କଳାହାଣ୍ଡିରେ କାୟା ବିସ୍ତାର କରିବାରେ ଲାଗିଛି ଲାଲବାହିନୀ : ଗଡୁଛି ମୁଣ୍ଡ, ବଢୁଛି ଭୟର ବାତାବରଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ହିଂସ୍ରରୂପ ଧାରଣ କରୁଛି ଲାଲବାହିନୀ। ଜିଲ୍ଲାର ୧୩ଟି ବ୍ଲକରୁ ୧୧ଟି ବ୍ଲକରେ ଲାଲବାହିନୀ ନିଜ ସଂଗଠନର କାୟା ବିସ୍ତାର କରିବାରେ ଲାଗିଛି। ମାଓବାଦୀଙ୍କ ଟାର୍ଗେଟରେ ଠିକାଦାର ଓ ପୁଲିସ ଇନଫର୍ମର ଥିବା ବେଳେ ସାଧାରଣ ଲୋକ ମଧ୍ୟ ଭୟରେ ଜୀବନ ବିତାଉଛନ୍ତି। ଜିଲ୍ଲାର କେବଳ କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକ ବ୍ୟତୀତ ଭବାନୀପାଟଣା ସଦର ବ୍ଲକ, ଲାଞ୍ଜିଗଡ, ଥୁଆମୂଳ ରାମପୁର, ନର୍ଲା, ମଦନପୁର ରାମପୁର, ଗୋଲାମୁଣ୍ଡା, ଧର୍ମଗଡ, ଜୁନାଗଡ, କୋକସରା, ଜୟପାଟଣା, କଲମପୁର ବ୍ଲକରେ ଲାଲବାହିନୀ ନିଜର ସ୍ଥିତି ଜାହିର କରି ସାରିଛନ୍ତି। ଗତ ରବିବାର ଦିନ ୧୨ ଘଣ୍ଟା ମଧ୍ୟରେ ୨ଟି ମୁଣ୍ଡ ଗଡ଼ିବା‌ ଘଟଣା ସାଧାରଣରେ ଭୟର କାରଣ ପାଲଟିଛି।

indiatvnews.com

ସୂଚନାରୁ ପ୍ରକାଶ ଯେ, ଲାଞ୍ଜିଗଡ ବ୍ଲକରେ ଗତ୨୦୧୧ ମସିହା ଜୁଲାଇ ୨୭ ତାରିଖରେ ଅଜିତ ପଟ୍ଟନାୟକଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ୨୦୧୫ ମସିହା ଫେବ୍ରୁଆରି ୨ ତାରିଖରେ ତ୍ରିଲୋଚନପୁର ଗାଁର ଲକ୍ଷ୍ମୀ ନାରାୟଣ ପଟ୍ଟନାୟଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ୨୦୧୫ ମସିହାରେ ମଦନପୁର ରାମପୁର ବ୍ଲକର ପୋଇଝରି ଗ୍ରାମର ରମେଶ ମାଝୀକୁ ହତ୍ୟା କରିଥିଲେ। ୨୦୧୬ ମସିହା ନଭେମ୍ବର ୨ ତାରିଖରେ ଡଙ୍ଗାବାହାଲ ଜଙ୍ଗଲରେ ପୁଲିସ ଇନଫର୍ମର ସନ୍ଦେହରେ ତ୍ରିଲୋଚନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସାପଚଞ୍ଚରା ଗ୍ରାମର ଜୟନ୍ତ ମାଝୀଙ୍କୁ ମାଓବାଦୀମାନେ ହତ୍ୟା କରି ମାଓପୋଷ୍ଟର ଛାଡି ଚାଲି ଯାଇଥିଲେ। ୨୦୧୬ ମସିହା ଅକ୍ଟୋବର ୨୫ ତାରିଖରେ ଇନଫର୍ମର ସନ୍ଦେହରେ ଲାଞ୍ଜିଗଡ ବ୍ଲକର କଟଲାଙ୍ଗର ଚେମୁ ହରିଜନ, ସଲପାଙ୍ଗର ଲାଲୁ ନାଏକଙ୍କୁ ହତ୍ୟା କରିଥିଲେ। ୨୦୧୭ ମାର୍ଚ୍ଚ ୧୧ ତାରିଖରେ ରାସ୍ତାକାମକୁ ବିରୋଧ କରି ଗତକାଲି ମାଓବାଦୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ଠିକାଦାର ରାଜେନ୍ଦ୍ର ସାହୁଙ୍କ ବାଇକ ଓ ଜେସିବିକୁ ପୋଡି ଦେଇଥିଲେ। ସେହିଭଳି ୨୦୧୭ ମସିହା ମାର୍ଚ୍ଚ ମାସରେ କର୍ଲାପାଟ ଗ୍ରାମର ବନମାଳୀ ନାଏକକୁ ହତ୍ୟା କରିଥିଲେ। ୨୦୧୮ ମସିହା ଫେବ୍ରୁଆରି ୧୫ ତାରିଖରେ ବିଜେପୁର ଥାନା ଅନ୍ତର୍ଗତ ପାଜିବାହାଲି କ୍ୟାମ୍ପରେ ଠିକାଦାର ଟୁନୁ ଦାସଙ୍କୁ ଗୁଳିକରି ହତ୍ୟା କରିଥିଲେ।

ଚଳିତ ବର୍ଷ ଜୁଲାଇ ୨୧ ତାରିଖ ଦିନ ୧୨ଟାରେ ଲାଞ୍ଜିଗଡ ବ୍ଲକର ପାହାଡପଦର ପଞ୍ଚାୟତର ବୋରପଦର ଗ୍ରାମର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ମାଲିପଡା ବଜାରରେ ଗୁଳିକରି ହତ୍ୟା କରିଥିଲେ। ସେହିଦିନ ରାତିରେ ବିଶ୍ବନାଥପୁର ଥାନା ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ମୂଷାନାଳସ୍ଥିତ ବାବୁପଦର ଗ୍ରାମର ଭୀମ ଦୋରାଙ୍କୁ ଡୁକରିଗୁଡା ଠାରେ ଗୁଳିକରି ହତ୍ୟା କରିଛନ୍ତି। ଲାଲମୁଖା ଲାଲବାହିନୀ ଏବେ ପୁଲିସ ଇନଫର୍ମର ଓ ଠିକାଦାର ମାନଙ୍କୁ ହତ୍ୟା ନେଇ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଫଳରେ ପୁଲିସ ହାତରୁ ଖସିବାରେ ଲାଗିଛି ୧୧ଟି ବ୍ଲକର ମାଓକରିଡର। କର୍ଲାଦଲମରୁ ସୁନାବେଡା ଦଲମ ପର୍ଯ୍ୟନ୍ତ ଲମ୍ବିଥିବା ମାଓ କରିଡର ଏବେ ଅଶାନ୍ତ ହୋଇପଡିଛି।

India TV

ଜିଲ୍ଲାରେ ଡିଭିଏଫ ପୁଲିସ, ଆଇଆରବି, ସିଆରପିଏଫ ଯବାନକୁ ମାତ ଦେବା ପାଇଁ ମାଓବାଦୀ ସଂଗଠନ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନିଜର କାୟା ବିସ୍ତାର କରିବାରେ ଲାଗିଛି। ବାରମ୍ବାର ଅଞ୍ଚଳରେ ମୁଣ୍ଡ ଗଡୁଥିବା ବେଳେ ପୁଲିସ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳିବାରେ ଲାଗିଛି। ଗୋଟିଏ ଦିନରେ ଦୁଇଟି ହତ୍ୟାକାଣ୍ଡ ଜିଲ୍ଲା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଲାଲବାହିନୀ ନିଜସ୍ଥିତି ଜାହିର କରିବାରେ ଲାଗିଛି। ବାରମ୍ବାର ହତ୍ୟାକାଣ୍ଡ ଯୋଗୁଁ ପୁଲିସ ଇନଫର୍ମର ଓ ଠିକାଦାରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଏ ନେଇ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର