ହିଂସ୍ର ହୋଇପଡ଼ିଛନ୍ତି ନକ୍ସଲ : ଆନ୍ଧ୍ରରେ ବିଧାୟକଙ୍କୁ ହତ୍ୟା

ପୂର୍ବତନ ବିଧାୟକଙ୍କୁ ବି ହତ୍ୟା, ଉତ୍ତ୍ୟକ୍ତ ଲୋକେ ଥାନା ଜାଳିଲେ, ଓଡ଼ିଶା ସୀମା ସିଲ୍‌, ସୁରକ୍ଷା ବଢ଼ିଲା

କୋରାପୁଟ/ମାଲକାନଗିରି : ନକ୍ସଲ ପୁଣି ନିଜର ହିଂସାତ୍ମକ ଆଚରଣ ଦେଖାଇଛନ୍ତି। ପଡୋଶୀ ଆନ୍ଧ୍ରପ୍ରଦେଶର ଆରକୁ ନିର୍ବାଚନମଣ୍ଡଳୀର ଟିଡିପି ନେତା ତଥା ବିଧାୟକ କେଦାରି ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଏସ.ସୋମାଙ୍କୁ ନକ୍ସଲ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ମାଲକାନଗିରି ସୀମାନ୍ତକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ଆରକୁ ଅଂଚଳର ଡୁମ୍ବରିଗୁଡା ନିକଟସ୍ଥ ଜଂଗଲରେ ନକ୍ସଲ ଏହି ଦୁଇ ନେତାକୁ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ହତ୍ୟା ପରେ ଦୁଇ ଜଣ ଅଙ୍ଗ ରକ୍ଷକଙ୍କୁ ନକ୍ସଲ ଅପହରଣ କରିନେଇଥିବା ଜଣାପଡିଛି।

ଏହି ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଥାନା ପୋଡି ଦେଇଛନ୍ତି। ସ୍ଥାନୀୟ ବିଧାୟକମାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଏପଟେ ନକ୍ସଲମାନେ ଅଘଟଣ ଘଟାଇବା ପରେ ମାଲକାନଗିରି ଆସିପାରନ୍ତି ବୋଲି ଅନୁମାନ କରି ଓଡ଼ିଶା ପୁଲିସ ସୀମାରେ ସୁରକ୍ଷା ବଢାଇ ଦିଆଯାଇଛି। ସୀମା ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୧ରେ ଓଡ଼ିଶାର ବିଧାୟକ ଜଗବନ୍ଧୁ ମାଝୀଙ୍କୁ ମଧ୍ୟ ନକ୍ସଲମାନେ ଗୁଳି କରି ହତ୍ୟା କରିଥିଲେ।

ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ଆରକୁ ବିଧାୟକ କେଦାରି ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକଏସ.ସୋମା ଡୁମ୍ବରିଗୁଡ଼ାରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିଲେ। ଦିନ ପ୍ରାୟ ୧୨ଟା ୧୫ ବେଳେ ଡୁମ୍ବରିଗୁଡା ନିକଟସ୍ଥ ଜଂଗଲରେ ପ୍ରାୟ ୫୦ରୁ ୬୦ ନକ୍ସଲ ବିଧାୟକଙ୍କ ଗାଡିକୁ ଅଟକାଇଥିଲେ। ଦୁଇ ଜଣ ଅଂଗରକ୍ଷକଙ୍କୁ କାବୁ କରିବା ପରେ ଦୁଇ ବିଧାୟକଙ୍କୁ ଅତି ନିକଟରୁ ଗୁଳି କରିଦେଇଥିଲେ। ଅଂଗରକ୍ଷକଙ୍କ ବନ୍ଧୁକ ଛଡାଇ ନେଇଯାଇଥିବା ଜଣାପଡିଛି। ଘଟଣା ଘଟାଇବା ପରେ ନକ୍ସଲ ଜଂଗଲ ଭିତରକୁ ପଳାଇଯାଇଥିଲେ।

ବିଶାଖାପାଟଣାର ଆଂଚଳିକ ଏସପି ରାହୁଲ ଦେବ ପୂର୍ବରୁ ନେତାମାନଙ୍କ ଉପରେ ନକ୍ସଲ ଭୟ ଥିବା ନେଇ ସୂଚାଇଥିଲେ। ଏପରିକି ନକ୍ସଲ ପ୍ରବଣ ଅଞ୍ଚଳକୁ ଯିବା ଲାଗି ବାରଣ କରାଯାଇଥିଲା।
ଆଜିର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପ୍ରଚାର ହେବା ପରେ ଉତ୍ତ୍ୟକ୍ତ ଲୋକ ଡୁମ୍ବରିଗୁଡା ଥାନାକୁ ନିଆଁ ଲଗାଇ ଦେଇଥିଲେ। ବିଧାୟକଙ୍କ ଶବକୁ ଆରକୁରୁ ବିଶାଖାପାଟଣାକୁ ନେବାକୁ ଦେଇନଥିଲେ। ପୋଲିସ ଏବଂ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା।

ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶରେ ଆଲର୍ଟ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ହତ୍ୟାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଗଣତନ୍ତ୍ରକୁ ବିଶ୍ୱାସ କରୁଥିବା ସମସ୍ତ ଲୋକ ଏହି ହତ୍ୟାକାଣ୍ଡକୁ ବିରୋଧ ଏବଂ ନିନ୍ଦା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ଆରକୁ ଅଞ୍ଚଳରେ ସ୍ୱର୍ଗତ ସର୍ବଶ୍ୱର ରାଓ ଏବଂ ଏସ.ସୋମା ବହୁ ଉନ୍ନୟନ କାମ କରିଛନ୍ତି। ଯାହାକୁ ଲୋକେ ପସନ୍ଦ କରୁଥିଲେ। ବକ୍ସାଇଟ୍‌ ମାଇନିଂକୁ ସର୍ବେଶ୍ୱର ରାଓ ସମର୍ଥନ କରୁଥିବାରୁ ନକ୍ସଲମାନେ ତାଙ୍କୁ ପୂର୍ବରୁ ଧମକ ଦେଇଥିଲେ। ଏପରିକି କିଛି ଦିନ ହେଲା ତାଙ୍କ ଚଳପ୍ରଚଳ ଉପରେ କଡ଼ା ନଜର ରଖିଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର