ବିଏସ୍‌ଏଫ କବ୍‌ଜାରେ ନକ୍ସଲ ‘ରାଜଧାନୀ’

ମାଲକାନଗିରି : ନକ୍ସଲଙ୍କ ଗଡ଼ ଥିଲା ସ୍ବାଭିମାନ ଅଞ୍ଚଳ। ଆଉ ଏହି ଗଡ଼ର ରାଜଧାନୀ ଥିଲା ଗୋରାସେତୁ ଅଞ୍ଚଳ। ଦୀର୍ଘ ୪୦ବର୍ଷ ଧରି ଏହି ଗୋରାସେତୁ ଅଞ୍ଚଳରୁ ନିୟନ୍ତ୍ରଣ ହେଉଥିଲା ନକ୍ସଲଙ୍କ ସମସ୍ତ କାର୍ଯ୍ୟକଳାପ। ଦୁଇ ବର୍ଷ ତଳେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ସହ ଭୁଶୁଡ଼ିବା ଆରମ୍ଭ ହୋଇଥିଲା ଏହି ସୁରକ୍ଷିତ ଗଡ଼। ଶେଷରେ ଆଜି ଏହାକୁ ଅକ୍ତିଆର କରି ସୁରକ୍ଷା ଏବଂ ବିକାଶର ବାର୍ତ୍ତା ଦେଇଛନ୍ତି ବିଏସ୍‌ଏଫ ଯବାନ।

ଗୋରାସେତୁ ସ୍ଥିତ ଏହି କାର୍ଯ୍ୟାଳୟକୁ ନକ୍ସଲ ରାମଗୁଡ଼ା ସହିଦ କାର୍ଯ୍ୟାଳୟ ଭାବେ ନାମିତ କରିଥିଲେ। ଏହା ପଛରେ ବି କାହାଣୀ ରହିଛି। ୨୦୧୮ ମସିହା ଅକ୍ଟୋବର ୨୪ ତାରିଖ ଦିନ ସ୍ବାଭିମାନ ଅଞ୍ଚଳର ରାମାଗୁଡ଼ାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲେ। ଏଥିରେ ୩୦ରୁ ଊର୍ଦ୍ଧ୍ବ ନକ୍ସଲ ନିହତ ହୋଇଥିଲେ। ସହିଦ ସାଥୀଙ୍କ ପାଇଁ ଏହି କୋଠାକୁ ଉତ୍ସର୍ଗ କରି ଉପରୋକ୍ତ ନାମକରଣ କରାଯାଇଥିଲା। କାର୍ଯ୍ୟାଳୟ ଭିତରେ ନିହତ ସମସ୍ତ ନକ୍ସଲଙ୍କ ଫଟୋ ମଧ୍ୟ ଆଜି ପର୍ଯ୍ୟନ୍ତ ରହିଥିଲା। ସେଣ୍ଟ୍ରାଲ କମିଟିର ଅନେକ ସଦସ୍ୟ ଏହି କାର୍ଯ୍ୟାଳୟରେ ରାତ୍ରୀଯାପନ କରିଥିବା ବେଳେ ଅନେକ ନକ୍ସଲ ଅନ୍ୟ ଜିଲ୍ଲା ତଥା ରାଜ୍ୟରେ ହିଂସା ଘଟାଇ ଏଠାରେ ଆସି ଆ‌ତ୍ମଗୋପନ କରୁଥିଲେ। ଅନେକ ବଡ଼ ଅଘଟଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତିର ବି ଏହି କୋଠା ମୂକସାକ୍ଷୀ।

ବିଏସ୍‌ଏଫ୍‌ ଯବାନ ଏବେ ସ୍ବାଭିମାନ ଅଞ୍ଚଳରେ ମାଡ଼ି ଚାଲିଥିବା ବେଳେ ନକ୍ସଲଙ୍କ ଗୋଟିଏ ପରେ ଗୋଟିଏ ଠିକଣାକୁ ଧୂଳିସାତ କରି ଚାଲିଛନ୍ତି। ପୂର୍ବରୁ ଯୋଡ଼ାମ୍ବ ସ୍ଥିତ ଲାଲକୋଠି (ନକ୍ସଲଙ୍କ କାର୍ଯ୍ୟାଳୟ)କୁ ନିଜ ଦଖଲକୁ ନେଇଥିଲେ ଯବାନ। ଏହିକ୍ରମରେ ଆଜି ପାଳି ପଡ଼ିଥିଲା ଗୋରାସେତୁ ସ୍ଥିତ ଏହି କାର୍ଯ୍ୟାଳୟର। ନବମ ବାଟାଲିୟନର ଯବାନ ଆଜି ଏହି ଅଞ୍ଚଳକୁ ଘେରିବା ସହ କାର୍ଯ୍ୟାଳୟ ପରିସରରେ ହିଁ ଅସ୍ଥାୟୀ କ୍ୟାମ୍ପ ସ୍ଥାପନ କରିଛନ୍ତି। ଏପରିକି ଏଠାରୁ ହିଁ ଆଗକୁ ନକ୍ସଲ ଦମନ ଅଭିଯାନ ପାଇଁ ଯୋଜନା ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଯବାନମାନେ କାର୍ଯ୍ୟାଳୟ ଭିତରେ ପଶିବା ବେଳକୁ କିଛି ଟ୍ରଫି ଏବଂ ନକ୍ସଲଙ୍କ ଫୋଟ ଦେଖିବାକୁ ମିଳିଥିଲା। ଏପରିକି ନକ୍ସଲଙ୍କୁ ସମ୍ମାନିତ କିମ୍ବା ପୁରସ୍କାର ଦେବାକୁ ବି ଏହି କୋଠାକୁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ସେହିପରି ଗୋଟିଏ ପାର୍ଶ୍ବରେ ରୋଷେଇ ଘର ମଧ୍ୟ ରହିଛି। ଚାଲି ଚାଲି ଆସୁଥିବା ନକ୍ସଲ ଏଠାରେ ରାତ୍ରୀ ଯାପନ କରୁଥିଲେ। କ୍ୟାଡର ନକ୍ସଲ ଆସିଲେ କାର୍ଯ୍ୟାଳୟରେ ହିଁ ବିଶ୍ରାମ କରୁଥିଲେ। ତେଣୁ କାର୍ଯ୍ୟାଳୟ ଚାରିପଟେ ତାର ବାଡ଼ରେ ପାଚେରି ନିର୍ମାଣ କରାଯାଇଥିଲା। ଯାହାକୁ ଡେଇଁ ଭିତରେ ପଶିବା କଷ୍ଟକର ଥିଲା। କିନ୍ତୁ ସୁରକ୍ଷା କର୍ମୀ ଏହାକୁ ନିଜ ଅଧୀନକୁ ନେଇ ସାରିଥିବାରୁ ନକ୍ସଲଙ୍କ ପାଇଁ ଶକ୍ତ ଧକ୍କା ବୋଲି ବିଚ‌ାର କରାଯାଉଛି।

ସମ୍ବନ୍ଧିତ ଖବର