କନ୍ଧମାଳରେ ପୁଣି ମାତିଲେ ନକ୍ସଲ : ୨ ଯୁବକଙ୍କୁ ହତ୍ୟା

ଜଣଙ୍କର ବେକ କାଟିଲେ, ଆଉ ଜଣଙ୍କୁ ଗୁଳି କଲେ

ପଲଟଣରେ ଥିଲେ ୨୫ରୁ ୩୦ ମାଓବାଦୀ
ମୃତକଙ୍କ ମଧ୍ୟରେ ବିଜେଡି ନେତାଙ୍କ ପୁଅ

ତୁମୁଡ଼ିବନ୍ଧ : କନ୍ଧମାଳ ଜଙ୍ଗଲ ଇଲାକା ଛାଡୁନାହାନ୍ତି ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ଉପଖଣ୍ଡ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତରେ ମାଓବାଦୀ ଘଟାଇଛନ୍ତି ବର୍ବର କାଣ୍ଡ। ପୁଲିସ ଇନଫର୍ମର ଦର୍ଶାଇ ଦୁଇ ଯୁବକଙ୍କୁ ହତ୍ୟା କରିଛନ୍ତି। ଭଣ୍ଡରଙ୍ଗି ସରପଞ୍ଚଙ୍କ ପୁଅଙ୍କୁ ଗଳା କାଟି ଓ ଗୁଚ୍ଛାଗୁଡ଼ା ଗ୍ରାମର ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇ ଗୁଳି କରି ହତ୍ୟା କରିଛନ୍ତି। ବୀଭତ୍ସ୍ୟ ହତ୍ୟାର ଶିକାର ହୋଇଥିବା ଯୁବକ ଦ୍ବୟ ହେଲେ ଭଣ୍ଡରଙ୍ଗି ସରପଞ୍ଚ ଦ୍ରୌପଦୀ ପାତ୍ର ତଥା ବିଜେଡି ନେତା ଭବସିନ୍ଧୁ ପାତ୍ରଙ୍କ ଏକମାତ୍ର ପୁଅ ଭବାନୀ ଶଙ୍କର ପାତ୍ର ଓ ଗୁଛାଗୁଡା ଗ୍ରାମର ହେମନ୍ତ ପାତ୍ର। ପଞ୍ଚାୟତ କାର୍ଯ୍ୟାଳୟରରେ ଭବାନୀ ନିଜ ଭିଣୋଇଙ୍କ ସହ ଶୋଇଥିବା ବେଳେ ମାଓବାଦୀ ତାଙ୍କୁ ଡାକି ନେଇ ହାତ ଗୋଡ଼ ବାନ୍ଧି ଦେଇଥିଲେ ଓ ଗଳାକାଟି ହତ୍ୟା କରିଥିଲେ। ସେଠାରୁ ମାଓବାଦୀ ଗୁଚ୍ଛାଗୁଡ଼ା ଗ୍ରାମକୁ ଯାଇ ଘରେ ଶୋଇଥିବା ହେମନ୍ତ ପାତ୍ରଙ୍କୁ ଡାକି ଆଣି ଗୁଳି କରି ହତ୍ୟା କରିଥିଲେ। ଏହି କାଣ୍ଡ ଘଟାଇ ଘଟଣାସ୍ଥଳରେ ମାଓବାଦୀମାନେ ଘୁମୁସର-ନାଗାବଳୀ-ବଂଶଧାରା ଡିଭିଜନ ମାଓବାଦୀ ସଂଗଠନ ନାମରେ ପୋଷ୍ଟର ଛାଡ଼ି ଯାଇଛନ୍ତି। ୨୦୨୦ ସେପ୍ଟେମ୍ବର ୨ରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ହୋଇଥିବା ପୁଲିସ ଏନ୍‌କାଉଣ୍ଟରରରେ ୫ ମାଓବାଦୀଙ୍କ ମୃତ୍ୟୁ ପାଇଁ ଏମାନେ ଦାୟୀ ଓ ପୁଲିସର ଇନଫର୍ମର ଥିବା ସନ୍ଦେହ କରି ହତ୍ୟା କରାଗଲା ବୋଲି ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି। ଏପରିକି ଇନଫର୍ମର କାମ କରୁଥିବା ସମସ୍ତଙ୍କୁ ମାଓବାଦୀ ଜାଣିଥିବା ଏବଂ ୧୫ ଦିନ ମଧ୍ୟରେ ଜନ ଅଦାଲତରେ ଆତ୍ମସମର୍ପଣ ନକଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଏହି ପୋଷ୍ଟର ଜରିଆରେ ଧମକ ଦେଇଛନ୍ତି। କିଛି ଦିନର ନିରବତା ପରେ ମାଓବାଦୀଙ୍କ ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ମୁତାବକ ଭଣ୍ଡରଙ୍ଗି ପଞ୍ଚାୟତର ସରପଞ୍ଚ ଦ୍ରୌପଦୀ ପାତ୍ର ଓ ଅଞ୍ଚଳର ଟାଣୁଆ ବିଜେଡି ନେତା ଅଟନ୍ତି ଭବସିନ୍ଧୁ ପାତ୍ର। ତାଙ୍କ ଏକମାତ୍ର ପୁଅ ଭବାନୀ ଶଙ୍କର ପାତ୍ର ଗତକାଲି ପଞ୍ଚାୟତ କାର୍ଯ୍ୟାଳୟ ଘରେ ନିଜ ଭି‌ଣୋଇଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ୨୫ରୁ ୩୦ ସଶସ୍ତ୍ର ମାଓବାଦୀ ପହଞ୍ଚି କବାଟ ବାଡ଼େଇ ଭବାନୀଙ୍କୁ ଡାକିଥିଲେ। ଭବାନୀ ବାହାରକୁ ଆସିବା ମାତ୍ରେ ତୁରନ୍ତ ଭିତରେ ତାଙ୍କ ଭିଣୋଇଙ୍କୁ କବାଟ ବନ୍ଦ କରି ଦେଇଥିଲେ। ଭବାନୀଙ୍କ ହାତଗୋଡ ବାନ୍ଧି ଟେକି ନେଇ ଯାଇଥିଲେ। ଭବାନୀ ଭୟରେ ମାଆ ମାଆ ଡାକ ପକାଇବାରୁ ସେହି ଠାରେ ତାଙ୍କ ଗଳା କାଟି ହତ୍ୟା କରି ଫିଙ୍ଗିଦେଇ ଚାଲି ଯାଇଥିଲେ। ପରେ ଗୁଚ୍ଛାଗୁଡ଼ା ଗ୍ରାମକୁ ଯାଇ ଘରୁ ହେମନ୍ତ ପାତ୍ରଙ୍କୁ କବାଟ ବାଡ଼େଇ ଡାକି ଗୁଳି କରି ହତ୍ୟା କରିଥିଲେ। ତେବେ ଘଟଣାର ୧୨ଘଣ୍ଟା ପରେ ମଧ୍ୟ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିଲା। ବାହାରେ ଶବ ପଡ଼ି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ ପାତ୍ର ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ଆଣିଥିଲେ।

ସୂଚନାଯୋଗ୍ୟ ଯେ ଗତବର୍ଷ ଜାନୁଆରି ୪ରେ ଅନୁରୂପ ଭାବେ ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତ ମାର୍ଦ୍ଦୋଳ ଗ୍ରାମର ରଞ୍ଜନ ଦିଗାଳ ନାମକ ବ୍ୟକ୍ତିଙ୍କୁ ମାଓ ଇନଫର୍ମର ସନ୍ଦେହରେ କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ଼୍ରୁମାହାରେ ରାତିରେ ଘରୁ ଡାକି ନେଇ ମାଓବାଦୀ ଗୁଳି କରି ହତ୍ୟା କରିଥିଲେ। ମାଓ ଦମନ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ କନ୍ଧମାଳ ଜିଲ୍ଲାରେ କମ୍ବିଂ ଅପରେସନ୍‌ ଜାରି ରହିଛି। ହେଲେ ଜିଲ୍ଲାରେ ଏବେ ବି ମାଓବାଦୀ ନିଜ ସ୍ଥିତି ଜାହିର କରିବା ସହ ଗତିବିଧି ଚାଲୁ ରଖିଛନ୍ତି। ଗଲା ୭ ମାସରେ ୧୩ ଜଣ ସାଥିଙ୍କୁ ହରାଇ ବଦ୍‌ଲା ନେବାକୁ ପାଗଳ ପ୍ରାୟ ଘୂରି ବୁଲୁଛନ୍ତି। ଗତକାଲିର ଘଟଣା ପରେ ସ୍ପଷ୍ଟ ଯେ, ପ୍ରତିଶୋଧ ନେବାକୁ କନ୍ଧମାଳରେ ଏବେ ବି ମାଓବାଦୀ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର