ରାୟଗଡ଼ା ସୀମାରେ ନକ୍ସଲଙ୍କ ଡେରା, ରାତି ଅଧରେ ଗାଁରେ ପଶି ଖାଇବାକୁ ମାଗୁଛନ୍ତି

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ପୁଣି ବଢ଼ିବାରେ ଲାଗିଛି ମାଓବାଦୀଙ୍କ ଗତିବିଧି। ରାୟଗଡ଼ା ବ୍ଲକ୍‌ର ଶେଷଖାଲ ଥାନା, କୋଲନରା ବ୍ଲକ୍‌ର ମୁକୁନ୍ଦପୁର ଫାଣ୍ଡି ଇଲାକାରେ ସାଦା ପୋଷାକରେ ବୁଲୁଛନ୍ତି। ଦିନ ତମାମ ଘଞ୍ଚ ଜଙ୍ଗଲରେ ରହିବା ପରେ ରାତି ଅଧରେ ଗାଁକୁ ଯାଇ ବୈଠକ କରି ଖାଇବାକୁ ମାଗୁଛନ୍ତି। ଏଥିସହ ସଭ୍ୟ ସଂଗ୍ରହ ଅଭିଯାନକୁ ଗୁରୁତ୍ବ ଦେଇ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଶେଷଖାଲ ଥାନାର ପିପିଳଗୁଡା-ସାନ୍ଧୁବାଡ଼ିରୁ ମୀରାବାଲି ଦେଇ ମୁକୁନ୍ଦପୁରକୁ ଯାତାୟାତ କରୁଛନ୍ତି ମାଓବାଦୀ। ଏହି ରାସ୍ତା ଆନ୍ଧ୍ର ସୀମାକୁ ଲାଗିଥିବା ସହ ପାହାଡ଼ିଆ ଅଞ୍ଚଳରେ ଥିବାରୁ ମାଓବାଦୀଙ୍କ ଗତିବିଧିକୁ ଠାବ କରିବା ପୁଲିସ ପାଇଁ ସହଜ ହୋଇପାରୁନି। ଗତକାଲି ରାତିରେ ୭ରୁ ୮ଜଣ ମାଓବାଦୀ ସାଦା ପୋଷାକରେ ବନ୍ଧୁକ ଧରି ଯାଉଥିବା ଗ୍ରାମବାସୀ ଦେଖିବା ପରେ ଭୟଭୀତ ହୋଇ ଯାଇଥିଲେ। ପୁଲିସ ନା ମାଓବାଦୀ ତାକୁ ନେଇ ଗ୍ରାମବାସୀ ଦ୍ବନ୍ଦ୍ବରେ ପଡ଼ିବା ପରେ ତାଟି କବାଟ ପକାଇ ଘରେ ରହିଥିଲେ। ସପ୍ତାହେ ହେଲା ନିୟମିତ ଭାବେ ମାଓବାଦୀ ଏହି ରାସ୍ତା ଦେଇ କୋଲନରା-ରାମନାଗୁଡ଼ା ଅଞ୍ଚଳ ସହ ଆନ୍ଧ୍ରକୁ ଯାଉଛନ୍ତି।

ବିଗତ ଦିନରେ କୋଲନରା ବ୍ଲକ୍‌ର ୱାରଧା, ପାଣ୍ଡରାତୋଳା, କିନାରୀମେଡ଼ା, ବଇମାଡ଼ା ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିବାରୁ ପୁଣି ଏହି ଇଲାକାରେ ନିଜ ସଂଗଠନକୁ ସୁଦୃଢ଼ କରିବାକୁ ମାଓବାଦୀ ଚେଷ୍ଟା ଜାରି ରଖିଛନ୍ତି। କିଛି ଗ୍ରାମକୁ ମାଓବାଦୀ ରାତି ସାଢ଼େ ଗୋଟାଏରେ ଯାଇ ଗ୍ରାମବାସୀଙ୍କୁ ଉଠାଇ ଖାଇବାକୁ ମାଗିଥିବା ମଧ୍ୟ ଜଣା ପଡ଼ିଛି। ପୂର୍ବରୁ ମାଓବାଦୀଙ୍କ ସ୍ଥିତି ସଂପର୍କରେ ଗ୍ରାମବାସୀ ଜାଣିଥିବାରୁ ନିରୁପାୟ ହୋଇ କିଛି ଖାଇବାକୁ ଦେଇଥିବା ବେଳେ ଆଉ କିଛି ଗ୍ରାମବାସୀ ଖାଦ୍ୟ ନାହିଁ ବୋଲି ମନା କରିଥିଲେ। ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ସହ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେସାଲ୍ ଜୋନାଲ୍ କମିଟିର ଟପ୍ କ୍ୟାଡର ମାଓବାଦୀ ଏହି ସବୁ ଇଲାକାରେ ଡେରା ପକାଇଛନ୍ତି।

ଆନ୍ଧ୍ରର ବିଜୟନଗରମ୍, ରାୟଗଡ଼ାର କୋଲନରା-ରାମନାଗୁଡ଼ା-ରାୟଗଡ଼ା ବ୍ଲକ୍ ଅଞ୍ଚଳରେ ସଂଗଠନକୁ ସୁଦୃଢ଼ ପାଇଁ ନୂଆ ନୀତି ଆପଣାଇଛନ୍ତି ମାଓବାଦୀ। ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ରହିଛି ରାୟଗଡ଼ା-କୋଲନରା-ରାମନାଗୁଡ଼ା ବ୍ଲକ୍‌ର ୨୦ରୁ ଊର୍ଦ୍ଧ୍ବ ଗାଁ। ଏହି ସବୁ ଗାଁକୁ ଲାଗି ରହିଛି ଘଞ୍ଚ ଜଙ୍ଗଲ ଓ ପାହାଡ଼। ପାହାଡ଼ର ଗୋଟିଏ ପାର୍ଶ୍ବରେ ଓଡ଼ିଶା ଏବଂ ଅନ୍ୟ ପାର୍ଶ୍ବରେ ଆନ୍ଧ୍ର ଥିବାରୁ ମାଓବାଦୀଙ୍କ ଗତିବିଧି ବଢ଼ିବାରେ ଲାଗିଛି। ୭ବର୍ଷ ତଳେ କୋଲନରା ବ୍ଲକ୍‌ର ଅପହଞ୍ଚ ଇଲାକା ମାଓବାଦୀଙ୍କ ଗଡ଼ ୱାରଧାରେ ମାଓ କ୍ୟାମ୍ପ ଚାଲିଥିବା ସ୍ପଷ୍ଟ ହେବା ପରେ ଆନ୍ଧ୍ର ଏସଓଜି, ଗ୍ରେ-ହାଉଣ୍ଡ ଯବାନ ଅପରେସନ୍ ଆରମ୍ଭ କରିଥିଲେ। ପୁଲିସ ଏନକାଉଣ୍ଟରରେ ବହୁ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଆନ୍ଧ୍ର ପୁଲିସ ୩ ମାଓବାଦୀଙ୍କ ମୃତଦେହକୁ ଠାବ କରିଥିଲା। ଗୁଳିମାଡ଼ ପରେ ପାହାଡ଼ ଶିଖରରୁ ବହୁ ମାଓବାଦୀ ତଳକୁ ଖସି ପଡ଼ିବା ସହ ଘଞ୍ଚ ଜଙ୍ଗଲରେ ପଡ଼ି ରହିବା କାରଣରୁ ମୃତଦେହ ଠାବ କରିବାରେ ଆନ୍ଧ୍ର ଯବାନ ସକ୍ଷମ ହୋଇନଥିଲେ। ସେହିପରି ୨୦୦୪ ସାଧାରଣ ନିର୍ବାଚନ ସମୟରେ ପିପିଳଗୁଡ଼ା ନିକଟରେ ମାଓବାଦୀଙ୍କ ଗୁଳି ମାଡ଼ରେ ଜଣେ ପୁଲିସ କର୍ମୀ ସହିଦ୍ ହୋଇଥିଲେ। ଆନ୍ଧ୍ର ପୁଲିଂ ପାର୍ଟି ଭାବି ମାଓବାଦୀ ଗୁଳି ଚଲାଇଥିଲେ। ପୁଲିସ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ଏହି ସବୁ ଅଞ୍ଚଳରେ ଅପରେସନ୍ ଜୋରଦାର୍ ହୋଇଥିଲା। ସମୟକ୍ରମେ ଏହି ଅଞ୍ଚଳରେ ସକ୍ରିୟ ଥିବା ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ନିଜ ସତ୍ତା ହରାଇଥିଲା। ହେଲେ କନ୍ଧମାଳ-ଗଜପତି ସୀମାନ୍ତର ଚନ୍ଦ୍ରପୁର, ମୁନିଗୁଡ଼‌ା ସହ କଳାହାଣ୍ଡି-ରାୟଗଡ଼ା ସୀମାର କାଶୀପୁର, କଲ୍ୟାଣସିଂହପୁର, ବିଷମକଟକ ବ୍ଲକର ନିୟମଗିରି ଏରିଆ କମିଟି ସକ୍ରିୟ ରହିଥିଲା। ନିକଟରେ ବାଘୁନା ଡିଭିଜନର ନେତ୍ରୀ ରିଙ୍କି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ବେଳେ ଅମ୍ବାଦଳା ଥାନାର କାର୍କାମାର୍କା ଜଙ୍ଗଲରେ ଥିବା ମାଓ କ୍ୟାମ୍ପକୁ ଠାବ କରିଥିଲା ପୁଲିସ। ଯାହା ପୁଣି ଆନ୍ଧ୍ର-ଓଡ଼ିଶା ସୀମାରେ ମାଓବାଦୀଙ୍କ ଉପସ୍ଥିତିକୁ ପ୍ରମାଣ କରୁଛି। ଧୀରେ ଧୀରେ ସଂଗଠନ ବୃଦ୍ଧି ପାଇଁ ମାଓ ସଂଗଠନ ଉଦ୍ୟମ ଜାରି ରଖିଥିବାରୁ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ହୋଇଛି। ଏ ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍‌ପଚାରିବାରୁ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ଅପରେସନ୍ ଜାରି ରହିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର