ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା

ମାଲକାନଗିରି : ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଜଣେ ଯୁବକଙ୍କୁ ଗତକାଲି ରାତିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ସୂଚନା ଅନୁଯାୟୀ ତାଡକୀ ଥାନା ଅନ୍ତର୍ଗତ ଆମାଗାଁ ଠାରେ ଗତକାଲି ନକ୍ସଲ ପ୍ରଜାକୋର୍ଟ ଡକାଇଥିଲେ। ତେଣୁ ୫୦ରୁ ଉର୍ଧ୍ୱ ନକ୍ସଲ ଗାଁରେ ପହଞ୍ଚି ଲୋକଙ୍କୁ ଘରୁ ଉଠାଇ ଆଣିବା ପରେ ପ୍ରଜାକୋର୍ଟ ବସିଥିଲା। ପୁଲିସ ଇନଫର୍ମର ଦର୍ଶାଇ ଗାଁର ଯୁବକ ଗେନ୍ଦଲାଲ ଜୈନଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଏଠାରେ ନିଷ୍ପତ୍ତି ନେଇଥିଲେ। ଏହାପରେ ଗେନ୍ଦଲାଲଙ୍କୁ ଘରୁ ଘୋଷାରି ଆଣି ପରିବାର ସାମ୍ନାରେ ହିଁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲେ। ଏପରିକି ପୁଅକୁ ବଞ୍ଚାଇବା ପାଇଁ ହସ୍ତକ୍ଷେପ କରିଥିବା ବାପା ଦୟାଲୁରାମଙ୍କୁ ବି ନିର୍ଧୁମ ପିଟିଥିଲେ ନକ୍ସଲ। ଯାହାଫଳରେ ସେ ଅଚେତ ହୋଇଯାଇଥିଲେ। ନକ୍ସଲ ଗାଁରୁ ଯିବାପରେ ଗ୍ରାମବାସୀ ଦଲାୟୁରାମଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିଲେ।

ସୂଚନାଯୋଗ୍ୟ, ଗେନ୍ଦଲାଲ ଏହି ଅଂଚଳରେ କମାଣ୍ଡର, ଜିପ ଚଲାଇ ଗୁଜରାଣ ମେଣ୍ଟାଉଥିଲା। ତେବେ ନକ୍ସଲଙ୍କ ଗତିବିଧି ସଂପର୍କରେ ସେ ପୁଲିସକୁ ସୂଚନା ଦେଉଥିବା ଅଭିଯୋଗ କରି ପୂର୍ବରୁ ହିଁ ତାକୁ ଟାର୍ଗେଟ କରାଯାଇଥିଲା। ଏଥିପାଇଁ ପୂର୍ବରୁ ଏକାଧିକ ବାର ସଂଗଠନ ଚେତାବନୀ ଦେବା ସହ ବ୍ୟାନର ମାରି ଅଗବତ କରାଇଥିଲା। ଶେଷରେ ଗତକାଲି ରାତିରେ ନକ୍ସଲ ଏଭଳି ନିର୍ମମକାଣ୍ଡ ଘଟାଇଛନ୍ତି। ଘଟଣା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅପରପକ୍ଷରେ ନକ୍ସଲ ବାରମ୍ବାର ଗାଁକୁ ଆସି ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ନେଇ ବି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର