ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଉସୁର ଥାନା ମଞ୍ଜାଲକାଙ୍କେର ବାସିନ୍ଦା ସତ୍ୟମ ପୁନେମଙ୍କୁ ସୋମବାର ରାତିରେ ସଶସ୍ତ୍ର ନକ୍ସଲ ଘରେ ପଶି ନିର୍ମମ ଭାବେ ହତ୍ୟା କରିଥିଲେ। ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ନକ୍ସଲ ସତ୍ୟମଙ୍କ ଘରେ ପଶିଥିଲେ। ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ଆଣି ପୁଲିସ ଇନଫର୍ମର୍‌ ଦର୍ଶାଇ ପିଟିଥିଲେ। ପରେ ପରିବାର ଲୋକଙ୍କ ସାମନାରେ ନିର୍ମମ ଭାବେ ହତ୍ୟା କରିଥିଲେ। 

Advertisment

ପରିବାର ଲୋକେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ସତ୍ୟମଙ୍କୁ ଛାଡ଼ିନଥିଲେ। ଖବର ପାଇ ମଙ୍ଗଳବାର ସକାଳେ ପୁଲିସ ଗାଁରେ ପହଞ୍ଚି ସତ୍ୟମଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସତ୍ୟମ ବିଜେପିର ଜଣେ ଆଗଧାଡ଼ିର କର୍ମୀ ଥିଲେ। ତାଙ୍କ ମୃତ୍ୟୁରେ ପୂର୍ବତନ ମନ୍ତ୍ରୀ ମହେଶ ଗାଗଡ଼ା ଦୁଃଖ ପ୍ରକାଶ କରିବା ସହ ସତ୍ୟମଙ୍କ ମୃତ୍ୟୁ ବିଜେପି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। 

ନକ୍ସଲ ମୃତଦେହ ନିକଟରେ ଏକ ପୋଷ୍ଟର୍‌ ମଧ୍ୟ ଛାଡ଼ି ଯାଇଛନ୍ତି। ସେଥିରେ ସତ୍ୟମ ପୁଲିସ ପାଇଁ କାମ କରୁଥିବା ଉଲ୍ଲେଖ ରହିଛି। ମଦେଡ ଏରିଆ କମିଟି ଏହି ହତ୍ୟା କରିଥିବା ସ୍ବୀକାର କରିଛି। ପୂର୍ବରୁ ପୁଲିସକୁ ସହଯୋଗ କରିବାରୁ ନିବୃତ୍ତ ରହିବା ପାଇଁ ନକ୍ସଲ ୩ ଥର ସତ୍ୟମକୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ବେ ସତ୍ୟମ ସହଯୋଗ କରୁଥିବାରୁ ହତ୍ୟା କରାଗଲା ବୋଲି ନକ୍ସଲ ସଂଗଠନ କହିଛି।