ମାଲକାନଗିରି: ନକ୍ସଲଙ୍କୁ ଲାଗିଛି ଆର୍ଥିକ ଝଟ୍କା। ବଟି ଆଦାୟ କରି ଲୁଚାଇ ରଖିଥିବା ନଗଦ ୩୮ଲକ୍ଷ ଟଙ୍କା ଠାବ ହୋଇଛି। ସୀମାନ୍ତ ଛତିଶଗଡ଼ର ଧାମତରୀ ଓ ଗୋରିଆବନ୍ଦ ପୁଲିସ ଗାତ ଖୋଳି ୧୨ଲକ୍ଷ ଟଙ୍କାର ଦୁଇହଜାର ଟଙ୍କିଆ ନୋଟ୍ ଓ ୨୬ ଲକ୍ଷ ଟଙ୍କାର ୫ଶହ ଟଙ୍କିଆ ନୋଟ୍ ଜବତ କରିଛନ୍ତି। ଦୈନନ୍ଦିନ ଖର୍ଚ୍ଚ ନିମନ୍ତେ ନକ୍ସଲ ନଗଦ ବ୍ୟବହାର କରିଥାନ୍ତି। ଏଥିପାଇଁ ବିଭିନ୍ନ ଉତ୍ସରୁ ନଗଦ ସଂଗ୍ରହ କରିଥାନ୍ତି। କିଛି ମାସ ହେଲା ଛତିଶଗଡ଼ ପୁଲିସ ଓ କେନ୍ଦ୍ରୀୟ ଫୋର୍ସ ଅପରେସନ୍କୁ ଜୋର୍ଦାର କରିବାରୁ ନକ୍ସଲ ଜଙ୍ଗଲ ଛାଡ଼ି ଆତ୍ମଗୋପନ କରିଛନ୍ତି। ବ୍ୟବହାର କରୁଥିବା ସାମଗ୍ରୀକୁ ଘଞ୍ଚ ଜଙ୍ଗଲରେ ପୋତି ଦେଇଛନ୍ତି।
ଯାହାକୁ ବର୍ତ୍ତମାନ ଛତିଶଗଡ଼ ପୁଲିସ ସନ୍ଧାନ କରୁଛି। ଏହିକ୍ରମରେ ଗୋବରା ଓ ପେଣ୍ଡ୍ରା ଜଙ୍ଗଲରେ ପୁଲିସ ସହ ସିଆର୍ପିଏଫ୍ ଯବାନ ମିଳିତ ଭାବେ ନକ୍ସଲ ଡମ୍ପ ଖୋଜାଖୋଜି କରୁଥିଲେ। ଗୋଟିଏ ସ୍ଥାନରେ ପ୍ରାୟ ୧୦ଫୁଟ୍ ଗାତ ଖୋଳିବା ପରେ ନଗଦ ୩୮ଲକ୍ଷ ଟଙ୍କା ସହ ୨୩ଟି ବିଜିଏଲ୍, ୨ଟି ଟିଫିନ୍ ବୋମା, ୧୩ଟି ଡେଟୋନେଟର୍, ଗୋଟିଏ ବଣ୍ଡଲ ଫ୍ୟୁଜ୍ ତାର, ୨କିଲୋ ବାରୁଦ, ସେନସର୍ ରିମୋଟ୍, ବିଦ୍ୟୁତ୍ ତାର, ମାଓ ପୋଷାକ, କଳା ପୋଷାକ ଆଦି ମାଟି ତଳୁ ବାହାରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା ୨ହଜାର ଟଙ୍କିଆ ମିଳିବା। କାରଣ ଏହି ନୋଟ୍ ବ୍ୟବହାରକୁ ସରକାର ସଂପୂର୍ଣ୍ଣ ବନ୍ଦ କରିସାରିଛନ୍ତି। ତଥାପି ନକ୍ସଲ ନୋଟ୍ ପାଖରେ ରଖିବା ପଛର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇପାରିନି। ପ୍ରାଥମିକ ତଦନ୍ତରୁ ଓଡ଼ିଶା ରାଜ୍ୟ କମିଟି ଅନ୍ତର୍ଗତ ଧାମତରୀ-ଗୋରିଆବନ୍ଦ-ନୂଆପଡ଼ା ଡିଭିଜନ୍ ଏହି ନୋଟ୍କୁ ପୋତିଥିବା ଜଣାପଡ଼ିଛି।