ମାଲକାନଗିରି: ଅବୁଝମାଡ଼ ଏନ୍କାଉଣ୍ଟର୍ର ପ୍ରତିଶୋଧ ନେବାକୁ ସୀମାନ୍ତ ଛତିଶଗଡ଼ରେ ପାଲଟା ହମ୍ଲା କରିଛନ୍ତି ନକ୍ସଲ। ବିଜାପୁର ଜିଲ୍ଲା କୁଟୁର ଥାନା ଅନ୍ତର୍ଗତ କାମ୍ବେଲି ଗାଁ ନିକଟରେ ଆଜି ଅପରାହ୍ନ ୨ଟା ୧୫ରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରି ଡିଆର୍ଜି ଯବାନଙ୍କ ଭ୍ୟାନ୍କୁ ଉଡ଼ାଇ ଦେଇଛନ୍ତି। ଘଟଣାସ୍ଥଳରେ ୮ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନେ ହେଲେ କୋରସା ବୁଦ୍ଧୁରାମ, ସୋମଡ଼ୁ ବେଟିଲି, ଦୁମ୍ମା ମାଡ଼କାମ, ବମନ ସୋଡ଼ି, ହରିଶ କୋରାମ, ପଣ୍ଡରୁ ପୋୟମ, ସୁଦର୍ଶନ ବେଟି ଓ ସୁଭରନାଥ ୟାଦବ। ଭ୍ୟାନ୍ ଡ୍ରାଇଭର୍ଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୮ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଏୟାରଲିଫ୍ଟ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନ୍ କରିଥିଲେ ଯବାନ। ଏହି ଅପରେସନ୍ରେ ୫ଜଣ ନକ୍ସଲ ନିହତ ହୋଇଥିଲେ। ଲମ୍ବା ଅପରେସନ୍ ଯୋଗୁ ଥକି ଯାଇଥିବା ଡିଆର୍ଜି ଯବାନଙ୍କୁ କ୍ୟାମ୍ପ୍କୁ ଫେରାଇ ଆଣିବା ପାଇଁ ଆଜି ପିକ୍ଅପ୍ ଭ୍ୟାନ୍ ଯାଇଥିଲା। ପାଖାପାଖି ୨୦ଜଣ ଯବାନ ଗାଡ଼ିରେ ବସି କ୍ୟାମ୍ପ୍କୁ ଫେରିବା ରାସ୍ତାରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରି ଗାଡ଼ିକୁ ଉଡ଼ାଇ ଦେଇଥିଲେ। ବିସ୍ଫୋରଣ ଲାଗି ୫୦କିଲୋ ବାରୁଦ ବ୍ୟବହାର କରିଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଗାଡ଼ି ପ୍ରାୟ ୧୫ଫୁଟ ଉଚ୍ଚକୁ ଉଡ଼ିଥିଲା। ଆଖପାଖ ଅଞ୍ଚଳ ବିସ୍ଫୋରଣରେ କମ୍ପି ଯାଇଥିଲା। ଘଟଣାସ୍ଥଳରେ ୫ଫୁଟ ଗଭୀର ଗାତ ହୋଇଯାଇଛି। ଗାଡ଼ି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା ବେଳେ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମରଶରୀର ଘଟଣାସ୍ଥଳରୁ ଉଦ୍ଧାର ହୋଇଛି।
ରାସ୍ତାରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ
୧୫ ଫୁଟ ଉଚ୍ଚକୁ ଉଡ଼ିଲା ଭ୍ୟାନ୍
ଜୋର୍ଦାର ହେଲା ଅପରେସନ୍
ନକ୍ସଲ ହମ୍ଲା ନେଇ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳକୁ ଅତିରିକ୍ତ ଯବାନଙ୍କୁ ପଠାଯାଇଛି। ନକ୍ସଲଙ୍କ ସନ୍ଧାନ ଜୋର୍ଦାର ହେବା ସହ ବିଭିନ୍ନ ସ୍ଥାନରେ ନାକା ଲଗାଇ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଏହି ବର୍ବରକାଣ୍ଡର ସଶସ୍ତ୍ର ଜବାବ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି। ଘଟଣାସ୍ଥଳରେ ବିଜାପୁର ଏସ୍ପି ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ରହିଥିବାରୁ ୮ଜଣ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଗୃହ ମନ୍ତ୍ରୀ ବିଜୟ ଶର୍ମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସହିଦଙ୍କ ପରିବାରକୁ ସମବେଦନା ଜଣାଇ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ସହିଦ ଯବାନଙ୍କ ବଳିଦାନ ଆଦୌ ବ୍ୟର୍ଥ ହେବନି, ନକ୍ସଲଙ୍କୁ ମୂଳପୋଛ କରାଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ସୁରକ୍ଷାକର୍ମୀଙ୍କ ଉପରେ ହମ୍ଲା କରିବାକୁ ଅବୁଝମାଡ଼ ଜଙ୍ଗଲରେ ନକ୍ସଲ ଠୁଳ ହୋଇଥିଲେ। ଶନିବାର ସଂଧ୍ୟାରେ ସୁରକ୍ଷାକର୍ମୀ ଜଙ୍ଗଲରେ ପଶିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗତକାଲି ସକାଳ ପର୍ଯ୍ୟନ୍ତ ଅପରେସନ୍ ଚାଲିଥିଲା। ଘଟଣାସ୍ଥଳରୁ ୨ ମହିଳା ଓ ୨ ପୁରୁଷ ନକ୍ସଲଙ୍କ ମୃତଦେହ ମିଳିଥିଲା। ଆଖପାଖ ଅଞ୍ଚଳରେ ସର୍ଚ ଅପରେସନ୍ କରିବାରୁ ଆଜି ସକାଳେ ଜଣେ ପୁରୁଷ ନକ୍ସଲଙ୍କ ମୃଦଦେହ ଠାବ ହୋଇଥିଲା। ଏହି ଅପରେସନ୍ ଶେଷ ହେବାରୁ ଯବାନ ନିଜ କ୍ୟାମ୍ପକୁ ଫେରିବା ରାସ୍ତାରେ ଆଜି ଅପରାହ୍ଣରେ ଆମ୍ବୁସ୍ ଲଗାଇ ନକ୍ସଲ ହମ୍ଲା କରିଛନ୍ତି।