ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ସମେତ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ବ୍ଲକର ଆଭ୍ୟନ୍ତରୀୟ ଅଂଚଳରେ ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି।

Advertisment

ଆସନ୍ତା ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ବ୍ୟାନର ଝୁଲାଇ ନକ୍ସଲ ଏହି ଆହ୍ବାନ ଦେଇଛନ୍ତି। ଜାତୀୟ ରାଜପଥ ୬୩ରେ ନକ୍ସଲଙ୍କ ଗୋଟିଏ ବ୍ୟାନର ଝୁଲିଥିବା ଆଜି ଦେଖିବାକୁ ମିଳିଛି। ଏଥିରେ କ୍ରାନ୍ତିକାରୀଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର ଯୋଜନା କରୁଥିବା ନେଇ ଉଲ୍ଲେଖ ହୋଇଛି। ତେଣୁ ସରକାରଙ୍କୁ ସିଧାସଳଖ ବିରୋଧ କରି ସପ୍ତାହେ ବ୍ୟାପୀ ବନ୍ଦ ପାଳନ ପାଇଁ ନକ୍ସଲ ଡାକରା ଦେଇଛନ୍ତି। ଦୁଇ ରାଜ୍ୟରେ ଏମିତି ବ୍ୟାନର ମାରି ନକ୍ସଲ ବନ୍ଦ ଆହ୍ବାନ ଦେବାପରେ ଉଭୟ ରାଜ୍ୟର ପୁଲିସ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ କରିଛି। ରାଜ୍ୟ ସୀମାରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯିବା ସହ ସର୍ଚ ଅ‌ପରେସନ ଜାରି ରହିଛି। ସନ୍ଦିଗ୍ଧ ଗତିବିଧି ଉପରେ ବିଏସଏଫ ନଜର ରଖିଛି। ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇ ଆବଶ୍ୟକ ପଡ଼ିଲେ ବିଏସଏଫକୁ ଅପରେସନ ପାଇଁ ପଠାଇବାକୁ ନିର୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି। ତେବେ ନକ୍ସଲଙ୍କ ଭାରତ ବନ୍ଦର ପ୍ରଭାବ ମାଲକାନଗିରି ଜିଲ୍ଲାରେ କେଉଁଭଳି ପଡ଼ୁଛି ଦେଖିବାକୁ ବାକି ରହିଲା।