ମାଲକାନଗିରି: ଶକ୍ତି ହରାଇବା ପରେ ଦୁଇ ଭାଗ ହୋଇଯାଇଛି ନକ୍ସଲ ସଂଗଠନ। ଗୋଟିଏ ଗୋଷ୍ଠୀ ଅସ୍ତ୍ରବିରତି ପ୍ରସ୍ତାବ ଦେଉଥିଲା ବେଳେ ଆଉଏକ ଗୋଷ୍ଠୀ ପୁଣି ଶକ୍ତି ବଢ଼ାଇବା ଲାଗି ପ୍ରୟାସ ଆରମ୍ଭ କରିଛି। ଅନ୍ୟପଟେ ସଂଗଠନକୁ ମୂଳପୋଛ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଜାରି ରହିଛି।
ଚଳିତବର୍ଷ ସୁରକ୍ଷା କର୍ମୀଙ୍କ ଅପରେସନ୍ରେ ୫୩୯ଜଣ ନକ୍ସଲ ନିହତ ହୋଇସାରିଲେଣି। ଏଥିରେ ସଂଗଠନର ଟପ୍ କ୍ୟାଡର ରହିଛନ୍ତି। ସେହିପରି ୨୨ଶହ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୩୦୦ରୁ ଅଧିକ ଗିରଫ ହୋଇଛନ୍ତି। ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି ଲାଲ ବାହିନୀ। ତଥାପି ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି। ତେଣୁ ଯୋଜନା ଅନୁସାରେ ନକ୍ସଲ ସଂଗଠନର ନାଟ୍ୟମଣ୍ଡଳୀକୁ ଅଧିକରୁ ଅଧିକ ସକ୍ରିୟ କରାଯାଇଛି। ନାଟ୍ୟମଣ୍ଡଳୀରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ରହିଛନ୍ତି। ନାଚ, ଗୀତ ମାଧ୍ୟମରେ ସଂଗଠନର ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚାଇବା ଦାୟିତ୍ବ ନେଇଛନ୍ତି। ସଂଗଠନରେ ନୂଆ ସଦସ୍ୟଙ୍କୁ ସାମିଲ କରିବାକୁ ନାଟ୍ୟମଣ୍ଡଳୀକୁ ଏବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବିଜାପୁର, ଦନ୍ତେଵାଡ଼ା ଓ ସୁକମାର ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକରେ ନାଟ୍ୟମଣ୍ଡଳୀ ସଦସ୍ୟ ଏବେ ଡେରା ପକାଇଛନ୍ତି।
ଦୁର୍ଗମ ଗାଁରେ ନାଟ୍ୟମଣ୍ଡଳୀ ପ୍ରଚାରକୁ ଜୋର୍ଦାର କରି ନକ୍ସଲ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଲୋକଙ୍କୁ ବୁଝାଉଛି। ଜନସମର୍ଥନ ଜୁଟାଇବା ଲକ୍ଷ୍ୟ ନେଇ ନାଟ୍ୟମଣ୍ଡଳୀର ଏହି ପ୍ରୟାସ କିଭଳି ପ୍ରଭାବ ପକାଉଛି ତାହାର ଆକଳନ କରୁଛି ପୁଲିସ। ଗୁଇନ୍ଦା ବିଭାଗ ସକ୍ରିୟ ହୋଇ ନାଟ୍ୟମଣ୍ଡଳୀର ଗତିବିଧି ଉପରେ ନଜର ରଖିଛି। ସେହିପରି ପୁଲିସ ମଧ୍ୟ ଗ୍ରାମାଞ୍ଚଳରେ ଜନସଂପର୍କ କାର୍ଯ୍ୟକ୍ରମ ବଢ଼ାଇଥିବା ସୂଚନା ମିଳିଛି। ସଂଗଠନର ଘାତକ ଆଭିମୁଖ୍ୟ ସଂପର୍କରେ ଗ୍ରାମାଞ୍ଚଳର ଲୋକଙ୍କୁ ପୁଲିସ ଅବଗତ କରାଉଥିବା ଜଣାପଡ଼ିଛି। ପୁଲିସ ଓ ନକ୍ସଲ ସଂଗଠନର ପରିବର୍ତ୍ତିତ ରଣନୀତି ରୋଚକ ସ୍ଥିତି ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/13/cpi-2025-11-13-00-23-25.jpg)