ରାୟଗଡ଼ାରେ ବଳ ଜୁଟାଉଛି ମାଓ ସଂଗଠନ, ନେତୃତ୍ବ ନେଉଛନ୍ତି ଦୁଇ ଓଡ଼ିଆ ନିଖିଲ୍ ଓ ବଣ୍ଟି

ଦିନକ ପରେ ଦିଲ୍ଲୀରେ ମାଓ ମୁକାବିଲା ବୈଠକ, ଲାଞ୍ଜିଗଡ଼, ଚାଟିକଣାରେ ମାଓ ପୋଷ୍ଟର

ରାୟଗଡା : ରାୟଗଡ଼ାରେ ବଳ ଗୋଟାଉଛି ମାଓ ସଂଗଠନ। ଦୀର୍ଘ ଦିନ ଧରି ସୁପ୍ତ ଅବସ୍ଥାରେ ଥିବା ମାଓ କାର୍ଯ୍ୟକଳାପକୁ ପୂର୍ବବସ୍ଥାକୁ ଫେରାଇ ଆଣିବାକୁ ଚାଲିଛି ଯୋଜନା। ନେତୃତ୍ବ ନେଉଛନ୍ତି ଦୁଇ ଓଡ଼ିଆ କ୍ୟାଡର୍ ନିଖିଲ୍ ଓ ବଣ୍ଟି। ରାୟଗଡା ସମେତ କନ୍ଧମାଳ, କଳାହାଣ୍ଡିର ସୀମାନ୍ତ ଇଲାକାରେ ୧୧ଜଣିଆ ଟିମ୍ ନିୟମିତ ଭାବେ ଚକ୍କର କାଟୁଛନ୍ତି। ଗତକାଲି ଲାଞ୍ଜିଗଡ ବଜାରରେ ଆଜି ବିଷମକଟକ ଚାଟିକଣା ଯାତ୍ରୀ ବିଶ୍ରାମାଗାରରେ ମାଓ ପୋଷ୍ଟର୍ ଲାଗିବା ମାଓ ସଂଗଠନର ଶକ୍ତି ବୃଦ୍ଧିକୁ ଇସାରା କରୁଛି। ଯାହା ପୁଲିସ୍ ପାଇଁ ଚ୍ୟାଲେଂଜ୍ ସଦୃଶ ହୋଇଛି।

ଜିଲ୍ଲାର କଲ୍ୟାଣସିଂହପୁର, ଚନ୍ଦ୍ରପୁର, ଗୁଡାରି, ବିଷମକଟକ, ମୁନିଗୁଡା ବ୍ଲକରେ ମାଓବାଦୀ ବୈଠକ ମାଧ୍ୟମରେ ସଭ୍ୟ ସଂଗ୍ରହ ଅଭିଯାନ ଜାରି ରଖିଛନ୍ତି। ଚନ୍ଦ୍ରପୁର ବ୍ଲକ୍ ସୀମାକୁ ଗଜପତି ଜିଲ୍ଲାର ମୋହନା, ଗଂଜାମ ଜିଲ୍ଲାର ସୋରଡା, ବଡଗଡ, କନ୍ଧମାଳ ଜିଲ୍ଲାର କୋଟଗଡ, ତୁମୁଡ଼ିବନ୍ଧ ଅଞ୍ଚଳ ଲାଗିଛି। ସେହିପରି ମୁନିଗୁଡା ବ୍ଲକ ସୀମାକୁ ଲାଗିଛି ମାଓ ପ୍ରବଣ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍। କଳାହାଣ୍ଡି ସୀମାନ୍ତର ତ୍ରିଲୋଚନପୁର ସମେତ ଲାଖପଦର, ଗୁମ୍ମା, ଡଙ୍ଗାମାଟି, ଲାମ୍ବା ଅଞ୍ଚଳ ମାଓବାଦୀଙ୍କ ଆଡ଼ା ପାଲଟିଛି। ସ୍ବାଧୀନତା ଦିବସ ପୂର୍ବରୁ ମାଓବାଦୀ ଗୁଡାରି-ଚନ୍ଦ୍ରପୁର ସୀମାନ୍ତରେ ମେଳି କରିବା ସହ ବୈଠକରେ ଗାଁ ଲୋକଙ୍କୁ ସାମିଲ୍ କରିଥିଲେ। ନିୟମିତ ଭାବେ ୨/୩ ଗ୍ରୁପରେ ବିଭକ୍ତ ହୋଇ ମାଓବାଦୀ ଏହି ୩ ଜିଲ୍ଲାର ସୀମାନ୍ତ ଗାଁ ଗୁଡ଼ିକୁ ଟାର୍ଗେଟ୍ କରି ବୈଠକ କରିବା ସହ ସଭ୍ୟ ସଂଗ୍ରହ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି। ଅଣ ଓଡ଼ିଆ କ୍ୟାଡରଙ୍କୁ ସୀମାନ୍ତ ଗାଁ ଲୋକେ ବିଶ୍ବାସକୁ ନେଉନଥିବାରୁ ମାଓ ସଂଗଠନ ଏବେ ଦୁଇ ଓଡ଼ିଆ କ୍ୟାଡରକୁ ଦାୟିତ୍ବ ଦେଇଛି। ନିଖିଲ୍ ଓ ବଣ୍ଟି ସଂଗଠନ ସଜାଡ଼ିବା ପାଇଁ କସରତ ଚଲାଇବା ସହ ସତର୍କତାର ସହ ସୀମାନ୍ତ ଜଙ୍ଗଲରେ ପୁଲିସ ଓ ଯବାନଙ୍କୁ ଚକମା ଦେଇ ନିଜ କାର୍ଯ୍ୟକଳାପ ଜାରି ରଖିଛନ୍ତି।

ନିଖିଲର ଘର ଜଗତସିଂହପୁର ଏବଂ ବଣ୍ଟି ଓରଫ୍ ବାଉରୀବନ୍ଧୁ ସେଠୀର ଘର କଟକରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି। ନିଖିଲ ଏରିଆ କମିଟି ସଦସ୍ୟ ଭାବେ ଏବଂ ବଣ୍ଟି ସକ୍ରିୟ ସଦସ୍ୟ ଭାବେ କାମ କରୁଥିବା ନେଇ ପୁଲିସ୍ ନିକଟରେ ସୂଚନା ରହିଛି। ୩/୪ ବର୍ଷ ହେଲା ଏହି ଟିମ୍ ୩ ମାଓ ପ୍ରବଣ ଜିଲ୍ଲାରେ ସଂଗଠନ ସୁଦୃଢ଼ ପାଇଁ ଘୂରି ବୁଲୁଥିବା ବେଳେ ନିକଟରେ କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ନିଖିଲ୍ ଓ ବଣ୍ଟିର ସହଯୋଗୀ ଡିକିସାର ମୃତ୍ୟୁ ହୋଇଛି। ଡିକିସାର ଘର ଚନ୍ଦ୍ରପୁର ବ୍ଲକରେ ହୋଇଥିବାରୁ ଏହି ଅଞ୍ଚଳର ଯୁବକ, ଯୁବତୀଙ୍କୁ ମାଓ ସଂଗଠନରେ ସାମିଲ୍ କରିବାକୁ ମାଓବାଦୀ ଚେଷ୍ଟା ଚଳାଇଛନ୍ତି। ଗତ ୨/୩ ବର୍ଷ ହେଲା ରାୟଗଡା ଜିଲ୍ଲାରୁ ନୂତନ ସଭ୍ୟ ନିଜ ସଂଗଠନ ପାଇଁ ଯୋଗାଡ କରିବାରେ ମାଓବାଦୀ ବିଫଳ ହୋଇଥିବା ବେଳେ ପୁଲିସ୍ ଦୁଇ ମିଲିସିଆ କଲ୍ୟାଣସିଂହପୁର ବ୍ଲକର ଶ୍ରୀରାମ ଓ ସିକୁନ୍ ସିକକାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଉଭୟଙ୍କ ନାଁରେ ବହୁ ମାମଲା ରହିଛି। ୨୦୧୧ ମସିହାରୁ ଏମାନେ ମାଓ ସଂଗଠନରେ ସହଯୋଗୀ ଭାବେ କାମ କରି ଆସୁଥିବା ଗିରଫ ପରେ ପୁଲିସ୍ ସୂଚନା ଦେଇଥିଲା। ଅନ୍ୟପକ୍ଷରେ ନିକଟରେ ଶେଷ ହୋଇଥିବା ମାଓବାଦୀଙ୍କ ସହିଦ୍ ସପ୍ତାହରେ ରାୟଗଡ଼ା ଜିଲ୍ଲାରେ ମାଓ କାର୍ଯ୍ୟକଳାପ ପ୍ରଭାବହୀନ ରହିଥିଲା। କିନ୍ତୁ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଦୁଇ ଦିନରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ମାଓ ଦମନ ଅଭିଯାନ ଜୋର୍ ଧରିଥିଲା। କଳାହାଣ୍ଡି ପୁଲିସ୍ କମ୍ବିଂ ଅପରେସନରେ ମାଓ କ୍ୟାମ୍ପକୁ ଧ୍ବଂସ କରିବା ସହ ୨ ମାଓବାଦୀଙ୍କୁ ଏନକାଉଣ୍ଟର୍ କରିଥିଲା। ୩ ଜିଲ୍ଲା ପୁଲିସ୍ ଚାରିଆଡୁ ଘେରିବା ପରେ ୭ ଜଣିଆ ମାଓ ଟିମ୍ କଲ୍ୟାଣସିଂହପୁରର ତେନ୍ତୁଳିଗୁମ୍ମା ଅଞ୍ଚଳରେ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ଦେଇଥିଲା। ଯବାନଙ୍କ କମ୍ବିଂ ଅପରେସନ୍ ଜୋରଦାର୍ ପରେ ମାଓବାଦୀ ଛତ୍ରଭଂଗ ଦେଇ ଆନ୍ଧ୍ର ଓ ଛତିଶଗଡକୁ ଚାଲି ଯାଇଥିଲେ।
ତେବେ ଦିନକ ପରେ ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ଉପଦ୍ରୁତ ଜିଲ୍ଲା ଗୁଡ଼ିକ ସଂପର୍କରେ ବୈଠକ ଦିଲ୍ଲୀରେ ବସିବାକୁ ଯାଉଛି। ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦେଶକ ଯୋଗଦେବେ। ୨୦୧୮ ପାଇଁ ରାଜ୍ୟ ସରକାର ପ୍ରକାଶ କରିଥିବା ଶ୍ବେତପତ୍ରରେ ୬ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଥିବା ଉଲ୍ଲେଖ କରିଥିବା ବେଳେ ରାୟଗଡ଼ା ସମେତ ଜିଲ୍ଲା ସୀମାକୁ ଲାଗିଥିବା କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ନାଁ ରହିଛି। ଏହି ୩ ଜିଲ୍ଲାରେ ବର୍ତମାନ ମାଓ କାର୍ଯ୍ୟକଳାପ ଅଧିକ ଥିବାରୁ ମାଓ ମୁକାବିଲା ସଂପର୍କରେ ବୈଠକରେ ଆଲୋଚନା ହେବ। ଏଥି ସହିତ ଏହି ସମସ୍ତ ଅଞ୍ଚଳରେ ମୋବାଇଲ୍ ଟାୱାର୍ ପ୍ରତିଷ୍ଠା, ସଡକ ନିର୍ମାଣକୁ ଗୁରୁତ୍ବ ଦିଆଯିବା ସହ ମାଓ ମୁକାବିଲା ପାଇଁ ଅଧିକ ଫୋର୍ସ ଏବଂ ବିକାଶ ପାଇଁ କେନ୍ଦ୍ରକୁ ଅନୁଦାନ ମାଗିପାରେ ଓଡ଼ିଶା।

ସମ୍ବନ୍ଧିତ ଖବର