ମାନେଶ୍ୱର : ସମ୍ବଲପୁର ସହର ଉପକଣ୍ଠସ୍ଥ ନକ୍ସାପାଲିରେ ପ୍ରାଚୀନ କାଳରୁ ଦୋଳପୂର୍ଣ୍ଣିମା ତଥା ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଏହା ୧୦୮ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଗତ ସୋମବାର କୁମ୍ଭବୁଡ଼ା ନୀତି ଅନୁଷ୍ଠିତ ହୋଇଥିଲା। ଗାଁର ଗୋପାଳ ଭାଇମାନେ ମାଳତୀଜୋରକୁ ଯାଇ କୁମ୍ଭ ବୁଡ଼େଇଥିଲେ। ମଙ୍ଗଳବାର ଅପରାହ୍ନ ୩ ଟାରେ ମନ୍ଦିରରୁ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା ଦୋଳ ମଣ୍ଡପ ବିଜେ କରିଥିଲେ। ସନ୍ଧ୍ୟା ୬ରେ ଗୋପାଳମାନଙ୍କ ଦ୍ୱାରା ପାରଂପରିକ ବାଡ଼ିଖେଳ ଅନୁଷ୍ଠିତ ହୋଇଥିଲା। ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଧୁନିକ କୃଷ୍ଣଗୁରୁ ପରିବେଷିତ ହୋଇଥିଲା।
ବୁଧବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହୋଲି ଖେଳ ଏବଂ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା ଗ୍ରାମ ପରିକ୍ରମା କରାଯାଇଥିଲା। ରାତ୍ରିରେ ଶ୍ରୀ ଗଣେଶ ଅପେରା ତରଫରୁ ସମ୍ବଲପୁରୀ ନାଟକ ‘କୋଶଳ ମାଟିର୍ ଅସଲ୍ ବେଟି, ନାଁ’ଟା ତାର୍ ରଙ୍ଗବତୀ’ ମଂଚସ୍ଥ ହୋଇଥିଲା। ଗୁରୁବାର ସନ୍ଧ୍ୟା ୭ରେ କୁନିକୁନି କଳାକାରଙ୍କ ଦ୍ବାରା ନୃତ୍ୟ କାର୍ଯ୍ୟକ୍ରମ ଏବଂ ରାତିରେ ନାଟକ ‘କାହାଣୀ ଗଢ଼ିଛି କିଏ? ପରିବେଷିତ ହୋଇଥିଲା। ଗୋପାଳଜୀ ଯୁବକ ସଂଘ ତରଫରୁ ଆୟୋଜିତ ଏହି ଉତ୍ସବରେ ସଭାପତି ଦିନେଶ ବେହେରା, ସଂପାଦକ ଦେବନ୍ତ ବେହେରା, କୋଷାଧ୍ୟକ୍ଷ ପ୍ରକାଶ ଦାସଙ୍କ ସହିତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।