ଖଣି ଖାଦାନକୁ ବିରୋଧ କଲେ ନକ୍ସଲ, ଜାଳି ଦେଲେ ୩ଟି ଗାଡ଼ି

ମାଲକାନଗିରି: ଖଣି ଖାଦାନକୁ ତୀବ୍ର ବିରୋଧ କରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗତକାଲି ରାତିରେ ୧୫ ଜଣ ସଶସ୍ତ୍ର ନକ୍ସଲ ପହଞ୍ଚି ତିନୋଟି ଟ୍ରକକୁ ପୋଡି ଦେଇଥିବା ଜଣାପଡିଛି। ଘନୋରା ଥାନା ଅନ୍ତର୍ଗତ ହିରଙ୍ଗାଇ ଗ୍ରାମ ନିକଟରେ ଗତକାଲି ରାତିରେ ଜଗଦଲପୁରରୁ କାଠ ନେଇ ନାକାଣରୁକ ଯାଉଥିବା ବେଳେ ତିନୋଟି ଟ୍ରକକୁ ନକ୍ସଲ ଅଟକାଇଥିଲେ। ଡ୍ରାଇଭରମାନଙ୍କୁ ସେଠାରୁ ଚାଲିଯିବାକୁ କହିବା ପରେ ଟ୍ରକରେ ନିଆଁ ଲଗାଇ ପୋଡି ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ଅଂଚଳରେ ନିକ୍କୋ ଖଣି ଖାଦାନ ଆରମ୍ଭ ହେଉଥିବାରୁ ଏଠାରେ ନକ୍ସଲଙ୍କ ଗତିବିଧି ବଢିଯାଇଛି।

ଏସପି ଗିରିଜା ଶଂକର ଜୟସଵାଲ କହିଛନ୍ତି, ନାରାୟଣପୁର-ଓରଛା ମାର୍ଗ ଉପରେ ରାଜପୁ ଗାଁ ଠାରୁ ମାତ୍ର ୫ କିମି ଦୂରରେ ଥିବା ହିରଙ୍ଗଇ ଝାରା ଘାଟିରେ ମାଓବାଦୀମାନେ ହିଂସା କରିଛନ୍ତି। ଜଙ୍ଗଲ ଭିତରୁ ଅଚାନକ ପହଞ୍ଚି ଥିବା ମାଓବାଦୀମାନେ ପ୍ରଥମେ ଟ୍ରକ୍‌ ଚାଳକଙ୍କୁ ଓହ୍ଲାଇବାକୁ କହିଥିଲେ। ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ଟ୍ରକ୍‌ର ଡିଜେଲ ଇଞ୍ଜିନକୁ ଭାଙ୍ଗିଥିଲେ। ଏହା ପରେ ନିଆଁ ଲଗାଇ ଦେଇଥିଲେ। ଟ୍ରକ୍‌ରେ ନିଆଁ ଲଗାଇବା ପରେ ଟ୍ରକ୍‌ ଚାଳକଙ୍କୁ ସେଠାରୁ ଯିବାକୁ କହିଥିଲେ। କୁହାଯାଉଛି ଯେ, ଯେଉଁ ଟ୍ରକ୍‌ ଗୁଡ଼ିକରେ ନକ୍ସଲମାନେ ନିଆଁ ଲଗାଇଛନ୍ତି, ତାହା ଜଗଦଲପୁର ନିର୍ବାସୀ ରାଜେଶ ଶ୍ରୀବାସ୍ତବଙ୍କର। ଅନ୍ୟପଟରେ ଏସ୍‌ପି ଗିରିଜା ଶଙ୍କର କହିଛନ୍ତି, ମାମଲାର ତଦନ୍ତ କରାଯାଉଛି। ଅଭିଯୁକ୍ତ ନକ୍ସଲମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର