ମାଲକାନଗିରି: ଜୀବନ ପ୍ରତି ବିପଦ ରହିଛି। ତେଣୁ ଶାନ୍ତିବାର୍ତ୍ତା ଲାଗି ବିକଳ ହେଉଛନ୍ତି ନକ୍ସଲ। ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇ ବିଫଳ ହେବାପରେ ଏବେ ଚାପ କୌଶଳ ପ୍ରୟୋଗ କରିଛନ୍ତି। ଆଜି ସୀମାନ୍ତ ଛତିଶଗଡ଼ର ଇନ୍ଦ୍ରାବତୀ ନଦୀ ତଟରେ ୧୦ ପଞ୍ଚାୟତର ଲୋକ ଏକାଠି ହୋଇ ଆଲୋଚନା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ସରକାର ଏ ପର୍ଯ୍ୟନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। କେବଳ ଆତ୍ମସମର୍ପଣ ମାର୍ଗକୁ ଖୋଲା ରଖିଛନ୍ତି। ସୀମାନ୍ତ ଛତିଶଗଡ଼ରେ ଲଗାତାର ଅପରେସନ୍ ଚାଲିଛି। ମିସନ ମୋଡ୍ରେ ରହିଛନ୍ତି ସୁରକ୍ଷାକର୍ମୀ। ଟପ୍ କ୍ୟାଡର ନିହତ ହେଉଛନ୍ତି। ବହୁ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି। ଅସ୍ତିତ୍ବ ପାଇଁ ଲଢ଼େଇ ଜାରି ରଖିଥିଲା ବେଳେ ଜୀବିତ ରହିବା ପାଇଁ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି। ମୂଳପୋଛ ହେବା ପୂର୍ବରୁ ସରକାରଙ୍କ ସହ ଆଲୋଚନା କରିବାକୁ ସଂଗଠନ ଆଗ୍ରହ ଦେଖାଇଛି। ଗତ ଦେଢ଼ ମାସ ମଧ୍ୟରେ ୩ରୁ ୪ଥର ସରକାରଙ୍କୁ ଶାନ୍ତିବାର୍ତ୍ତା ଲାଗି ପ୍ରସ୍ତାବ ଦେଇଛନ୍ତି। ଯାହାକୁ ଗ୍ରହଣ କରୁନାହାନ୍ତି ସରକାର। ତେଣୁ ଜନତାଙ୍କ ଦ୍ବାରା ଶାନ୍ତିବାର୍ତ୍ତା ଲାଗି ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ସମାଜସେବୀ ସୋନୀ ସୁରିଙ୍କ ନେତୃତ୍ବରେ ବଡ଼ ଆଲୋଚନା କରାଯାଇଛି। ୧୦ ପଞ୍ଚାୟତର ଶତାଧିକ ଲୋକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ନକ୍ସଲ ଏବଂ ପୁଲିସ ମଧ୍ୟରେ ଚାଲିଥିବା ଲଢ଼େଇରେ ନିରୀହ ଲୋକ ବଳି ପଡ଼ୁଛନ୍ତି। ନିରୀହ ଆଦିବାସୀଙ୍କୁ ପୁଲିସ ଇନ୍ଫର୍ମର ଦର୍ଶାଇ ନକ୍ସଲ ହତ୍ୟା କରୁଛନ୍ତି। ସେହିପରି ଆଦିବାସୀଙ୍କୁ ନକ୍ସଲଙ୍କ ସହଯୋଗୀ ବୋଲି କହି ପୁଲିସ ଅତ୍ୟାଚାର କରୁଛି। ଏମିତି ସ୍ଥିତିରେ ଆଦିବାସୀ କ’ଣ କରିବେ ବୋଲି ସୋନୀ ସୁରି ପ୍ରଶ୍ନ କରିଛନ୍ତି। ଉଭୟପକ୍ଷ ଏକାଠି ବସି ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରନ୍ତୁ। ସଂଘର୍ଷ ବନ୍ଦ ହେଲେ ଗ୍ରାମାଞ୍ଚଳର ଲୋକ ସ୍ବାଭାବିକ ଜୀବନ ବଞ୍ଚିପାରିବେ। ଆଦିବାସୀ ନିର୍ଭୟରେ ଜଙ୍ଗଲକୁ ଯିବେ। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ଚାପ ପରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।
ସୂଚନାଯୋଗ୍ୟ, ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା କରିବାକୁ କିଛି ମାସ ହେଲା ହିଂସାଠାରୁ ଦୂରେଇ ରହିଛନ୍ତି। ଏପରିକି ସମସ୍ତ ସଦସ୍ୟଙ୍କୁ ଆକ୍ରମଣ ନ କରିବା ଲାଗି ସଂଗଠନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୬ମାସ ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ଗୋଟିଏ ବି ଗୁଳି ଫୁଟିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସରକାର ଯେଉଁଠାରେ ଚାହିଲେ ସେଠାରେ ପହଞ୍ଚି ଆଲୋଚନା କରିବୁ ବୋଲି ସଂଗଠନ ପୁନର୍ବାର ଅପିଲ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/29/WGj8iQr05PNm9RR9H3Kw.jpg)