ମାଲକାନଗିରି : କଳାଧନ ଓ ଅପରାଧକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଗଞ୍ଜେଇ। ତେଣୁ ଅପରାଧୀ ଏବଂ ନକ୍ସଲ ଏହି ଚାଷକୁ ପ୍ରତ୍ୟକ୍ଷ ତଥା ପରୋକ୍ଷରେ ସମର୍ଥନ ଦେଇ ଆସୁଥିଲେ। ଯାହା ଫଳରେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ବେଧଡ଼କ ଚାଲିଥିଲା ଗଞ୍ଜେଇ ଚାଷ। ବାରମ୍ବାର ପ୍ରୟାସ ସତ୍ତ୍ବେ ଏହି ଚାଷରେ ଅଙ୍କୁଶ ଲାଗିପାରୁ ନଥିଲା। ଏପରିକି ଗୋଟିଏ ସ୍ଥାନରେ ବନ୍ଦ କଲେ ଅନ୍ୟସ୍ଥାନରେ ମାଫିଆଙ୍କ ସହଯୋଗରେ ଏହା ଚାଷ ହେଉଥିଲା। ଏଭଳି ଦୁର୍ଗମ ଅଞ୍ଚଳକୁ ଚାଷ ପାଇଁ ଚିହ୍ନଟ ହେଉଥିଲା ଯେ ସେଠାରେ ପହଞ୍ଚିବା ଆଦୌ ସହଜ ହେଉ ନଥିଲା। ମାଇଲ ମାଇଲ ବାଟ ଚାଲିବାକୁ ପଡ଼ୁଥିବାରୁ କାଁ ଭାଁ ଚଢ଼ଉ ହେଉଥିଲା। ତେଣୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଗଞ୍ଜେଇ ଚାଷର ଗୋଟିଏ ସାମ୍ରାଜ୍ୟ ଚାଲିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment

publive-image The Indian Express

ଗଞ୍ଜେଇ ବ୍ୟବସାୟରେ ରାତାରାତି ଲକ୍ଷାଧିକ ଟଙ୍କା ମିଳୁଥିବାରୁ ଯୁବ ପିଢ଼ି ବି ଏଥିପ୍ରତି ଆକୃଷ୍ଟ ହେଉଥିଲେ। ପ୍ରତିବର୍ଷ ହଜାର ହଜାର ଏକର ସରକାରୀ ଜମିରେ ଗଞ୍ଜେଇ ଚାଷ ହେଉଥିବା ବେଳେ ମାତ୍ର ୩୦ରୁ ୪୦ପ୍ରତିଶତ ଗଛକୁ ହିଁ ଚଢ଼ଉ କରି ନଷ୍ଟ କରାଯାଉଥିଲା। ତେଣୁ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ଦେଉଥିବା ଗଞ୍ଜେଇ ଚାଷକୁ ବିନା କୌଣସି ପ୍ରତିବନ୍ଧକରେ ବଢ଼ାଇବା ପାଇଁ ସ୍ବାଭିମାନ ଅଞ୍ଚଳକୁ ଅକ୍ତିଆର କରି ରଖିଥିଲେ ନକ୍ସଲ। ଗଞ୍ଜେଇରୁ ହେଉଥିବା ଆୟରୁ ନକ୍ସଲଙ୍କ ନିକଟକୁ ବଡ଼ ଭାଗ ଯାଉଥିଲା। ଏବେ କିନ୍ତୁ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଅଙ୍କୁଶ ଲାଗିବାରୁ ସ୍ବାଭିମାନ ଅଞ୍ଚଳରେ ପଶି ପାରୁ ନଥିବା ନକ୍ସଲଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି।ଗଞ୍ଜେଇ ଚାଷରେ ରୋକ ଲାଗିଲେ ଆର୍ଥିକ କ୍ଷତି ସହି ନକ୍ସଲ ସଂଗଠନ ଆପେ ଆପେ ଦିଗହରା ହୋଇଯିବ ବୋଲି ମତ ପ୍ରକାଶ ପାଇଛି। ଏଥିପାଇଁ ଫୋକସ୍‌ରେ ଗଞ୍ଜେଇ ଚାଷ ରହିଥିବାରୁ ନିଶ୍ଚିତ ରୂପେ ଦିନେ ନା ଦିନେ ସ୍ବାଭିମାନ ଅଞ୍ଚଳ ନୂଆ ସକାଳ ଦେଖିବ ବୋଲି କୁହାଯାଉଛି।