ରାଉରକେଲା/ବିଶ୍ରା: ଭାରତ ବନ୍ଦର ପୂର୍ବରାତିରେ ନକ୍ସଲ ସଙ୍ଗଠନ ହିଂସାକାଣ୍ଡ ଭିଆଇଛନ୍ତି। ଗୁରୁବାର ପ୍ରାୟ ସାଢ଼େ ୧୦ଟାବେଳେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଗୋଏଲକେରା-ପୋସେଇତା ଷ୍ଟେସନ ମଧ୍ୟବର୍ତ୍ତୀ କାରୋନଦୀ ରେଳପୋଲ ନିକଟରେ ହାୱଡା-ମୁମ୍ବାଇ ମୁଖ୍ୟ ଲାଇନ୍ର ଗୋଟିଏ ଧାରଣାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ରେଳଲାଇନ୍ ପାର୍ଶ୍ବରେ ଧମକପୂର୍ଣ୍ଣ ବ୍ୟାନର୍ ଲଗାଇ ପୁଣିଥରେ ନିଜ ଉପସ୍ଥିତି ଜାହିର କରିଛନ୍ତି। ନକ୍ସଲ୍ଙ୍କ ଶକ୍ତିଶାଳୀ ବିସ୍ଫୋରଣରେ ଡାଉନ୍ ଲାଇନ୍ର ଗୋଟିଏ ପାର୍ଶ୍ବ ଧାରଣା ପ୍ରାୟ ୧ ମିଟର୍ ବଙ୍କା ହୋଇ ଯାଇଥିଲା। ବିସ୍ଫୋରଣବେଳେ ବା ତା ଠିକ୍ ପରେପରେ କୌଣସି ଯାତ୍ରୀବାହୀ ଟ୍ରେନ୍ ସେହି ଲାଇନ୍ ଦେଇ ଯାଇ ନଥିବାରୁ କୌଣସି ପ୍ରକାର ଅଘଟଣ ଘଟି ନାହିଁ। ବିସ୍ଫୋରଣ ପରେ ହାୱଡା-ମୁମ୍ବାଇ ମୁଖ୍ୟମାର୍ଗରେ ପ୍ରାୟ ୧୧ ଘଣ୍ଟା ଧରି ରେଳ ଚଳାଚଳ ଠପ୍ ହୋଇଯାଇଥିଲା। ଚକ୍ରଧରପୁର ମଣ୍ଡଳର ବୈଷୟିକ ଦଳ ଓ ବରିଷ୍ଠ ଅଧିକାରୀ ପହଞ୍ଚି ରେଳ ଧାରଣା ମରାମତି ଓ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିବା ପରେ ଶୁକ୍ରବାର ସକାଳ ୯ଟା ୧୨ରେ ରାଉରକେଲା ଷ୍ଟେସନରେ ଅଟକିଥିବା ଟ୍ରେନ୍ ଗୁଡ଼ିକ ଛାଡିଥିଲା। ଝାଡ଼ଖଣ୍ଡ ପୁଲିସ ଓ ସିଆର୍ପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ରେଳ ଲାଇନ୍ରେ ଲଗାଯାଇଥିବା ମାଓପୋଷ୍ଟରକୁ ଜବତ କରିଥିଲେ।
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି। ସିପିଆଇ ମାଓ ସଙ୍ଗଠନ ବିସ୍ଫୋରଣ କରିଥିବା ସ୍ଥାନୀୟ ପୁଲିସ କହିଛି। ମାଓହିଂସା ପରେ ଶୁକ୍ରବାରଠାରୁ ରାତିବେଳା ଝାଡ଼ଖଣ୍ଡର ଉଭୟ ରାଞ୍ଚି ଓ ଚକ୍ରଧରପୁର ମାର୍ଗରୁ ରାଉରକେଲା ମଧ୍ୟରେ ଚଳପ୍ରଚଳ କରୁଥିବା ସମସ୍ତ ଟ୍ରେନ୍ର ବେଗ ହ୍ରାସ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଓଡ଼ିଶାର ଦେବଗଡ଼, ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ସମେତ ଝାଡ଼ଖଣ୍ଡର ପ୍ରଭାବିତ ଜିଲ୍ଲା ଗୁଡ଼ିକର ପୁଲିସକୁ ସତର୍କ ରହିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସିପିଆଇ ମାଓସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ମାଓବାଦୀଙ୍କ ବନ୍ଦ ଡାକରାକୁ ନେଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି କରାଯାଇଥିଲା। ଏହା ସତ୍ତ୍ବେ ରେଳଧାରଣା ଉଡ଼ାଇ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛି ମାଓବାଦୀ ସଙ୍ଗଠନ। ବିସ୍ଫୋରଣ କାରଣରୁ ହାୱଡା-ମୁମ୍ବାଇ ମୁଖ୍ୟ ମାର୍ଗ ଦେଇ ଯାତାୟତ କରୁଥିବା ୫ ଯୋଡ଼ା ଟ୍ରେନ୍କୁ ବାତିଲ କରାଯାଇଥିଲା।
ରାଉରକେଲା ଷ୍ଟେସନରେ ଏଲ୍ଟିଟି-ଶାଲିମାର୍ ଟ୍ରେନ୍ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ପରେ ଦିଗ ପରବିର୍ତ୍ତନ କରି ଏହା ହଟିଆ, ଆଦ୍ରା ଷ୍ଟେସନ ଦେଇ ଶାଲିମାର ଯାଇଥିଲା। ଉତ୍କଳ ଏକ୍ସପ୍ରେସ୍ ରାତି ସାଢ଼େ ୧୧ଟାରେ ଜରେଇକେଲା ଷ୍ଟେସନରେ ଅଟକି ରହିଥିଲା। ପୋରବନ୍ଦର-ଶାଲିମାର (୧୨୯୦୫) ଏକ୍ସପ୍ରେସ୍, ଜଗଦଲପୁର-ହାୱଡା ଏକ୍ସପ୍ରେସ୍ (୧୮୦୦୬), ଶାଲିମାର- ଏଲ୍ଟିଟି ଏକ୍ସପ୍ରେସ୍ (୧୮୦୩୦), ପୁନେ-ହାୱଡା ଏକ୍ସପ୍ରେସ୍ (୧୨୧୨୯), ହାୱଡା- ସିଏସ୍ଟିଏମ୍ ଏକ୍ସପ୍ରେସ୍ (୧୨୮୧୦), ହାୱଡା- ପୁନେ ଏକ୍ସପ୍ରେସ୍ (୧୨୨୨୨) ମନୋହରପୁରରୁ ଗୋଏଲକେରା ଷ୍ଟେସନ ମଧ୍ୟରେ ପ୍ରାୟ ୧୦ ଘଣ୍ଟା ଅଟକି ରହିଥିଲା। ରାଉଲକେଲା-ଝାଡସୁଗଡ଼ା ( ୦୮୧୬୭/୦୮୧୬୮) ପାସେଞ୍ଜର, ଚକ୍ରଧରପୁର-ରାଉଲକେଲା (୦୮୧୬୩/୦୮୧୬୪ ) ପାସେଞ୍ଜର, ରାଉରକେଲା-ଟାଟାନଗର (୦୮୧୪୫/୦୮୧୪୬) ପାସେଞ୍ଜର, ଟାଟାନଗର-ଇତବାରି (୦୮୧୦୯) ପାସେଞ୍ଜର, ଝାଡ଼ସୁଗଡା-ହଟିଆ(୦୮୧୭୫/୦୮୧୭୬) ପାସେଞ୍ଜର, ବୀରମିତ୍ରପୁର-ବରସୁଆ (୦୮୧୨୧/୦୮୧୨୨) ପାସେଞ୍ଜର ଶୁକ୍ରବାର ପାଇଁ ବାତିଲ କରା ଯାଇଥିଲା।
ମାଓବାଦୀ ବିସ୍ଫୋରଣ ପରେ ଚକ୍ରଧରପୁର-ରାଉରକେଲା ମାର୍ଗରେ ଯାତ୍ରୀ ସୁରକ୍ଷା ନେଇ ଏବେ ଚିନ୍ତାରେ ପଡ଼ିଛି ରେଳବାଇ। ପୁଣିଥରେ ରାତିରେ ଏହି ମାର୍ଗଦେଇ ଟ୍ରେନ୍ ଚଳାଚଳ ବନ୍ଦ ରଖିବା ଉପରେ ବିଚାର କରୁଛି। ଏ ସମ୍ପର୍କରେ ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍ ଗଜରାଜ ସିଂହ କହିଛନ୍ତି, ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଆସିଲେ ଏହି ମାର୍ଗରେ ରାତିରେ ଟ୍ରେନ୍ ଚଳାଚଳ ବନ୍ଦ କରାଯିବ। ଉଲ୍ଲେଖଯୋଗ୍ୟ, ୧୩ ବର୍ଷ ତଳେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ୫୭୧ ଦିନ ଅର୍ଥାତ୍ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଏହି ମାର୍ଗରେ ରାତିରେ ଟ୍ରେନ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ୨୦୧୦ ମେ ୨୭ ରାତିରେ ମାଓବାଦୀମାନେ ଝାଡ଼ଗ୍ରାମ ଷ୍ଟେସନ ନିକଟରେ ବିସ୍ଫୋରଣ କରିବାରୁ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୫୦ରୁ ଅଧିକ ରେଳଯାତ୍ରୀଙ୍କ ଜୀବନ ଯାଇଥିଲା।