ମାଲକାନଗିରି : ଆଜି ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ କରୁଛି। ୨ରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ନେଇ ନକ୍ସଲ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର ଏବଂ ବ୍ୟାନର ମାରି ପିଏଲଜିଏ ସପ୍ତାହକୁ ପାଳନ କରିବାକୁ ଆହ୍ୱାନ କରିଛନ୍ତି।ପିଏଲଜିଏ ସପ୍ତାହକୁ ଆଖିଆଗରେ ରଖି ପୋଲିସ ସୀମାକୁ ସିଲ କରିଦେଇଛି। ବିଏସଏଫ,ଏସଓଜି,ଡିଭିଏଫ ଯବାନ ଜୋରଦାର କୁମ୍ବିଂ କରୁଥିବା ଦେଖିବାକୁ ମିଳିଛି। ସୀମାରେ ଅଚିହ୍ନା ଲୋକଙ୍କର ଯାନବାହାନ ଯାଞ୍ଚ କରାଯାଉଛି। କୌଣସି ଅପ୍ରତିକର ଘଟଣାକୁ ଏଡାଇବା ପାଇଁ ପୋଲିସ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କହିଛି। ନକ୍ସଲ ପିଏଲଜିଏ ସପ୍ତାହ ବେଳକୁ ହିଂସାତ୍ମକ ହୋଇପଡନ୍ତି। ତେଣୁ ଦୁର୍ଗମ ଅଂଚଳର ଲୋକେ ଭୟ ଓ ଆତଙ୍କରେ ରହିଥିବା ଦେଖିବାକୁ ମିଳିଛି। ପୁଲିସ ତରଫରୁ ଯାନବାହାନ ଚଳାଚଳକୁ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟଯେ ନକ୍ସଲଙ୍କ ସହିଦ ସପ୍ତାହ କିମ୍ବା ପିଏଲଜିଏ ସପ୍ତାହ ପାଳନ ବେଳେ ସରକାରୀ ବସଗୁଡିକ ବନ୍ଦ ରହୁଛି। ତେଣୁ ପୁଲିସ ଏନେଇ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ମାଲକାନଗିରି ଜିଲ୍ଲାକୁ ବିଶେଷକରି ବହୁ ସରକାରୀ ବସ ଚଳାଚଳ କରୁଥିବାରୁ ସାତ ଦିନ ବ୍ୟାପି ବସ ବନ୍ଦ ରହିଲେ ଲୋକେ ନାହିଁ ନଥିବା ହଇରାଣ ହେବେ ବୋଲି କୁହାଯାଇଛି। ତେବେ ପ୍ରଶାସନ ତରଫରୁ କି ପଦକ୍ଷେପ ନିଆଯିବ ଦେଖିବାକୁ ବାକି ରହିଲା।
ଅନ୍ୟଦିଗରେ ପୁଲିସ ସ୍ୱାଭିମାନ ଅଂଚଳରେ ନକ୍ସଲଙ୍କୁ ଦମନ କରିବା ପାଇଁ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରୁଛି। ସ୍ୱାଭିମାନ ଅଂଚଳର ୭ଟି ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଆହୁରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜଣାପଡିଛି। ସ୍ୱାଭିମାନ ଅଂଚଳରେ ନକ୍ସଲକୁ ଦମନ କରିବା ନେଇ ପୁଲିସର ଲଗାତାର ସଫଳତାରେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ନକ୍ସଲଙ୍କ ଗତିବିଧିକୁ ରୋକ ଲଗାଇବାରେ ସୁରକ୍ଷାକର୍ମୀ ଦିନରାତି ଏକ କରିଦେଇଛନ୍ତି। ଜାନବାଇ ଠାରୁ ଆରମ୍ଭ କରି ଗୋରାସେତୁ ପର୍ଯ୍ୟନ୍ତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଅଂଚଳରେ ନକ୍ସଲଙ୍କ ଗତିବିଧି ଏକ ପ୍ରକାର ଠପ୍ ହୋଇଯାଇଛି। ପିଏଲଜିଏକୁ ନେଇ ବିଏସଏଫ ମଧ୍ୟ ତାଂକର ରଣନୀତିକୁ ବଦଳାଇଥିବା ଜଣାପଡିଛି। ସୀମାନ୍ତରେ ନକ୍ସଲ ପ୍ରତିଦିନ କିଛି ନା କିଛି ଅଘଟଣା ଘଟାଇ ମାଲକାନଗିରି ପଶି ଆସୁଥିବାରୁ ପୁଲିସ ଏହାକୁ ରୋକିବା ନେଇ ପଦକ୍ଷେପ ନେଉଛି। ତେବେ ପିଏଲଜିଏ ସପ୍ତାହରେ ନକ୍ସଲ ଗାଁ ଗାଁରେ ସହିଦଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିବା ସହ ସହିଦସ୍ତମ୍ଭ ନିର୍ମାଣ କରନ୍ତି।ତେବେ ଗ୍ରାମବାସୀ ନକ୍ସଲଙ୍କ ନିମୟ କାନୁନକୁ ମାନୁନଥିବା ବେଳେ ନକ୍ସଲ କିପରି ଏହି ସପ୍ତାହକୁ ପାଳନ କରୁଛନ୍ତି ଦେଖିବାକୁ ବାକି ରହିଲା।