ମାଲକାନଗିରି : ଘଞ୍ଚ ଜଙ୍ଗଲରେ ଚାଲିଛି ନକ୍ସଲଙ୍କ ମକ୍‌ଡ୍ରିଲ

ମାଲକାନଗିରି : ଶତ୍ରୁକୁ ପ୍ରତିହତ କରିବା ସହ ନିଜେ କିପରି ସୁରକ୍ଷିତ ରହିବେ ସେ ନେଇ ସମରାଭ୍ୟାସ ଚଳାଇଛନ୍ତି ନକ୍ସଲ। ମାଲକାନାଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଏବେ ବହୁ ସଂଖ୍ୟାରେ ନକ୍ସଲ ଏକତ୍ରିତ ହୋଇ ସମରାଭ୍ୟାସ ଚଳାଇଥିବା ସୂଚନା ମିଳିଛି। ନିରନ୍ତର ବ୍ୟାୟାମ ସାଙ୍ଗକୁ ଅତ୍ୟାଧୁନିକ ବନ୍ଧୁକ ଚାଳନା ଶିକ୍ଷା ଲାଭ କରୁଛନ୍ତି। ଏଥିସହ ପୁଲିସ ଗୁଳିବିନିମୟରେ କେହି ଆହତ ହେଲେ କିପରି ସେମାନଙ୍କୁ ଉଦ୍ଧାର କରାଯାଇପାରିବ, ସେ ନେଇ ମଧ୍ୟ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। କୌଣସି ପରିସ୍ଥିତିରେ ଆହତ ନକ୍ସଲ କିମ୍ବା ମୃତ ନକ୍ସଲଙ୍କୁ ପୁଲିସ ହାତରେ ଯେପରି ଦିଆଯିବ ସେଭଳି ତାଲିମ ଦିଆଯାଉଛି।

ନକ୍ସଲ ସଂଗଠନରେ ସାମିଲ ହେଉଥିବା ନୂଆ ସଦସ୍ୟମାନଙ୍କୁ ଏହି ତାଲିମ ବିଶେଷ ଭାବେ ପ୍ରଦାନ କରାଯାଉଛି। ଦଳରେ ନୂଆ କରି ସାମିଲ ହୋଇଥିବା ସଦସ୍ୟ ଜଙ୍ଗଲରେ ଦିନ ଦିନ ଧରି ରହିବା ଓ ପ୍ରତିକୂଳ ପରିସ୍ଥିର ସମ୍ମୁଖୀନ ହେବାରେ ଆଦୌ ଅଭ୍ୟସ୍ତ ନୁହନ୍ତି। ହଠାତ୍ ଗୁଳିବିନିମୟ ହେଲେ ସେମାନେ ଛତ୍ରଭଙ୍ଗ ଦେଉଛନ୍ତି। ନଚେତ ପୁଲିସ ଗୁଳିରେ ନିହତ ହେଉଛନ୍ତି। ତେଣୁ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଦଳକୁ ସୁଦୃଢ଼ କରିବାକୁ ଯେଉଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି, ଏହାହେଉଛି ତାର ଅଂଶବିଶେଷ। ଏଥିସହ ଏହି ଶିବିରରେ ଅତ୍ୟାଧୁନିକ ବନ୍ଧୁକ ଚଳାଇବା ସହ ବୋମା ଖଞ୍ଜିବାର ତାଲିମ ମଧ୍ୟ ଦିଆଯାଉଥିବା ଜଣାପଡ଼ିଛି। ପ୍ରଶିକ୍ଷଣ ଭିଡିଓକୁ ନକ୍ସଲ ଭାଇରାଲ କରି ଶତ୍ରୁକୁ ସାବଧାନ କରୁଛନ୍ତି। ଏହି ତାଲିମରେ ଟପ୍ ନକ୍ସଲ ନେତା ଶିବିରର ନେତୃତ୍ବ ନେଉଥିବା ବେଳେ ଦକ୍ଷ ଓ ନିପୁଣ ନକ୍ସଲମାନେ ଏହି ତାଲିମ କେନ୍ଦ୍ରରେ ଯୋଗଦେଇ ତାଲିମ ଦେଉଥିବା ଦେଖିବାକୁ ମିଳିଛି। ମହିଳା ହୁଅନ୍ତୁ କି ପୁରୁଷ ନକ୍ସଲ, ସମସ୍ତେ ଏକ ହୋଇ ଶତ୍ରୁ ସହ ଲଢ଼ିବେ ଏବଂ କିଛି ଦୁର୍ଘଟଣା ଘଟିଲେ ସମସ୍ତେ ଏକ ହୋଇ ଆହତ କିମ୍ବା ମୃତ ନକ୍ସଲଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ କରିବେ। ମାଲକନାଗିରି ଜିଲ୍ଲାର ତୁଳସୀ ପାହାଡ଼ରେ ମଧ୍ୟ ଏକ ତାଲିମକେନ୍ଦ୍ର ରହିଛି। ଏଠାରେ ନକ୍ସଲ ପ୍ରାୟତଃ ନୂଆ ନକ୍ସଲଙ୍କୁ ତାଲିମ ପ୍ରଦାନ କରିଥା’ନ୍ତି। ଏହି ଅଞ୍ଚଳ ଏବେ ପୁଲିସ ଏବଂ ବିଏସ୍‌ଏଫ୍‌ କବ୍‌ଜା କରିଥିବାରୁ ନକ୍ସଲ ଏଠାରେ ଆଗ ଭଳି ତାଲିମ ଦେଉନାହାନ୍ତି।

IBC

ପ୍ରକାଶଥାଉକି, ପୁଲିସର ଘନଘନ ଚଢ଼ଉ ଯୋଗୁ କ୍ରମାଗତ ଭାବେ ନକ୍ସଲଙ୍କ ଶକ୍ତି କ୍ଷୟ ହେବାରେ ଲାଗିଛି। ଯାହାକି ସଂଗଠନ ପାଇଁ ବର୍ତ୍ତମାନ ସବୁଠୁ ବଡ଼ଚିନ୍ତାର ବିଷୟ। ଟପ୍ କ୍ୟାଡର ନକ୍ସଲଙ୍କ ପରିବର୍ତ୍ତିତ ରଣନୀତି ପରେ ସଂଗଠନ ପୁଣି କାୟା ବିସ୍ତାର ପାଇଁ କରୁଛି ଜୋରଦାର ପ୍ରୟାସ। ଏହି ପରିପ୍ରେକ୍ଷୀରେ ଅନଭିଜ୍ଞ ସଦସ୍ୟଙ୍କୁ ତାଲିମ ଦେବାକୁ ସଂଗଠନ ପ୍ରାଥମିକତା ଦେଇଥିବା ଏହି ସମରାଭ୍ୟାସରୁ ଜଣାପଡ଼ିଛି। ଏବେ ବର୍ଷା ଋତୁ ଆସୁଥିବା ବେଳେ ସଙ୍ଗଠନର ଆଗ ଧାଡ଼ିର ସଦସ୍ୟମାନେ ଗାଁ ଗାଁ ବୁଲି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ମଧ୍ୟ ଲାଗିପଡ଼ିଛନ୍ତି। ବିଶେଷକରି ଯୁବକ ଯୁବତୀମାନଙ୍କୁ ସଙ୍ଗଠନରେ ସାମିଲ କରିବା ପାଇଁ ପ୍ରଲୋଭନ ଦେଖାଇବା ସହ ଦରକାର ପଡ଼ିଲେ ବନ୍ଧୁକ ମୁନରେ ମଧ୍ୟ ସଙ୍ଗଠନରେ ସାମିଲ କରାଯାଉଛି। ଆଗକୁ ନକ୍ସଲ ସଂଗଠନ କି ପ୍ରକାର ରଣନୀତି କରୁଛି ଏବଂ ପୁଲିସ ତାର କିଭଳି ମୁକାବିଲା କରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର