ମାଲକାନଗିରି : ଟପ୍ କ୍ୟାଡର ନକ୍ସଲ ନିହତ ଏବଂ ଗିରଫ ପରେ ଦୁର୍ବଳ ହେବାରେ ଲାଗିଛି ମାଓ ସଂଗଠନ। ଏପରିକି ବହୁ କ୍ୟାଡର ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସପର୍ମଣ କରିବା ସଂଗଠନକୁ ଧକ୍କା ଦେଇଛି। ଏଭଳି ସ୍ଥିତିରେ ବଳ ଗୋଟାଇବାକୁ ସଂଗଠନ ପୂରା ଜୋର ଲଗାଇ ଦେଇଛି। ସୀମାନ୍ତ ଛତିଶଗଡ଼ରେ ବାରମ୍ବାର ହିଂସାକାଣ୍ଡ ଘଟାଇ ମାଲକାନଗିରି ଜିଲ୍ଲାର ଘଞ୍ଚ ଜଙ୍ଗଲକୁ ଆତ୍ମଗୋପନ ପାଇଁ ଚାଲି ଆସୁଛନ୍ତି। ଯାହାର ପ୍ରମାଣ ଗତ କିଛି ଦିନ ହେଲା ପୁଲିସର ସଫଳ ଅପରେସନରୁ ସ୍ପଷ୍ଟ ହୋଇଯାଉଛି। ତେବେ ସଂଗଠନ ଆଉ ପୂର୍ବଭଳି ଯୁବକ, ଯୁବତୀଙ୍କ ଉପରେ ଭରସା କରିପାରୁ ନାହିଁ। କାରଣ କିଛି ବର୍ଷ କାମ କରିବା ପରେ ଏମାନେ ବିଭିନ୍ନ କାରଣରୁ ସଂଗଠନ ଛାଡ଼ୁଛନ୍ତି। ସ୍ବାବଲମ୍ବୀ ହୋଇ ପାରିବାରିକ ଜୀବନ ବିତାଇବାକୁ ବି ଆଗ୍ରହ ଦେଖାଉଛନ୍ତି। ତେଣୁ ନାବାଳିକ, ନାବାଳିକାଙ୍କୁ ସଂଗଠନ ମୁହଁ କରିବାକୁ ବର୍ତମାନ ଭର୍ତି ଚାଲିଛି। ଏପରିକି କିଛି ସ୍ଥାନରେ ଏମାନଙ୍କୁ ତାଲିମ ଦିଆଯାଉଥିବା ଜଣାପଡ଼ିଛି।
କିଛି ଦିନ ତଳେ ଛତିଶଗଡ଼ରେ ପୁଲିସ କମ୍ବିଂ ଅପରେସନ ସମୟରେ ୪ଜଣଙ୍କୁ ଗିରଫ କରିଥିଲା। ସେଥିରେ ଜଣେ ନାବାଳିକା ରହିଥିବା ପୁଲିସ କହିଥିଲା। ସେହିପରି କିଛି ହିଂସାକାଣ୍ଡରେ ନାବାଳକ ସିଧାସଳଖ ସଂପୃକ୍ତ ଥିବା ନେଇ ପୁଲିସ ପ୍ରମାଣ ମିଳିଛି। ନିରୀହ ତଥା ଆଦିବାସୀ ନାବାଳକ, ନାବାଳିକା ନକ୍ସଲଙ୍କ ପ୍ରଲୋଭନରେ ଫସି ଯାଉଥିବା ବେଳେ ଏବେ ଗାଁ ଗାଁ ବୁଲି ସମର୍ଥନ ପାଇଁ ବୈଠକ କରି ସେମାନଙ୍କୁ ସଂଗଠନରେ ଭର୍ତି କରୁଛନ୍ତି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ବହୁ ନାବାଳିକା ଏବଂ ନାବାଳକ ବି ନକ୍ସଲଙ୍କ କଥାରେ ପଡ଼ି ସଂଗଠନରେ ପଶିଥିବା କୁହାଯାଉଛି। ଯଦିଓ ଏମାନେ ଅସ୍ତ୍ରଶସ୍ତ୍ର ଧରି ସମ୍ମୁଖ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି। ତଥାପି ପୁଲିସର ଗତିବିଧି ସଂପର୍କରେ ସୂଚନା ଦେବା। ରାସନ ସହ ଅନ୍ୟାନ୍ୟ ସାମଗ୍ରୀ ନେଇ ଦେବା କାମରେ ନିୟୋଜିତ ହେଉଛନ୍ତି। ଏହାବ୍ୟତୀତ ଅନ୍ୟ କେତେକ ଛୋଟମୋଟ କାମ ଯେତିମି ବ୍ୟାନର, ପୋଷ୍ଟର ମାରିବା ଏବଂ ରାସ୍ତା ଅବରୋଧ ଭଳି କାମ ଏମାନଙ୍କ ଦ୍ବାରା ନକ୍ସଲ କରାଉଛନ୍ତି।
ପଡ଼ୋଶୀ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଲାଣି। ଏହାକୁ ଭଣ୍ଡୁର କରିବାକୁ ନକ୍ସଲ ଏବେ ଛତିଶଗଡ଼ ମୁହାଁ ହେଲେଣି। ଏମିତିରେ ନକ୍ସଲଙ୍କ ବାଲ୍ବାହିନୀ ଖୁବ୍ ସକ୍ରିୟ ରହିଥିବା ଗୁଇନ୍ଦା ସୂଚନା ମିଳିଛି। ବିଶେଷ କରି ଯବାନଙ୍କ ଗତିବିଧି ଉପରେ ଏମାନେ ନଜର ରଖୁଛନ୍ତି। ସେହିପରି କିଛି ଜଣ ଏବେ ସ୍ବତନ୍ତ୍ର ତାଲିମ ନେଉଛନ୍ତି। ବିସ୍ଫୋରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଜାତିସଂଘ ବି ସ୍ବୀକାର କରିଛି ଯେ ଛତିଶଗଡରେ ପିଲାଙ୍କୁ ନିଜର ଢାଲ ବନାଉଛନ୍ତି ନକ୍ସଲ। ତେଣୁ ତୁରନ୍ତ ନକ୍ସଲ କବଳରୁ ପିଲାଙ୍କୁ ଉଦ୍ଧାର କର।
ମାଲକାନଗିରି ସ୍ବାଭିମାନ ଅଂଚଳ ଏବଂ ଛତିଶଗଡର ସୁକମା ଅଂଚଳରେ ପିଲାଙ୍କୁ ବନ୍ଧୁକ ଚାଳନା ତାଲିମ ପ୍ରଦାନ କରାଯାଉଛି। କିଛି ବର୍ଷ ତଳେ ଜଣେ କ୍ୟାଡର ନକ୍ସଲର ଅଂଗରକ୍ଷୀ ଭାବେ ଜଣେ ନାବାଳକ ରହିଥିବା ଫଟୋ ଭାଇରାଲ ହୋଇଥିଲା। ଯାହାକୁ ନେଇ ନକ୍ସଲ ପ୍ରବଣ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏବେ ବି ବହୁ ତାଲିମ ଫଟୋ ଭାଇରାଲ ହେବା ପରେ ସରକାର ଚିନ୍ତାରେ ପଡିଛନ୍ତି। ମାଲକାନଗିରି ଏବଂ ଛତିଶଗଡ ପୁଲିସ ଘନ ଘନ ଚଢାଉ କରୁଥିବାରୁ ପ୍ରାପ୍ତ ବୟସ୍କ ଯୁବକ, ଯୁବତୀ ସଂଗଠନ ସହ ଜଡିତ ହେବା ପାଇଁ ଭୟ କରୁଥିବା ବେଳେ ଏବେ ସେମାନଙ୍କ ସ୍ଥାନ ନେଉଛନ୍ତି ନାବାଳକ ନକ୍ସଲ। ମାଲକାନଗିରିର ଜିଲ୍ଲାର ଦୁର୍ଗମ ଅଂଚଳରେ ବାସ କରୁଥିବା କୋୟା ସଂପ୍ରଦାୟର ବହୁ ନାବାଳକ ସଂଗଠନରେ ଜଡିତ ହେଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ପୁଲିସ ସହ ଗୁଳିବିନିମୟ ବେଳେ ନାବାଳକ ଗୁଳି ଚଳାଉଥିବା ମଧ୍ୟ ନଜରକୁ ଆସିଛି। ଏଭଳି ସ୍ଥିତିରେ ଛୋଟ ଛୋଟ ପିଲାଙ୍କୁ ସଂଗଠନରେ ଜଡିତ କରିବା କେତେ ଦୂର ଯୁକ୍ତିଯୁକ୍ତ। ତାହା ଆଦର୍ଶ କଥା କହୁଥିବା ନକ୍ସଲ ପ୍ରକାଶ କରନ୍ତୁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Mkg-naxal-zangathan-re-school-children.jpg)