ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ପ୍ରାୟ ଶେଷ ହୋଇଛି। ପଡ଼ୋଶୀ ଛତିଶଗଡ଼ରେ ଯଦିଓ ପ୍ରଭାବ ରହିଛି, ସେଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ପୂରା ଜୋର ଲଗାଇଛନ୍ତି। ତେଣୁ ଲୁଚିଛପି ରହିଥିବା ନକ୍ସଲଙ୍କୁ ଆଉ ନିସ୍ତାର ନାହିଁ। କାରଣ ପଡ଼ୋଶୀ ରାଜ୍ୟରେ ନକ୍ସଲ ଦମନ ଅଭିଯାନରେ ସାମିଲ ହୋଇଛନ୍ତି ମହିଳା ଫୋର୍ସ। ରାଜ୍ୟ ସରକାରଙ୍କ ସହଯୋଗରେ ଗଠିତ ଦୁର୍ଗା ଓ ଦନ୍ତେଶ୍ବରୀ ଫାଇଟର୍ସ ଦଳ ଏବେ ନକ୍ସଲଙ୍କ ସନ୍ଧାନରେ ନିୟୋଜିତ ହୋଇଛନ୍ତି। ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ମହିଳାଙ୍କୁ ଏହି ଫୋର୍ସରେ ସାମିଲ କରାଯାଇଛି।
ଅପରେସନ୍ ନିମନ୍ତେ ଏକେ-୪୭ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦିଆଯାଇଛି। ସଂଗଠନକୁ ଅତି ନିକଟରୁ ଜାଣିଥିବା ଏହି ମହିଳା ବାହିନୀର ଅପରେସନ୍ ଶୈଳୀ ଏବେ ନକ୍ସଲଙ୍କ ନିଦ ହଜାଇ ଦେଇଛି। ନକ୍ସଲ ସଂଗଠନରେ ମହିଳାଙ୍କ ସଂଖ୍ୟା ସବୁବେଳେ ଅଧିକ ରହିଛି। ସେହି ମହିଳା ସଂଗଠନକୁ ଭାଙ୍ଗିବାରେ ଛତିଶଗଡ଼ ସରକାର ସଫଳ ହୋଇଛନ୍ତି। ସଂଗଠନର ଆଗଧାଡ଼ିର ମହିଳା ନେତ୍ରୀ ମୁଖ୍ୟସ୍ରୋତରେ ସାମିଲ ହୋଇ ଏବେ ସରକାରଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି। ପୂର୍ବରୁ ଜଙ୍ଗଲରେ ଏମାନେ ପୁଲିସକୁ ଡରି ଲୁଚିଲୁଚି ବୁଲୁଥିଲେ। ଏବେ କାନ୍ଧରେ ଏକେ-୪୭ ଧରି ଲୋକଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସରକାରଙ୍କ ଦ୍ବାରା ଗଠିତ ଦୁର୍ଗା ଓ ଦନ୍ତେଶ୍ବରୀ ଫାଇଟର୍ସରେ ଏମାନେ କମାଣ୍ଡୋ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ପୁଲିସ ଓ ଲୋକଙ୍କୁ ଟାର୍ଗେଟ୍ କରୁଥିବା ଏହି ମହିଳାମାନେ ଏବେ ନିଜ ସଂଗଠନକୁ ଟାର୍ଗେଟ୍ କରିଛନ୍ତି।
ଦୁର୍ଗା ଓ ଦନ୍ତେଶ୍ବରୀ ଫାଇଟର୍ସର ବିଶେଷତ୍ବ ହେଲା ସମସ୍ତେ ତାଲିମପ୍ରାପ୍ତ। ପ୍ରତିକୂଳ ପରିସ୍ଥିତିରେ ଦିନ ଦିନ ଧରି ରହିବାରେ ଅଭ୍ୟସ୍ତ। ବନ୍ଧୁକ ସହ ଅନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାରେ ନିପୁଣ। ଜଙ୍ଗଲକୁ ଅତି ଭଲ ଭାବେ ଜାଣନ୍ତି। ନକ୍ସଲଙ୍କ ପ୍ରତ୍ୟେକ ହମ୍ଲା ତାରିକା ବିଷୟରେ ବି ଭଲ ରୂପେ ଅବଗତ। ଯେତିକି ସାହସୀ, ସେତିକି ଦୁର୍ଦ୍ଦଶ। ତେଣୁ ନକ୍ସଲ ସଂଗଠନ ପାଇଁ ସେମାନେ କାଳ ସାଜିଛନ୍ତି। ପୂର୍ବରୁ ସରକାରଙ୍କୁ ଟାର୍ଗେଟ୍ କରୁଥିବା ଏହି ମହିଳାମାନେ ଆଜି ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ହିଂସା ଛାଡି ଦେଶସେବାରେ ନିଜକୁ ନିୟୋଜିତ କରିଛନ୍ତି। ବସ୍ତର ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଏମାନେ ନିଜକୁ ଏକପ୍ରକାର ସମର୍ପଣ କରିଦେଇଛନ୍ତି। ମାତୃଭୂମି ପାଇଁ ଜୀବନ ଗଲେ ଆମେ ସହିଦ୍ ହୋଇଯିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ପୂର୍ବ ଭୁଲ୍ ପାଇଁ ପଶ୍ଚାତାପ କରିବା ସହ ସଂଗଠନରେ ଥିବା ଅନ୍ୟ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।