ଓଡ଼ିଶାରେ ନକ୍ସଲ ଆକ୍ରମଣ : ୧୨ ବର୍ଷରେ ୧୦୦ରୁ ଅଧିକ ଯବାନ ସହିଦ

ଭୁବନେଶ୍ବର : ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ନକ୍ସଲଙ୍କ ବର୍ବୋରଚିତ ଆକ୍ରମଣରେ ୨୨ ସୁରକ୍ଷାକର୍ମୀ ସହିଦ ଘଟଣା ସାରା ଦେଶରେ କମ୍ପନ ସୃଷ୍ଟି କରିଛି। ଗତ କିଛି ମାସ ହେଲା ବଡ଼ଧରଣର ନକ୍ସଲ ହମଲା ବନ୍ଦ ରହିଥିବା ବେଳେ ଏହି ଅଚାନକ୍ ଆକ୍ରମଣକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଗୁଇନ୍ଦା ବିଭାଗ ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ବଡ଼ଧରଣର ଅପରେସନକୁ ଯିବା ସମୟରେ ଗୁଇନ୍ଦା ସୂଚନା ଠିକ୍ ଭାବେ ପରିଚାଳନା ହୋଇଥିଲା ତ? ଏସ୍ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର) ଠିକ୍ ଭାବେ ପାଳନ ହୋଇଥିଲା ତ? କେଉଁଠି ରହିଲା ଦୋଷତ୍ରୁଟି? ଯାହାଫଳରେ ୨୨ ସୁରକ୍ଷାକର୍ମୀଙ୍କ ଜୀବନ ଚାଲିଗଲା। ଏ ସବୁ ଦିଗକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଏହାରି ଭିତରେ ଜୋରଦାର କମ୍ବିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ଓଡ଼ିଶା ମୁହାଁ ହୋଇଥିବା କୁହାଯାଉଛି। ଯଦି ଓଡ଼ିଶାକୁ ଆସିଲେ ତାହେଲେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ଓଡ଼ିଶାରେ ମଧ୍ୟ ପୂର୍ବରୁ ଅନେକ ବଡ଼ଧରଣର ନକ୍ସଲ ଆକ୍ରମଣରେ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ନୟାଗଡ଼ ଅସ୍ତ୍ରାଗାର ହେଉ କି ପୁଲିସ ଟ୍ରେନିଂ ସ୍କୁଲ, ମାଲକାନଗିରିରେ ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ିକୁ ବିସ୍ଫୋରଣ କରି ଉଡ଼ାଇ ଦେବା, ଚିତ୍ରୋକୋଣ୍ଡା ଜଳ ଭଣ୍ଡାରରେ ଯବାନଙ୍କ ବୋଟକୁ ରକେଟ୍ ଲଞ୍ଚର ମାଡ଼, କୋରାପୁଟ ଗୋବିନ୍ଦପାଲ୍ଲୀ ଘାଟିରେ ଏସ୍ଓଜି ଯବାନଙ୍କ ଉପରକୁ ଆକ୍ରମଣ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ୨୦୦୮ରୁ ଏଯାଁଏ ୨୦୨୦ ପର୍ଯ୍ୟନ୍ତ ୧୨ ବର୍ଷ ଭିତରେ ନକ୍ସଲ ଆକ୍ରମଣରେ ଶହେରୁ ଅଧିକ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ସେହିପରି ଶତାଧିକ ଯବାନ ଆହତ ମଧ୍ୟ ହୋଇଛନ୍ତି। ଗୋଟିଏ ଗୋଟିଏ ବଡ଼ଧରଣର ଆକ୍ରମଣ ଆଲୋଡ଼ନ ସୃଷ୍ଟି କରିଛି। ସବୁ ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତର୍ଜମା କରାଯାଇଛି। କିନ୍ତୁ ନକ୍ସଲଙ୍କ ଆମ୍ବୁସ ସବୁ ସମୟରେ ଘାତକ ସାଜିଛି। ନକ୍ସଲଙ୍କ ହିଂସାକାଣ୍ଡ କମିଥିଲେ ମଧ୍ୟ ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ରହିଛି। ପୁଲିସ ପକ୍ଷରୁ ନିୟମିତ ଅପରେସନ୍ ଜାରି ରହିଥିବା ବେଳେ ଅନେକ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।

୨୦୦୮ ଫେବ୍ରୁଆରୀ ୧୫: ନୟାଗଡ଼ ପୁଲିସ ଅସ୍ତ୍ରାଗାର ଓ ପୁଲିସ ଟ୍ରେନିଂ ସ୍କୁଲ(ପିଟିଏସ୍) ଉପରେ ଆକ୍ରମଣ। ୧୩ ପୁଲିସ କର୍ମଚାରୀ ସହିଦ, ୧୫ ଆହତ।
୨୦୦୮ ଜୁନ୍: ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ସୁରକ୍ଷାକର୍ମୀଙ୍କ ବୋଟକୁ ରକେଟ୍ ଲଞ୍ଚର ମାଡ଼, ୩୮ ଯବାନ ସହିଦ, ୨୦ରୁ ଅଧିକ ଆହତ।
୨୦୦୮ ଜୁଲାଇ ୧୬: ମାଲକାନଗିରିରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଉଡ଼ିଗଲା ଆଣ୍ଟି ଲ୍ୟାଣ୍ଡ ମାଇନ୍ ଗାଡ଼ି, ୧୭ ପୁଲିସ ସହିଦ।
୨୦୦୯ ଏପ୍ରିଲ ୧୩: କୋରାପୁଟ ଦାମନଯୋଡ଼ିରେ ନାଲକୋର ବକ୍ସାଇଟ ଖଣିରେ ନକ୍ସଲଙ୍କ ସଂଘବଦ୍ଧ ଆକ୍ରମଣ, ୧୧ ସିଆଇଏସଏଫ୍ ଯବାନ ସହିଦ, ୧୫ ଆହତ।
୨୦୧୦ ଏପ୍ରିଲ ୪: କୋରାପୁଟ ଗୋବିନ୍ଦପାଲ୍ଲୀ ଟାଙ୍ଗିଣିଗୁଡ଼ାରେ ଏସ୍ଓଜି ଯବାନଙ୍କ ଉପରେ ଆକ୍ରମଣ, ୯ ସହିଦ, ୮ ଆହତ।
୨୦୧୭ ଫେବ୍ରୁଆରୀ ୨: ଏନ୍ଏଚ ୨୬ର କୋରାପୁଟ ସୁଙ୍କି ଘାଟିରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ପୁଲିସ ଗାଡ଼ିରେ କଟକକୁ ଟ୍ରେନିଂ ନେବାକୁ ଆସୁଥିବା ୭ ସହକାରୀ ଡ୍ରାଇଭର ସହିଦ।
୨୦୧୭ ଏପ୍ରିଲ ୨୫: ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟରେ ଆକ୍ରମଣ, ୩ ବିଏସ୍ଏଫ ଯବାନ ସହିଦ, ୬ ଆହତ।
୨୦୧୭ ଜୁନ୍ ୫: କଳାହାଣ୍ଡି-କନ୍ଧମାଳ ସୀମାର ଖମନଖୋଲ ଜଙ୍ଗଲରେ ଏସଓଜି ଯବାନ ସହିଦ।
୨୦୧୮ ଜୁଲାଇ ୧୩: କମ୍ବିଂ ସାରି ଫେରୁଥିବା ବେଳେ ଦଣ୍ଡାବାଲି ଗାଁରେ ନକ୍ସଲଙ୍କ ଆକ୍ରମଣରେ ବିଏସଏଫ୍ ଅଫିସର ଓ ଯବାନ ସହିଦ।
୨୦୨୦ ସେପ୍ଟେମ୍ବର ୯: କଳାହାଣ୍ଡି-କନ୍ଧମାଳ ସୀମାରେ ନକ୍ସଲ ଅପରେସନ ସମୟରେ ଦୁଇ ଏସ୍ଓଜି ଯବାନ ସହିଦ।

ସମ୍ବନ୍ଧିତ ଖବର