ମାଓବାଦୀ ଗ୍ରାମ ଛାଡ଼ିଯିବା ପୂର୍ବରୁ ଭୋଟବର୍ଜନ ପାଇଁ ମାଳମାଳ ପୋଷ୍ଟର୍‌ ଓ ବ୍ୟାନର୍‌ ଛାଡ଼ି ଯାଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି।

ଠିକ୍‌ ବର୍ଷକ ତଳେ ଏହି ପଞ୍ଚାୟତରେ ମାଓବାଦୀମାନେ ଉନ୍ମତ୍ତକାଣ୍ଡ ଘଟାଇଥିଲେ। ପୁଲିସ ଇନ୍‌ଫର୍ମର କହି ଗାଁ ଦାଣ୍ଡରେ ସରପଞ୍ଚ ଦ୍ରୌପଦୀ ପାତ୍ରଙ୍କ ପୁଅ ଭବାନୀଙ୍କ ଗଳାକାଟି ହତ୍ୟା କରିଥିଲେ। ସେହିପରି ତାଙ୍କର ସମ୍ପର୍କୀୟ ଜ୍ବାଇଁ ପୀତାମ୍ବରଙ୍କୁ ମଧ୍ୟ ହତ୍ୟା କରି ଶବକୁ ରାସ୍ତାରେ ଫୋପାଡ଼ି ଚାଲିଯାଇଥିଲେ।

ଏହି ଘଟଣା ପରେ ସରପଞ୍ଚଙ୍କ ପରିବାର ଭୟଭୀତ ହୋଇ ଗାଁ ଛାଡ଼ି ପଡ଼ୋଶୀ ଜିଲ୍ଲା କଳାହାଣ୍ଡି ଚାଲି ଯାଇଥିଲେ। ତେବେ, ଗ୍ରାମରେ ପୁଣିଥରେ ମାଓବାଦୀମାନେ ନିଜର ଉଗ୍ରରୂପ ଦେଖାଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ ଗୁମୁ ଗ୍ରାମରେ ପହଞ୍ଚି ସଭା କରିବା ସହ ଭୋଟବର୍ଜନ ଚେତାବନୀ ଦେଇଥିଲେ। ପରେ କପିଳଙ୍କୁ ଘରୁ ଡାକି ନେଇ ଗ୍ରାମର ଅନତିଦୂରରେ ଗଳାକାଟି ହତ୍ୟା କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ଆଜି ରାତି ୮ଟା ସୁଦ୍ଧା ଘଟଣାସ୍ଥଳରେ ପୁଲିସ୍‌ କି ସରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଏପରିକି, ଲ୍ୟାଣ୍ଡମାଇନ୍‌ ଭୟରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଦେଖିବାକୁ ମିଳିନି।

ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରାୟ ଶହେରୁ ଊର୍ଦ୍ଧ୍ବ ସଶସ୍ତ୍ର ମାଓବାଦୀ ନିକଟସ୍ଥ ଜଙ୍ଗଲରେ ଘୂରି ବୁଲୁଥିବାରୁ ଏବଂ ଗଁା ଗଁା ବୁଲି ପୁଲିସକୁ ଖବର ଦେଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଉଥିବାରୁ ସେମାନଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି। ଅନ୍ୟପକ୍ଷରେ, ପୁଲିସ୍‌ ଭୟଭୀତ ହେବାକୁ ପରାମର୍ଶ ଦେଉଥିଲେ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ, ତୁମୁଡ଼ିବନ୍ଧ ବ୍ଲକ୍‌ରେ ଭୋଟ୍‌ ଗ୍ରହଣ ଅବାଧ ଓ ନିରପେକ୍ଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ସପ୍ତାହ ହେଲା ମାଓବାଦୀ ଏହି ପଞ୍ଚାୟତରେ ଭୋଟବର୍ଜନ ପାଇଁ ପୋଷ୍ଟର୍‌ ଓ ବ୍ୟାନର୍‌ ମାରି ଚେତାବନୀ ଦେଇଥିଲେ। ଭଣ୍ଡରଙ୍ଗୀ ପଞ୍ଚାୟତ ନିକଟ ଝିରିପାଣିରେ ମାଓବାଦୀ ବ୍ୟାନର୍‌, ପୋଷ୍ଟର୍‌ ମାରିଥିବା ବେଳେ ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଂଚାୟତର କିଆମୁଣ୍ଡା ଗ୍ରାମରେ ରାସ୍ତା କରୁଥିବା ଠିକାଦାରଙ୍କ ଜେସିବି ଓ ଟ୍ରାକ୍ଟର ଆଦି ପୋଡ଼ି ଦେଇଥିଲେ। ଏହାବ୍ୟତୀତ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ଏହାପୂର୍ବରୁ ଗତ ୨୦୧୯ ସାଧାରଣ ନିର୍ବାଚନରେ ଫୁଲବାଣୀରୁ ଫିରିଙ୍ଗିଆ ଯାଉଥିବା ବେଳେ ସୁମରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ନିକଟରେ ପୁଲିଂ ପାର୍ଟି ଗାଡ଼ିକୁ ଅଟକାଇ ଦେଇଥିଲେ ମାଓବାଦୀ। ପୁଲିଂ ପାର୍ଟି ଅଧିକାରୀଙ୍କୁ ପଦାକୁ ବାହାର କରି ଗାଡ଼ିକୁ ଉଡ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର